ଉତ୍ତର ଭାରତରେ ଆଶ୍ବସ୍ତି: ୟୁପି, ଦିଲ୍ଲୀ, ଝାଡ଼ଖଣ୍ଡ, ବିହାର, ମଧ୍ୟପ୍ରଦେଶରେ କମ୍‌ ସଂକ୍ରମଣ

୪ ରାଜ୍ୟରେ ୬୦% ମାମଲା, ତିନି ସପ୍ତାହରେ ସର୍ବନିମ୍ନ ମୃତ୍ୟୁ, ଦିନକରେ ଆଉ ୧,୬୫,୫୩୩ ସଂକ୍ରମିତ, ୩,୪୬୦ ମୃତ

ନୂଆଦିଲ୍ଲୀ: ଦେଶରେ ଏବେ କରୋନାର ଦ୍ବିତୀୟ ଲହର ଫିକା ପଡ଼ି ଆସୁଥିବା ବେଳେ ଉତ୍ତର ଭାରତରେ ସଂକ୍ରମଣର ଦ୍ରୁତ ହ୍ରାସ ବଡ଼ ଆଶ୍ବସ୍ତି ଆଣିଛି। ଉତ୍ତରପ୍ରଦେଶ, ଦିଲ୍ଲୀ, ଝାଡ଼ଖଣ୍ଡ, ବିହାର ଏବଂ ମଧ୍ୟପ୍ରଦେଶରେ ସଂକ୍ରମଣରେ ଦ୍ରୁତ ହ୍ରାସ ପରିଲକ୍ଷିତ ହେଉଛି। ଅନ୍ୟ ପକ୍ଷରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଚିନ୍ତା ବଢ଼ାଉଛି। ଆଜି ଦେଶରେ ମୋଟ ସଂକ୍ରମଣ ମାମଲାର ୬୦ ପ୍ରତିଶତ କେବଳ ୪ ରାଜ୍ୟରୁ ଆସିଥିବା ଜଣାପଡ଼ିଛି। ଦିଲ୍ଲୀରେ ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇ ୧.୧୯ ପ୍ରତିଶତରେ ପହଞ୍ଚିଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ଭିତରେ ଦେଶରେ ୧,୬୫,୫୩୩ ଜଣ ନୂତନ ସଂକ୍ରମିତ ଠାବ ହୋଇଛନ୍ତି ଯାହା କି ଗତ ଏପ୍ରିଲ ୧୨ ତାରିଖ ପରଠାରୁ ସର୍ବନିମ୍ନ ବୋଲି ଜଣାଯାଇଛି। ଏହି ଶନିବାରର ସଂଖ୍ୟାକୁ ମିଶାଇ ଅଦ୍ୟାବଧି ମୋଟ ୨,୭୮,୯୪,୮୦୦ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହି ନୂତନ ସଂକ୍ରମିତଙ୍କ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୩୦,୦୧୬ ଜଣ ଆକ୍ରାନ୍ତ ଠାବ ହୋଇଥିବା ବେଳେ ତାହା ପଛକୁ କେରଳରେ ୨୩,୫୧୩ ଜଣ, କର୍ଣ୍ଣାଟକରେ ୨୦,୬୨୮ ଜଣ, ମହାରାଷ୍ଟ୍ରରେ ୨୦,୨୯୫ ଜଣ ଓ ଆନ୍ଧ୍ରପ୍ରଦେଶରେ ୧୩,୭୫୬ ଜଣ ସଂକ୍ରମିତ ବାହାରିଛନ୍ତି।

ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୩,୪୬୦ ଜଣ କୋଭିଡ୍‌ ପୀଡ଼ିତଙ୍କର ମୃତ୍ୟୁ ଘଟିଥିବା ବେଳେ ଗତ ତିନି ସପ୍ତାହରେ ଏହା ସର୍ବନିମ୍ନ ବୋଲି ଜଣାଯାଇଛି। ଏଥି ସହିତ ସହ ଦେଶରେ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୩,୨୫,୯୭୨ରେ ପହଞ୍ଚିଛି। ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୮୩୨ ଜଣ ହୋଇଥିବା ବେଳେ ତାହା ପଛକୁ କର୍ଣ୍ଣାଟକର ୪୯୨ ଜଣ, ତାମିଲନାଡୁରେ ୪୮୬ ଜଣ, କେରଳର ୧୯୮ ଜଣ ଓ ଉତ୍ତରପ୍ରଦେଶର ୧୫୫ ଜଣ ରହିଛନ୍ତି। ସେହିପରି ଲଗାତାର ୧୭ ଦିନ ପାଇଁ ଶନିବାର ମଧ୍ୟ ନୂତନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସଂଖ୍ୟକ ଆରୋଗ୍ୟ ଲାଭ କରିଛନ୍ତି। ଏହି ୨୪ ଘଣ୍ଟା ଭିତରେ ଦେଶରେ ୨,୭୬,୩୦୯ ଜଣ ଆରୋଗ୍ୟଲାଭ କରିଛନ୍ତି। ଦେଶରେ ଗତ ୨୪ ଘଣ୍ଟା ଭିତରେ ହୋଇଥିବା ୨୦,୬୩,୮୩୯ ସଂଖ୍ୟକ ନମୁନା ପରୀକ୍ଷଣକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୩୪,୩୧,୭୫,୭୪୮ ଜଣଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ସୂତ୍ରରୁ ଜଣାଯାଇଛି। ଦେଶରେ ୩୦,୩୫,୭୪୯ ଜଣଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯାଇଥିବା ବେଳେ ଅଦ୍ୟାବଧି ମୋଟ ୨୧,୨୦,୬୬,୬୧୪ ଜଣଙ୍କର ଟିକାକରଣ କରାଯାଇଛି।

ସମ୍ବନ୍ଧିତ ଖବର