କୁଏତ ସୁପରମାର୍କେଟ୍ରେ ଭାରତୀୟ ସାମଗ୍ରୀକୁ ବର୍ଜନ
ପାକିସ୍ତାନ, ଓଆଇସି ବିରୋଧରେ ବର୍ଷିଲା ଭାରତ
ନୂ୍ଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଇସଲାମିକ୍ ଦେଶ ଏବଂ ବିଶେଷ କରି ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏଭଳି ଟିପ୍ପଣୀର ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଭାରତ ସରକାର ଉପରେ ଚାପ ପକାଇବା ଆରମ୍ଭ କରିଦେଇଛନ୍ତି। ଗତକାଲି କୁଏତ, କତର, ଓମାନ ଏବଂ ଇରାନ ଏହାର ନିନ୍ଦା କରିଥିବା ବେଳେ ଆଜି ସାଉଦି ଆରବ, ବାହାରିନ, ୟୁଏଇ, ଜର୍ଡାନ, ଆଫଗାନିସ୍ତାନ, ମାଳଦୀପ ଏବଂ ଇଣ୍ଡୋନେସିଆ ଏଥିରେ ଯୋଡ଼ି ହୋଇଛନ୍ତି। ସେମାନେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡାକି ପ୍ରତିବାଦ ଜଣାଇବା ସହିତ ଭାରତ ସରକାରଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ସଂପୃକ୍ତ ନେତାଙ୍କ ଏଭଳି ଟିପ୍ପଣୀକୁ ସରକାର ସମର୍ଥନ କରୁ ନାହାନ୍ତି ଏବଂ ବିବାଦୀୟ ମନ୍ତବ୍ୟ ଦେଇଥିବା କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଭାରତ ସରକାରଙ୍କ ସ୍ପଷ୍ଟୀକରଣକୁ ସେମାନେ ସ୍ବାଗତ କରିଛନ୍ତି। ତେବେ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। କେବଳ ଏତିକି ନୁହେଁ, ଆରବ ଦେଶମାନଙ୍କରେ ଭାରତୀୟ ସାମଗ୍ରୀ ବର୍ଜନ ପାଇଁ ଚାଲିଥିବା ଅଭିଯାନ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।
ପରିସ୍ଥିତିର ମୁକାବିଲା ଲାଗି ଭାରତ ପକ୍ଷରୁ କୂଟନୈତିକ ସ୍ତରରେ ଉଦ୍ୟମ ଚାଲିଥିବା ବେଳେ ଆଜି ବୈଦେଶିକ ବିଭାଗ ପକ୍ଷରୁ ଆଉ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି। ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି ଯେ ଆପତ୍ତିଜନକ ମନ୍ତବ୍ୟକୁ ଭାରତ ସରକାର ସମର୍ଥନ କରୁ ନାହାନ୍ତି। ଯେଉଁମାନେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ସେମାନଙ୍କ ବିରୋଧରେ ସଂପୃକ୍ତ ଦଳ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
/sambad/media/post_attachments/wp-content/uploads/2022/06/arindam-300x150.jpg)
ଏହାପୂର୍ବରୁ ସାଉଦି ଆରବ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ବିବୃତି ଜାରି କରାଯାଇ ବିଜେପି କର୍ମକର୍ତ୍ତାଙ୍କ ଟିପ୍ପଣୀକୁ କଡ଼ା ନିନ୍ଦା କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ବିଜେପି ମୁଖପାତ୍ର ଦେଇଥିବା ଟିପ୍ପଣୀ ପ୍ରଫେଟ ମହମ୍ମଦଙ୍କୁ ଅପମାନିତ କରିଛି। ତେବେ ଆପତ୍ତିଜନକ ମନ୍ତ୍ୟବ ଦେଇଥିବା ବିଜେପି ନେତା ନୂପୁର ଶର୍ମା ଏବଂ ନବୀନ
କୁମାର ଜିନ୍ଦଲଙ୍କ ବିରୋଧରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ସାଉଦି ଆରବ, ବାହରିନ, କତାର ଏବଂ କୁଏତ ସ୍ବାଗତ କରିଛନ୍ତି। ତଥାପି ସେମାନଙ୍କ ଟିପ୍ପଣୀ ପାଇଁ ଭାରତ କ୍ଷମା ପ୍ରାର୍ଥନା କରୁ ବୋଲି କତାର, ସାଉଦି ଆରବ, ଓମାନ୍, ୟୁଏଇ ଏବଂ ଇରାନ୍ ଦାବି କରିଛନ୍ତି।
