ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କୁ ରିଲିଫ୍‌ ମନା, ସ୍ବେଚ୍ଛ‌ାସେବୀ ସଂସ୍ଥା ଉପରେ ସରକାରୀ ଚାପ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଅବସରରେ ପାକିସ୍ତାନରେ କେତେକ ସ୍ବେଚ୍ଛାସେବୀ ସଂସ୍ଥାମାନଙ୍କ ପକ୍ଷରୁ ରିଲିଫ୍‌ ବଣ୍ଟନ କରାଯାଉଥିବା ବେଳେ ସେଠାକାର ସଂଖ୍ୟାଲଘୁ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ମାନଙ୍କୁ ଏଥିରୁ ବାଦ ଦିଆଯାଇଛି। ସଂଖ୍ୟାଲଘୁ ହିନ୍ଦୁ ଓ ଖ୍ରୀଷ୍ଟିଆନମାନଙ୍କୁ ରିଲିଫ୍‌ ନ ଦେବାକୁ ଏହି ଏନ୍‌ଜିଓମାନଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରାଯାଉଛି ବୋଲି ‘ୟୁଏସ୍‌ସିଆଇଆର୍‌ଏଫ’ ( ୟୁଏସ୍‌ କମିସନ ଅନ୍‌ ଇଣ୍ଟରନ୍ୟାସନାଲ ରିଲିଜିୟସ ଫ୍ରିଡମ୍‌) ପ୍ରକାଶ କରିଛି। କୋଭିଡ-୧୯ ଭଳି ମହାମାରି ପରିସ୍ଥିତିରେ ପାକିସ୍ତାନ ସରକାରଙ୍କ ଏଭଳି ହୀନ ଉଦ୍ୟମକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

କୋଭିଡ-୧୯ ମହାମାରୀ ପାଇଁ ପାକିସ୍ତାନର କରାଚି ସହରରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଥିବା ବେଳେ ସଂଖ୍ୟାଲଘୁ ହିନ୍ଦୁ ଓ ଖ୍ରୀଷ୍ଟିଆନମାନଙ୍କୁ ନ ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହା ଫଳରେ ରିଲିଫ ବଣ୍ଟନରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଛି ବୋଲି ‘ୟୁଏସ୍‌ସିଆଇଆର୍‌ଏଫ’ କହିଛି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ପାକିସ୍ତାନର ବନ୍ଦର ନଗରୀ କରାଚିରେ ଅନ୍ତର୍ଜାତୀୟ ସ୍ବେଚ୍ଛ‌ାସେବୀ ସଂସ୍ଥା ‌’ସେଲାନି ୱେଲଫେୟାର ଇଣ୍ଟରନ୍ୟାସନାଲ ଟ୍ରଷ୍ଟ’ ପକ୍ଷରୁ ଗରିବ ଓ ଗୃହହୀନଙ୍କ ଉଦ୍ଦେଶ୍ୟରେ ରିଲିଫ ବଣ୍ଟନ କରାଯାଇଥିଲା। ତେବେ ରିଲିଫ ବଣ୍ଟନ ବେଳେ ସଂଖ୍ୟାଲଘୁ ଗରିବ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କୁ ନ ଦେବାକୁ ଉକ୍ତ ଏନ୍‌ଜିଓ ଉପରେ ଚାପ ସୃଷ୍ଟି କରାଯାଇଥିଲା। ପାକିସ୍ତାନର ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ‘ୟୁଏସ୍‌ସିଆଇଆର୍‌ଏଫ’ କମିସନର ଅନୁରିମା ଭାର୍ଗବ କହିଛନ୍ତି। ପାକିସ୍ତାନରେ କୋଭିଡ-୧୯ ମହାମାରି ରୂପ ଧାରଣ କରିଥିବା ବେଳେ କ୍ଷୁଧା ସ୍ଥାନୀୟ ଲୋକଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ପାକିସ୍ତାନର ଇମ୍ରାନ ଖାନ୍‌ ସରକାର ଧର୍ମକୁ ନେଇ ଏଭଳି ଭୟଙ୍କର ଖେଳ ନ ଖେଳିବାକୁ ୟୁଏସସିଆଇଆରଏଫ୍‌ ଚେତାଇ ଦେଇଛି।

ସମ୍ବନ୍ଧିତ ଖବର