ଫ୍ରାନ୍ସ ଆତଙ୍କବାଦୀ ଆକ୍ରମଣ ଘଟଣା, ଆଉ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଲା ପୁଲିସ୍

ପ୍ୟାରିସ୍ : ଗତ କାଲି ଫ୍ରାନ୍ସର ସହର  ନାଇସର ଏକ ଚର୍ଚ୍ଚରେ ହୋଇଥିବା  ଆତଙ୍କବାଦୀ ଆକ୍ରମଣ ସହ ସଂପୃକ୍ତ ଏକ ୪୭ ବର୍ଷୀୟ ବ୍ୟକ୍ତିକୁ ଅଟକ ରଖି ପଚରାଉଚୁରା କରୁଛି ଫ୍ରାନ୍ସ ପୁଲିସ । ଯେଉଁ ସଂଦିଗ୍ଧ ବ୍ୟକ୍ତି ଛୁରା ମାଡ଼ କରି ୩ ଜଣଙ୍କୁ ହତ୍ୟା କରିଥିଲା, ସେ ଏହି ୪୭ ବର୍ଷୀୟ ବ୍ୟକ୍ତିର ସମ୍ପର୍କରେ ଥିଲା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ।

ଏହି ଘଟଣାରେ ଆଉ କିଛି ବ୍ୟକ୍ତି ସଂପୃକ୍ତ ଥିବା ପୁଲିସ ସଂଦେହ କରୁଛି । ତେବେ ଏହି ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ଅନ୍ୟପକ୍ଷରେ ଛୁରା ମାଡ଼ କରିଥିବା ବ୍ୟକ୍ତିର ନାମ ବ୍ରାହିମ ଓୟୁସୋଇ ବୋଲି ଜଣାପଡ଼ିଛି । ସେ ନାଇସର ନୋଟ୍ରେ ଡେମ ଚର୍ଚ୍ଚରେ  ପ୍ରବେଶ କରିବାବେଳେ ତା ହାତରେ ଏକ ଧର୍ମଗ୍ରନ୍ଥ, ଦୁଇଟି ଫୋନ ଓ ୩ଟି ଛୁରୀ ଥିଲା । ସେ ସ୍ଥାନୀୟ ସମୟ ସକାଳ ସାଢେ ୮ଟା ବେଳେ ଚର୍ଚ୍ଚରେ ପ୍ରବେଶ କରିବା ପରେ ପ୍ରଥମେ ସାମନାରେ ପଡ଼ିଥବା ୬୦ ବର୍ଷୀୟ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା କରିଥିଲା । ଏହାପରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଛୁରୀ ଭୂସି ହତ୍ୟା କରିଥିଲା । ଆଉ ଜଣେ ୪୪ ବର୍ଷୀୟ ମହିଳା ଆହତ ହେବା ସତ୍ତ୍ବେ ପଳାୟନ କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଏକ ଆତଙ୍କବାଦୀ ଘଟଣା ବୋଲି ଫ୍ରାନ୍ସ ସରକାର କହିଛନ୍ତି ।

ସମ୍ବନ୍ଧିତ ଖବର