‘ପିଏମ ମୋଦୀଙ୍କ ଫଟୋ ଆମ ଅଫିସିଆଲ ଇମେଲରୁ ହଟାଅ’: ଏନ୍‌ଆଇସିକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ କେନ୍ଦ୍ର କରି ସୃଷ୍ଟି ହୋଇଛି ବିବାଦ ଓ ବତର୍କ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟର ଅଫିସିଆଲ ଇମେଲରେ ଏକ ଫୁଟର୍‌ ଭାବରେ ନିଆଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ସହ ‘ସାବକା ସାଥ, ସାବକା ବିକାଶ…’ ସ୍ଲୋଗାନ ନଜର ଆସିବା ପରେ ଏହି ବିବାଦ ସୃଷ୍ଟି ହୋଇଛି। ଏଘଟଣା ନଜରକୁ ଆସିବା ପରେ ସୁପ୍ରିମ୍‌କୋର୍ଟ ତୁରନ୍ତ ଏହାକୁ ହଟାଇବାକୁ ରାଷ୍ଟ୍ରୀୟ ସୂଚନା କେନ୍ଦ୍ର (ଏନ୍‌ଆଇସି)କୁ ନିର୍ଦ୍ଦେଶ ଦେଇିଛନ୍ତି। ଏନ୍‌ଆଇସିକୁ ନିର୍ଦ୍ଦେଶ ଦେଇ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଓ ସ୍ଲୋଗାନ୍‌ ବଦଳରେ ଇମେଲ ଫୁଟର୍‌ରେ ସୁପ୍ରମ୍‌କୋର୍ଟର ଏକ ପ୍ରତିଛବି ଦିଆଯିବା ଉଚିତ।

ଉଲ୍ଲେଖଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଭାରତର ସର୍ବୋଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରି ନୋଟିସକୁ ଅଣାଯାଇଥିଲା ଯେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ସରକାରୀ ଇମେଲଗୁଡ଼ିକ ଫୁଟର୍‌ ଭାବରେ ଏକ ପ୍ରତିଛବି ବହନ କରୁଥିଲା ଯେଉଁଥିରେ ନ୍ୟାୟପାଳିକାର କାର୍ଯ୍ୟକଳାପ ସହିତ କୌଣସି ପ୍ରକାରର ସମ୍ପର୍କ ନାହିଁ। ଏହାପରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ତେବେ, ଏହା ପ୍ରଥମ ଘଟଣା ନୁହେଁ; ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ବିବାଦ ମଧ୍ୟରେ ଫସିଛି। କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଛବି ରଖିବା ନିଷ୍ପତ୍ତି ମଧ୍ୟ ବିବାଦ ସୃଷ୍ଟି କରିଥିଲା। ଏହା ପୂର୍ବରୁ ବହୁ ବିରୋଧୀ ଦଳ ବିଶେଷ କରି ସେହି ରାଜ୍ୟ ଯେଉଁମାନେ ନିକଟରେ ମତଦାନକୁ ଯାଇଥିଲେ ସେମାନେ ଟିକା ପ୍ରମାଣପତ୍ରରେ ପିଏମ ମୋଦୀଙ୍କ ପ୍ରତିଛବି ବ୍ୟବହାରକୁ ବିରୋଧ କରି ଏହାକୁ ଭୋଟରଙ୍କୁ ପ୍ରଭାବିତ କରିବାର ପ୍ରୟାସ ବୋଲି କହିଥିଲେ।
ସେହିପରି ରାଜ୍ୟସଭା ନିର୍ବାଚନ ପୂର୍ବରୁ, ନିର୍ବାଚନ ଆୟୋଗ ସମସ୍ତ ପେଟ୍ରୋଲ ଆଉଟଲେଟ୍‌ ଏବଂ ଅନ୍ୟାନ୍ୟ ଏଜେନ୍‌ସିମାନଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକର ବିଜ୍ଞାପନ ତଥା ପିଏମ ମୋଦୀଙ୍କ ଚିତ୍ର ବହନ କରିବା ଘଟଣାକୁ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି ଦର୍ଶାଇବା ସହ ଏହାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର