ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ରେମାଲ୍’ର ମୁକାବିଲା ପାଇଁ ଆଜି କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତାର ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ବେଳେ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଘୂର୍ଣ୍ଣିବଳୟ ଯୋଗୁଁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲା ଏବଂ କୋଲକାତାରେ ପ୍ରବଳ ବର୍ଷା ହୋଇଛି।
ପ୍ରଧାନମନ୍ତ୍ରୀ ମୋଦୀ ବାତ୍ୟା ‘ରେମାଲ’ର ମୁକାବିଲା ଏବଂ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଅନୁଷ୍ଠିତ ବୈଠକରେ କ୍ଷୟକ୍ଷତି ରୋକିବା
ସଂକ୍ରାନ୍ତ ବିଭିନ୍ନ ପଦକ୍ଷେପ, ସ୍ଥାନାନ୍ତରଣ, ବିପର୍ଯ୍ୟୟ ମୁକାବିଲା ପାଇଁ ନିୟୋଜିତ ମାନବ ସମ୍ବଳ ଆଦି ସଂପର୍କରେ ଆଲୋଚନା କରିଥିଲେ। ରବିବାର ମଧ୍ୟରାତ୍ରି ସୁଦ୍ଧା ଏହି ବାତ୍ୟା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ଖେପୁପଡ଼ା ମଧ୍ୟରେ ଥିବା ଉପକୂଳ ଅତିକ୍ରମ କରିବ। ‘ରେମାଲ’ ଉତ୍ତର ଦିଗକୁ ଗତି କରିବା ବେଳେ ଘଣ୍ଟା ପ୍ରତି ସର୍ବାଧିକ ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳର ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। କୋଲକାତା ବିମାନ ବନ୍ଦର କର୍ତ୍ତୃପକ୍ଷ ରବିବାର ମଧ୍ୟାହ୍ନରୁ ୨୧ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ ରଖିଛନ୍ତି। ଏହାବ୍ୟତୀତ ପୂର୍ବ ଓ ଦକ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷ ଅନେକ ଟ୍ରେନ୍କୁ ବାତିଲ କରିଛନ୍ତି। କୋଲକାତା ସମେତ ବିଭିନ୍ନ ଜିଲ୍ଲାରେ ଅରେଞ୍ଜ୍ ଆଲର୍ଟ ଜାରି ହୋଇଛି। ଏହି ସାମୁଦ୍ରିକ ଝଡ଼ ର ଲ୍ୟାଣ୍ଡଫଲ୍ କୁ ଦୃଷ୍ଟିରେ ରଖି ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସହାୟତା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍ଡିଆରଏଫ)ର ମୋଟ ୧୪ଟି ଟିମ୍ ପଶ୍ଚିମବଙ୍ଗରେ ନିୟୋଜିତ ହୋଇଛନ୍ତି ବୋଲି ପାଣିପାଗ ବିଭାଗ କହିଛି।
ଅନ୍ୟପକ୍ଷରେ ବାଂଲାଦେଶରେ ବାତ୍ୟା ପ୍ରଭାବରେ ଭୀଷଣ ବର୍ଷା ଲାଗି ରହିଛି ଏବଂ ସମ୍ବେଦନଶୀଳ ଅଞ୍ଚଳରୁ ୮ ଲକ୍ଷରୁ ଅଧିକ ଲୋକଙ୍କୁ ରବିବାର ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ବାଂଲାଦେଶ ପାଣିପାଗ ବିଭାଗ (ବିଏମ୍ଡି) ଏହାର ଉପକୂଳ ଅଂଚଳ ପାଇଁ ସବୁଠାରୁ ବଡ଼ ବିପଦ ସଙ୍କେତ ଜାରି କରିଛି। ୨୦ରୁ ଅଧିକ ଗ୍ରାମ ଜଳମଗ୍ନ ହେବା ଆଶଙ୍କା ଥିବାରୁ ସମସ୍ତ ବାସିନ୍ଦାଙ୍କୁ ଯୁଦ୍ଧସ୍ତରରେ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/strom.jpg)
