ରେମଡେସିଭିର କମାଉଛି କୋଭିଡ୍ ମୃତ୍ୟୁ ଆଶଙ୍କା

ନ୍ୟୁୟର୍କ: ଭୁତାଣୁ ପ୍ରତିରୋଧୀ ଇଞ୍ଜେକ୍ସନ ରେମଡେସିଭିର ଗୁରୁତର କୋଭିଡ୍-୧୯ ରୋଗୀଙ୍କ ମୃତ୍ୟୁ ଆଶଙ୍କା କମାଉଥିବା ଏକ ଅନୁଧ୍ୟାନ ଜଣାପଡ଼ିଛି ବୋଲି ଏହାର ପ୍ରସ୍ତୁତକର୍ତ୍ତା ଆମେରିକୀୟ ଭେଷଜ କମ୍ପାନି ଜିଲିଆଡ୍‌ ସାଇନ୍ସେସ ପକ୍ଷରୁ ଶୁକ୍ରବାର କୁହାଯାଇଛି। ତେବେ ଏହାର ଅନୁକୂଳ ଫଳପ୍ରଦତା ସମ୍ପର୍କରେ ଆହୁରି ଅଧିକ ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ରହିଛି ବୋଲି କମ୍ପାନି ସତର୍କ କରାଇ ଦେଇଛି। ସୂଚନା ଥାଉ କି, ଏହି ଇଞ୍ଜେକ୍ସନ୍‌କୁ ଡାକ୍ତରଖାନାରେ ଚିକିତ୍ସାଧୀନ ଗୁରୁତର କୋଭିଡ୍‌ ରୋଗୀଙ୍କ ଠାରେ ପ୍ରୟୋଗ କରିବାରେ ସେମାନଙ୍କ ଆରୋଗ୍ୟ ହାର ବଢ଼ିବା ସହ ଆରୋଗ୍ୟଲାଭ ଅବଧି ମଧ୍ୟ କମିଥିବା ଜଣାପଡ଼ିଛି। ଜିଲିଆଡ୍‌ ପକ୍ଷରୁ ୩୧୨ ଜଣ ରୋଗୀଙ୍କ ଠାରେ ୫ ଦିନିଆ ଓ ୧୦ ଦିନିଆ ମାତ୍ରାର ଅନୁଧ୍ୟାନ କରିବାରେ ଆଶାନୁରୂପ ଫଳାଫଳ ମିଳିଛି।

ସେଥିରୁ ରେମଡେସିଭିର ଇଞ୍ଜେକ୍ସନ ନେଇଥିବା ରୋଗୀଙ୍କ ମଧ୍ୟରୁ ୭୪.୪ ପ୍ରତିଶତ ଚତୁର୍ଦ୍ଦଶ ଦିବସରେ ହିଁ ସୁସ୍ଥ ହୋଇଥିବା ବେଳେ ରେମଡେସିଭିର ନେଇନଥିବା ରୋଗୀଙ୍କ ଭିତରୁ ୫୯ ପ୍ରତିଶତ ରୋଗୀ ୨୮ ଦିନ ପରେ ସୁସ୍ଥ ହୋଇଥିବା ଜଣାଯାଇଛି। ସେହିପରି ରେମଡେସିଭିର ନେଇଥିବା ରୋଗୀଙ୍କର ମୃତ୍ୟୁହାର ମାତ୍ର ୭.୬ ପ୍ରତିଶତ ହୋଇଥିବା ବେଳେ ରେମଡେସିଭିର ନେଇନଥିବା ରୋଗୀଙ୍କ କ୍ଷେତ୍ରରେ ତାହା ସାଢ଼େ ୧୨ ପ୍ରତିଶତ ବୋଲି ଜଣାଯାଇଛି। ସେହିପରି ଗତ ଏପ୍ରିଲ ମାସରେ ଆମେରିକା ସରକାର କରିଥିବା ପରୀକ୍ଷା ନିରୀକ୍ଷାରୁ ରେମଡେସିଭିର ନେଇଥିବା କୋଭିଡ୍‌ ରୋଗୀଙ୍କର ଆରୋଗ୍ୟ ଅବଧି ୩୧ ପ୍ରତିଶତ ଦ୍ରୁତତର ଅର୍ଥାତ୍ ସେମାନେ ଶ୍ରୀଘ୍ର ସୁସ୍ଥ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର