ନୂଆଦିଲ୍ଲୀ : ଆଗାମୀ ଦିନରେ ରାଜ୍ୟଗୁଡ଼ିକ ନିଜ ଆବଶ୍ୟକତାର ୨୫% ବିଦ୍ୟୁତ ଅକ୍ଷୟ ଶକ୍ତିରୁ ବାଧ୍ୟତାମୂଳକ ଭାବେ କିଣିବାକୁ ପଡ଼ିବ। କେନ୍ଦ୍ର ସରକାର ଚିଠା ବିଦ୍ୟୁତ ବିଲ୍ ୨୦୨୧ରେ ସେଥିପାଇଁ ବ୍ୟବସ୍ଥା କରିଛନ୍ତି। ସୌର, ପବନ ଓ ଜଳ ବିଦ୍ୟୁତ କ୍ଷେତ୍ରରୁ ସେହି ବିଦ୍ୟୁତ ଶକ୍ତି କିଣିବାକୁ ହେବ। ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ୍‌କୁ ଉପସ୍ଥାପନ କରାଯିବ। ପ୍ରଥମ ଥର ଲାଗି ରାଜ୍ୟଗୁଡ଼ିକୁ ବାଧ୍ୟତାମୂଳକ ଭାବେ ନିର୍ଦିଷ୍ଟ ପରିମାଣର ଅକ୍ଷୟ ଶକ୍ତି କିଣିବା ଲାଗି କୁହାଯିବ।

Advertisment

୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତିରୁ ୫୦୦ ଗିଗାୱାଟ୍ ବିଦ୍ୟୁତ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଗତବର୍ଷ ଗ୍ଲାସ୍‌ଗୋରେ ହୋଇଥିବା ଜଳବାୟୁ ସମ୍ମିଳନୀରେ ଭାରତ ଏହାର ସଂକଳ୍ପ ଉପସ୍ଥାପନ କରିଥିଲା। ଅକ୍ଷୟ ଶକ୍ତି କିଣିବା ଲାଗି ଧାର୍ଯ୍ୟ କରାଯିବାକୁ ଥିବା ଲକ୍ଷ୍ୟ ହାସଲରେ ଯେଉଁ ରାଜ୍ୟ ବିଫଳ ହେବେ ସେମାନଙ୍କ ଉପରେ ଜରିମାନା ଲଗାଇବା ଲାଗି ମଧ୍ୟ ବିଦ୍ୟୁତ ନିୟମ ୨୦୨୧ରେ ବ୍ୟବସ୍ଥା ରହିବ। ୨୦୨୩ରୁ ୨୦୩୦ ଭିତରେ ଅକ୍ଷୟ ଶକ୍ତି କିଣିବା ହାରକୁ ୨୪.୬୧ ପ୍ରତିଶତରୁ ବଢ଼ାଇ ୪୩.୩୩ ପ୍ରତିଶତ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଶକ୍ତି ସଂରକ୍ଷଣ ଲାଗି ମଧ୍ୟ ପ୍ରଥମ ଥର ପାଇଁ ବ୍ୟବସ୍ଥା କରାଯାଇଛି। ଚଳିତ ଦଶନ୍ଧିରେ ଏହି ହାରକୁ ୧-୪ ପ୍ରତିଶତ ମଧ୍ୟରେ ରଖାଯିବ।

