ଦେଶର ନବନିଯୁକ୍ତ ପ୍ରଧ‌ାନ ବିଚାରପତିଙ୍କୁ ରାଷ୍ଟ୍ରପତିଙ୍କ ସ୍ବାକ୍ଷରିତ ୱାରେଣ୍ଟ ପ୍ରଦାନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଏସବୁ ରାୟ ପାଇଁ ଚର୍ଚ୍ଚାରେ ଥିଲେ ଜଷ୍ଟିସ ବୋବଡେ

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ଦେଶର ନୂଆ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ଏସଏ ବୋବଡେ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିକୁ ମଂଜୁର କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ.ପ୍ରମୋଦ କୁମାର ମିଶ୍ର ଜଷ୍ଟିସ ବୋବଡେଙ୍କୁ ଭେଟି ରାଷ୍ଟ୍ରପତିଙ୍କ ସ୍ବାକ୍ଷରିତ ୱାରେଣ୍ଟ (ନିଯୁକ୍ତପତ୍ର) ପ୍ରଦାନ କରିଛନ୍ତି। ଆଜି ଆମେ ଆପଣଙ୍କୁ ଜଷ୍ଟିସ ଏସଏ ବୋବଡେଙ୍କ କିଛି ଉଲ୍ଲେଖନୀୟ ରାୟ ବାବଦରେ କହିବୁ, ଯାହାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିଲା |

Photo-new indian express

ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଧାର କାର୍ଡକୁ ନେଇ ଦିଆଯାଇଥିବା ରାୟରେ ଜଷ୍ଟିସ ଏସଏ ବୋବଡେ ମଧ୍ୟ ସାମିଲ ଥିଲେ | ସୁପ୍ରିମକୋର୍ଟ ନିଜ ଟିପ୍ପଣୀରେ କହିଥିଲେ ଯେ ଆଧାର କାର୍ଡ ନଥିବା କାରଣରୁ କୌଣସି ଭାରତୀୟଙ୍କୁ ସେମାନଙ୍କ ସୁବିଧାରୁ ବଂଚିତ କରାଯାଇପାରିବ ନାହିଁ | ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ମାମଲାରେ ମଧ୍ୟ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ବିଚାର କରୁଥିଲେ | ଏହି ଖଣ୍ଡପୀଠରେ ଜଷ୍ଟିସ ଏସଏ ବୋବଡେ ମଧ୍ୟ ସାମିଲ ଥିଲେ | ଏହି ମାମଲାରେ ମୁଖ୍ୟବିଚାରପତିଙ୍କୁ କ୍ଲିନଚିଟ୍ ଦିଆଯାଇଥିଲା। ସେହିପରି  ନଭେମ୍ବର ୨୦୧୬ ମସିହାରେ ସୁପ୍ରିମକୋର୍ଟ ଦିଲ୍ଲୀରେ ପ୍ରଦୂଷଣ ‌ରୋକିବାକୁ ବାଣ ବିକ୍ରି ଉପରେ ରୋକ ଲଗାଇଥିଲେ | ଏହି ରାୟ ପ୍ରକାଶରେ ସେ ସାମିଲ ଥିଲେ |

ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ ବିବାଦକୁ ନେଇ ଶୁଣାଣି କରୁଥିବା ୫ ଜଣ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ବୋବଡେ ସାମିଲ ଅଛନ୍ତି | ଏହି ମାମଲାର ଶୁଣାଣି ହୋଇସାରିଥିବାବେଳେ ଖୁବ ଶୀଘ୍ର ରାୟ ଆସିବ | ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୯ ବର୍ଷର ଏକ ପୁରୁଣା ନିଷ୍ପତ୍ତିକୁ ମଧ୍ୟ କାୟମ ରଖିଥିଲେ | କର୍ଣ୍ଣାଟକ ସରକାର ‘ବାସବ ବଚନ ଦୀପ୍ତି’ ନାମକ ପୁସ୍ତକକୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଏହି ନିଷ୍ପତ୍ତି ଜଷ୍ଟିସ ଏସଏ ବୋବଡେଙ୍କ ଖଣ୍ଡପୀଠ ଶୁଣାଇଥିଲେ |

ସମ୍ବନ୍ଧିତ ଖବର