ଦେଶରୁ ପାବ୍‌ଲୋ ଏସ୍କୋବାର୍‌ଙ୍କ ଜଳହସ୍ତୀ ହଟାଇବାକୁ ୩.୫ ନିୟୁତ ଡଲାର୍‌ ବ୍ୟୟ କରିବ କଲମ୍ବିଆ; ଭାରତକୁ ଆସିବେ ୬୦ ଜଳହସ୍ତୀ

ବୋଗୋତା(କଲମ୍ବିଆ): ବିଦେଶରେ ଥିବା ଅଭୟାରଣ୍ୟଗୁଡ଼ିକୁ ୭୦ଟି ଜଳହସ୍ତୀ ସ୍ଥାନାନ୍ତର କରିବା ଲାଗି ପ୍ରସ୍ତୁତି ଚଳାଇଥିବା କଥା ବୁଧବାର ଦିନ କଲମ୍ବିଆ କହିଛି।

କିନ୍ତୁ, ମୃତ କୁଖ୍ୟାତ ଡ୍ରଗ୍‌ ବ୍ୟବସାୟୀ ପାବ୍‌ଲୋ ଏସ୍କୋବାର୍‌ ଆଣିଥିବା ଏହି ଜନ୍ତୁଙ୍କୁ ଦେଶରୁ ହଟାଇବା ଲାଗି କଲମ୍ବିଆକୁ ୩.୫ ନିୟୁତ ଡଲାର୍‌ ବ୍ୟୟ କରିବାକୁ ପଡୁଛି।

ସୂଚନାଯୋଗ୍ୟ, ୧୯୮୦ ଦଶକର ଶେଷ ଆଡ଼କୁ କୋକେନ୍‌ ବ୍ୟବସାୟୀ ପାବ୍‌ଲୋ ଏସ୍କୋବାର୍‌ ଆଫ୍ରିକୀୟ ଜନ୍ତୁରୁ (ଜଳହସ୍ତୀ)  ଅଳ୍ପ କେତୋଟି କଲମ୍ବିଆକୁ ଆଣିଥିଲେ। କିନ୍ତୁ, ୧୯୯୩ରେ ଏସ୍କାବାର୍‌ଙ୍କ ମୃତ୍ୟୁ ପରେ ସେ ଆଣିଥିବା ଜଳହସ୍ତୀଗୁଡ଼ିକ ‘ଆଣ୍ଟିଆକ୍ବିଆ ବିଭାଗ’ର ଉଷ୍ମ ପାଟରେ (ପାଣି ଜମୁଥିବା ବିସ୍ତୃତ ବିଲ ବା ପ୍ରାନ୍ତର) ଅବାଧରେ ଚରାବୁଲା କଲେ। ତାଙ୍କର ସଂଖ୍ୟା ବି ବୃଦ୍ଧି ପାଇଲା। ଜଳହସ୍ତୀ ସଂଖ୍ୟା ନିୟନ୍ତ୍ରଣ କରିବା ଲାଗି କଲମ୍ବିଆ ଜନ୍ମନିରୋଧ ଅଭିଯାନ ଚଳାଇଲା, କିନ୍ତୁ ତାହା ସଫଳ ହେଲାନାହିଁ।

Image Courtesy of NDTV

ଜଳହସ୍ତୀ ସଂଖ୍ୟା ନିୟନ୍ତ୍ରଣ କରିବାରେ ପରିବେଶ କର୍ତ୍ତୃପକ୍ଷମାନେ ବି ଅସହାୟ ହୋଇପଡ଼ିଲେ। ଏବେ ଏହି ଜଳହସ୍ତୀଙ୍କ ସଂଖ୍ୟା ୧୫୦ରେ ପହଞ୍ଚିଲାଣି।

ଆଗାମୀ ମାସମାନଙ୍କରେ ଅର୍ଦ୍ଧେକ ଜଳହସ୍ତୀଙ୍କୁ ଧରି ବିଦେଶକୁ ପଠାଇବା ପାଇଁ ଯୋଜନା କରାଯାଉଥିବା କଥା କଲମ୍ବିଆ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ସେଥିରୁ ୧୦ଟି ଜଳହସ୍ତୀ ଉତ୍ତର ମେକ୍ସିକୋର ଓସ୍ତୋକ୍‌ ଅଭୟାରଣ୍ୟକୁ ପଠାଯିବ। ସେହିପରି, ଭାରତରେ ଥିବା ଅଭୟାରଣ୍ୟକୁ ମଧ୍ୟ ୬୦ଟି ଜଳହସ୍ତୀ ପଠାଯିବ। କିନ୍ତୁ, ଭାରତର କେଉଁ ଅଭୟାରଣ୍ୟକୁ ସେମାନଙ୍କୁ ପଠାଯିବ, ତାହା ଜଣାପଡ଼ିନାହିଁ।

ସାମ୍ବାଦିକମାନଙ୍କୁ ଓସ୍ତୋକ୍‌ ଅଭୟାରଣ୍ୟର ମାଲିକ ଏର୍ଣ୍ଣେଷ୍ଟୋ ଜାଜୁଏଟା କହିଛନ୍ତି, ସମଗ୍ର ଅଭିଯାନ ପାଇଁ ପ୍ରାୟ ୩.୫ ନିୟୁତ ଡଲାର୍‌ ବ୍ୟୟ ହେବ।

ସମ୍ବନ୍ଧିତ ଖବର