publive-image smart-energy.com

ଯେଉଁ ରାଜ୍ୟଗୁଡ଼ିକ ଆବଶ୍ୟକ ପରିମାଣର ଅକ୍ଷୟ ଶକ୍ତି କିଣିବାରେ ଅସୁବିଧା ସାମ୍ନା କରିବେ ସେମାନେ ବଳକା ରାଜ୍ୟଗୁଡ଼ିକ ଠାରୁ କିମ୍ବା ଶକ୍ତି ଟ୍ରେଡିଂ ପ୍ଲାଟଫର୍ମରୁ ଆର୍‌ଇ ସାର୍ଟିଫିକେଟ୍ କିଣିପାରିବେ। ବିଦ୍ୟୁତ କ୍ଷେତ୍ରର ନିୟାମକ ସଂସ୍ଥା କେନ୍ଦ୍ରୀୟ ବିଦ୍ୟୁତ ନିୟାମକ କମିସନ ପ୍ରତିବର୍ଷ ସେହି ସାର୍ଟିଫିକେଟ୍‌ର ମୂଲ୍ୟ ନିର୍ଧାରଣ କରିବେ। ଲୋକସଭାରେ ଉପସ୍ଥାପନ ହୋଇଥିବା ରିପୋର୍ଟ ଅନୁସାରେ ପାଞ୍ଚଟି ରାଜ୍ୟକୁ ବାଦ ଦେଲେ ଅନ୍ୟ କୌଣସି ରାଜ୍ୟ ଅକ୍ଷୟ ଶକ୍ତି କିଣିବାଲକ୍ଷ୍ୟ ହାସଲ କରିପାରିନାହାନ୍ତି। ଗତ ତିନି ଆର୍ଥିକ ବର୍ଷରେ ଏହି ହାର ଯଥାକ୍ରମେ ୧୭%, ୧୯ ପ୍ରତିଶତ ଓ ୨୧ ପ୍ରତିଶତ ରହିଛି। କେବଳ ଗୁଜରାଟ, କର୍ଣ୍ଣାଟକ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ନିର୍ଧାରିତ ଲକ୍ଷ୍ୟ ହାସଲ କରିପାରିଛନ୍ତି।

୨୦୧୦ ପରଠାରୁ ଅକ୍ଷୟ ଶକ୍ତି କିଣିବା ଲାଗି ରାଜ୍ୟଗୁଡ଼ିକ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପାଞ୍ଚଟି ରାଜ୍ୟକୁ ବାଦ ଦେଲେ କୌଣସି ବର୍ଷରେ ଅନ୍ୟ ରାଜ୍ୟଗୁଡ଼ିକ ସେହି ଲକ୍ଷ୍ୟ ହାସଲ କରିପାରିନାହାନ୍ତି। ଯେହେତୁ ସୌର ଓ ପବନ ଶକ୍ତି ଉତ୍ପାଦନରେ ବୃଦ୍ଧି ହୋଇଛି ସେଥିପାଇଁ ଅକ୍ଷୟ ଶକ୍ତି କିଣିବା ଲକ୍ଷ୍ୟକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ବିଦ୍ୟୁତ ନିୟମ ୨୦୦୩ରେ କରାଯାଇଥିବା ସଂଶୋଧନ ଅନୁସାରେ ଅକ୍ଷୟ ଶକ୍ତି କିଣିବା ଲକ୍ଷ୍ୟ ହାସଲରେ ବିଫଳ ହେଉଥିବା ରାଜ୍ୟଗୁଡ଼ିକ ଉପରେ ପ୍ରଥମ ବର୍ଷ ଖିଲାପ ପାଇଁ ୟୁନିଟ୍ ପିଛା ୨୫-୩୦ ପଇସା ଓ ପରବର୍ତୀ ବର୍ଷଗୁଡ଼ିକ ପାଇଁ ୟୁନିଟ୍ ପିଛା ୩୫-୫୦ ପଇସାର ଜରିମାନା ଲାଗୁ କରାଯିବ।

ଭାରତର ଅକ୍ଷୟ ଶକ୍ତି କ୍ଷମତା ଏବେ ୧୧୪ ଗିଗାୱାଟ୍ ରହିଛି। ସେଥିରୁ ୫୭ ଗିଗାୱାଟ୍ ସେସର ଓ ୪୦ ଗିଗାୱାଟ୍ ପବନ ଶକ୍ତି କଳରୁ ଆସୁଛି। ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତାକୁ ୧୭୫ ଗିଗାୱାଟ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଳକ୍ଷ୍ୟ ରଖାଯାଇଛି। ସେଥିରୁ ୧୦୦ ଗିଗାୱାଟ୍‌ ସୌର ଶକ୍ତିରୁ ଓ ବଳକା ବିଦ୍ୟୁତ ପବନ ଶକ୍ତି ଓ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପରୁ ଆସିବ।