ଗାଜା: ଦୀର୍ଘ ୧୫ ଦିନର ଅପେକ୍ଷା ପ‌ରେ ଯୁଦ୍ଧଗ୍ରସ୍ତ ଗାଜାରେ ମାନବୀୟ ସହାୟତା ପହଞ୍ଚିଛି। ଖାଦ୍ୟାଭାବ ଓ ଅତ୍ୟାବଶ୍ୟକ ଔଷଧ ଅଭାବରେ ଛଟପଟ ହେଉଥିବା ଗାଜାବାସୀଙ୍କୁ ଆଜି ସାମାନ୍ୟ ଆଶ୍ବସ୍ତି ମିଳିଛି। ଇଜିପ୍ଟର ରାଫା ସୀମାରୁ ୨୦ଟି ଟ୍ରକ୍‌ରେ ଜରୁରୀ ରିଲିଫ୍‌ ସାମଗ୍ରୀ ପଠାଯାଇଛି ଏବଂ ଏହା ଗାଜାରେ ପ୍ରବେଶ କରିବା ପରେ ଜାତିସଂଘ କର୍ତ୍ତୃପକ୍ଷଙ୍କ ଦ୍ବାରା ବିତରଣ ବ୍ୟବସ୍ଥା କରାଯାଇଛି । ଗାଜାକୁ ରାଫା ହେଉଛି ଏକମାତ୍ର ସୀମା ଯାହା ଇସ୍ରାଏଲ ନିୟନ୍ତ୍ରଣରେ ନାହିଁ। ଆମେରିକାର ଅନୁରୋଧକ୍ରମେ ଇଜିପ୍ଟ ଗାଜାକୁ ରାଫା ସୀମା ଖୋଲିବାକୁ ରାଜି ହୋଇଛି । ଆଜି ୨୦ଟି ଟ୍ରକ୍‌ ରାଫା ସୀମା ଦେଇ ଗାଜା ପ୍ରବେଶ କରିଥିବା ଜଣାପଡ଼ିଛି। ୨ଟି ଆମ୍ବୁଲାନ୍ସ, ଜାତିସଂଘର ୨ଟି ଗାଡ଼ି ଏବଂ ୨ଟି ରେଡ୍‌ କ୍ରସ୍‌ ଗାଡ଼ି ମଧ୍ୟ ରାଫା ସୀମା ଦେଇ ଗାଜା ଯାଇଛି। ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗୁଟେରସ ଶୁକ୍ରବାର ମାନବୀୟ ସହାୟତା ପଠାଇବା ନେଇ ଚାଲିଥିବା ପ୍ରସ୍ତୁତି ଦେଖିବାପାଇଁ ରାଫା ସୀମା‌ରେ ପହଞ୍ଚିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରଠାରୁ ଇସ୍ରାଏଲ ଗାଜାକୁ ମାନବୀୟ ସହାୟତା ବନ୍ଦ ରଖିଥିଲା।ଇତିମଧ୍ୟରେ ଇସ୍ରାଏଲ-ହମାସ ଯୁଦ୍ଧକୁ ୧୫ ଦିନ ବିତିଯାଇଛି। ଯୁଦ୍ଧ ଅଧିକ ତୀବ୍ର ହେଉଥିବାବେଳେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଶନିବାର କହିଛନ୍ତି, ହେଜବୋଲ୍ଲା ଯୁଦ୍ଧରେ ଯୋଗ ଦେବାପାଇଁ ନିଷ୍ପତ୍ତି ନେଇ ସାରିଛି। ଇରାନ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ସଂକ୍ରାନ୍ତ ଗୁଇନ୍ଦା ରିପୋର୍ଟ ଆଧାରରେ ଆମେରିକା ମଧ୍ୟ ଆଗୁଆ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି। ଇସ୍ରାଏଲକୁ ଯେ କୌଣସି ବଡ଼ ଆକ୍ରମଣରୁ ସୁରକ୍ଷା ଦେବାପାଇଁ ଆମେରିକୀୟ ଯୁଦ୍ଧ ଜାହାଜ ଏବଂ ବୋମାବର୍ଷୀ ବିମାନଗୁଡ଼ିକ ହାଇଆଲର୍ଟରେ ରହିଛି।