ଗୋଟିଏ ପଟେ ଭାରତ ସରକାର ଏହି ସ୍ଥିତିର ମୁକାବିଲା ପାଇଁ ତ୍ବରିତ କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ବେଳେ ଅନ୍ୟପକ୍ଷେ ପାକିସ୍ତାନ ଏବଂ ଓଆଇସି (ଅର୍ଗାନାଇଜେସନ୍ ଅଫ ଇସଲାମିକ କୋଅପରେସନ୍) ପ୍ରଫେଟ୍ଙ୍କ ବିରୋଧରେ ଟିପ୍ପଣୀ ପାଇଁ ଭାରତର ନିନ୍ଦା କରିଥିବାରୁ ଭାରତ ଏହାର ତୀବ୍ର ବିରୋଧ କରିଛି। ପାକିସ୍ତାନ ଭାରତର ରାଷ୍ଟ୍ରଦୂତଙ୍କୁ ସମନ୍ କରିଥିବାରୁ ଭାରତ ପାକିସ୍ତାନ ଉପରେ ବର୍ଷିଛି। ଭାରତର ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ଲଗାତାର ଭାବେ ସଂଖ୍ୟାଲଘୁ ଅଧିକାର ଉଲ୍ଲଂଘନ କରୁଥିବା ରାଷ୍ଟ୍ର ଅନ୍ୟ ରାଷ୍ଟ୍ରରେ ସଂଖ୍ୟାଲଘୁଙ୍କ ପ୍ରତି ଦେଖାଯାଉଥିବା ବ୍ୟବହାର ସଂକ୍ରାନ୍ତରେ କିଛି ଟିପ୍ପଣୀ ରଖିବା ହାସ୍ୟାସ୍ପଦ। ପାକିସ୍ତାନ ଦ୍ବାରା ହିନ୍ଦୁ, ଶିଖ୍ , ଖ୍ରୀଷ୍ଟିଆନଙ୍କ ସମେତ ସଂଖ୍ୟାଲଖୁଙ୍କୁ ଯେଭଳି ବ୍ୟବସ୍ଥିତ ନିର୍ଯାତନା ଦିଆଯାଉଛି ତାହା ସାରା ବିଶ୍ବ ଦେଖୁଛି। ତେଣୁ ପାକିସ୍ତାନ ଭାରତରେ ସାମ୍ପ୍ରଦାୟିକ ଐକ୍ୟ ଭାବନା ନଷ୍ଟ ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ନିଜ ରାଷ୍ଟ୍ରର ସଂଖ୍ୟାଲଘୁ ସମ୍ପ୍ରଦାୟର ମଙ୍ଗଳ ଉପରେ ଗୁରୁତ୍ବ ଦେବା ଉଚିତ୍।
/sambad/media/post_attachments/wp-content/uploads/2022/06/oic-300x181.jpg)
ସେହିଭଳି ପ୍ରଫେଟଙ୍କ ବିରୋଧରେ ଟିପ୍ପଣୀ ପାଇଁ ଓଆଇସି ଭାରତକୁ ସମାଲୋଚନା କରିଥିବାରୁ ଭାରତ ପୃଥକ୍ ଭାବେ ଓଆଇସି ବିରୋଧରେ ବର୍ଷିଛି। ଏହି ପ୍ରସଙ୍ଗରେ ଓଆଇସି ଦେଇଥିବା ଟିପ୍ପଣୀ ଅଯୌକ୍ତିକ ଏବଂ ସକୀର୍ଣ୍ଣ ମାନସିକତା ବୋଲି ଭାରତ କହିଛି। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦ୍ବାରା ଏହି ଅପମାନଜନକ ଟିପ୍ପଣୀ ଦିଆଯାଇଛି। ଏହା ଭାରତ ସରକାରଙ୍କ ମତ ନୁହେଁ ବୋଲି ବାଗ୍ଚି କହିଛନ୍ତି ଏବଂ ଏଥିସହ ଓଆଇସିର ଟିପ୍ପଣୀକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରଫେଟଙ୍କ ବିରୋଧରେ ଟିପ୍ପଣୀ ପାଇଁ ଓଆଇସି ସଚିବାଳୟ ଭାରତର ନିନ୍ଦା କରିବା ସହ ଜାତିସଂଘ ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ବୋଲି କହିଥିଲା। ଭାରତ ଏହାକୁ ତୀବ୍ର ବିରୋଧ କରିଛି।
ସୂଚନାଯୋଗ୍ୟ ଯେ କୁଏତ, କତର, ସାଉଦି ଆରବ, ଓମାନ, ବାହାରିନ ପ୍ରଭୃତି ଦେଶମାନଙ୍କୁ ନେଇ ଗଠିତ ଗଲ୍ଫ ସହଯୋଗ ପରିଷଦ ‘ଜିସିସି’ ସହିତ ଭାରତର ଅର୍ଥନୈତିକ ସଂପର୍କ ରହିଛି। ଗତ ଆର୍ଥିକ ବର୍ଷରେ ଏମାନଙ୍କ ସହିତ ଭାରତ ୯ ହଜାର କୋଟି ଡଲାରର କାରବାର କରିଥିଲା। ଏହାବ୍ୟତୀତ ଏହି ଦେଶମାନଙ୍କରେ ଲକ୍ଷ ଲକ୍ଷ ଭାରତୀୟ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ଦେଶମାନଙ୍କ ସହିତ ଭାରତର ସଂପର୍କ ମଜବୁତ ହୋଇଛି।