ନୂଆଦିଲ୍ଲୀ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ବ୍ୟାପକ ପରୀକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ଯେ କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ‘ରେମ୍ଡେସଭିର’ ଆଦୌ ଫଳପ୍ରଦ ହେଉନାହିଁ। ଏହା ସଂକ୍ରମଣ ଦିବସ କମାଇବାରେ ସଫଳ ହେଉନାହିଁ କି ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରୁନି ବୋଲି ହୁ ସ୍ପଷ୍ଟ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ‘ସଲିଡାରିଟି ଟ୍ରାଏଲ୍’ରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏଥିରେ ରେମ୍ଡେସ୍ଭିର ସମେତ ୪ଟି ଔଷଧର ପରୀକ୍ଷଣ ହୋଇଥିଲା। ସେଗୁଡ଼ିକ ହେଲା ହାଇଡ୍ରୋକ୍ସିକ୍ଲୋରୋକ୍ବିନ, ଏଣ୍ଟି-ଏଚ୍ଆଇଭି ଡ୍ରଗ୍ ଲୋପିନାଭିର/ରେଟୋନାଭିର୍ ଏବଂ ଇଣ୍ଟରଫେରାନ୍ । ଏହି ସମସ୍ତ ଔଷଧ ପରୀକ୍ଷଣରେ ବିଫଳ ହୋଇଛି।ଏହି ପରୀକ୍ଷଣ ୩୦ରୁ ଅଧିକ ଦେଶରେ ୧୧୨୬୬ ଜଣ ରୋଗୀଙ୍କଠାରେ ହୋଇଥିଲା। ଏଥିରେ ରେମ୍ଡେସଭିର ରିପୋର୍ଟ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଏହି ଔଷଧ ଏବଂ ଇଂଜେକ୍ସନକୁ ନେଇ ବ୍ୟାପକ ଚର୍ଚ୍ଚା ହେଉଥିବା ବେଳେ ଅସଲରେ ଏହାର ଉପଯୋଗୀତା ବହୁତ କମ୍ ବୋଲି ଜଣାପଡ଼ିଛି।
ଆମେରିକାର ଔଷଧ କମ୍ପାନି ଗିଲିୟନ ସାଇନ୍ସେସ ଦ୍ବାରା ରେମ୍ଡେସ୍ଭିର ଇବୋଲାର ଚିକିତ୍ସା ପାଇଁ ବିକିଶତ କରାଯାଇଥିଲା। ଏବେ ଏହାକୁ କରୋନା ଚିକିତ୍ସା ପାଇଁ ବ୍ୟାପକ ଭାବେ ବ୍ୟବହାର କରାଯାଉଛି। ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରୋନା ସଂକ୍ରମିତ ହୋଇଥିବା ବେଳେ ତାଙ୍କୁ ରେମ୍ଡେସ୍ଭିର ଦିଆଯାଇଥିଲା। ତେବେ ହୁ ପରୀକ୍ଷଣ ରିପୋର୍ଟ ଆସିବା ପରେ ଏବେ କମ୍ପାନିର ଚିନ୍ତା ବଢ଼ିଯାଇଛି। ଭାରତରେ ମଧ୍ୟ ରେମ୍ଡେସଭିର ଏବଂ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବ୍ୟବହାରକୁ ନେଇ ବଡ଼ ଦ୍ବନ୍ଦ୍ବ ରହିଛି।