ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ନବୀକରଣ ବାବଦରେ ଦିଲ୍ଲୀ ସରକାର ୪୫ କୋଟି ଖର୍ଚ୍ଚ କରିଥିବା ଅଭିଯୋଗ ନେଇ ବିଜେପି-ଆପ୍‌ ମୁହାଁମୁହିଁ ହୋଇଛନ୍ତି। କେଜ୍ରିୱାଲ ତାଙ୍କ ସରକାରୀ ବଙ୍ଗଳାର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୪୫ କୋଟି ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ପ୍ରତାରଣା କରିଛନ୍ତି। ରାଜନୀତିରେ ପ୍ରବେଶ କରିବା ସମୟରେ କେଜ୍ରିୱାଲ ଯେଉଁଭଳି ସାଧୁତା ଓ ସରଳତା ଦେଖାଉଥିଲେ ତାହା ସେ ବଜାୟ ରଖିନାହାନ୍ତି। ସମ୍ବିତ ପାତ୍ର କେଜ୍ରିୱାଲଙ୍କୁ ‘ମହାରାଜ’ କହି କଟାକ୍ଷ କରିଛନ୍ତି। ସେ କହିଛନ୍ତି, କେଜ୍ରିୱାଲଙ୍କ ଘରେ ଭିଏତନାମ ମାର୍ବଲ ଲାଗିଛି , କାନ୍ଥବାଡ଼ରେ ପାଣି ପରି ଅର୍ଥ ଖର୍ଚ୍ଚ ହୋଇଛି। ଏପରିକି ଘରେ ପରଦା ଲଗାଇବାକୁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ।

Advertisment

ଏହା ଜଣେ ଲଜ୍ଜାହୀନ ରାଜାଙ୍କ କାହାଣୀ ବୋଲି ଦର୍ଶାଇ ପ‌ାତ୍ର କହିଛନ୍ତି, କେଜ୍ରିୱାଲ ଏହି ଖବର ଦବାଇବା ପାଇଁ ଗଣମାଧ୍ୟମ ସଂସ୍ଥାକୁ ୨୦ରୁ ୫୦ କୋଟି ଟଙ୍କା ଅଫର୍‌ କରିଥିଲେ। କିନ୍ତୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକ କେଜ୍ରିୱାଲଙ୍କ ଅଫର ଗ୍ରହଣ କରିନଥିଲେ। ଏ ବାବଦରେ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ପାତ୍ର କହିଛନ୍ତି। ଅନ୍ୟପକ୍ଷେ ବିଜେପିକୁ ଜବାବ ଦେଇ ଆପ୍‌ ସାଂସଦ ସଂଜୟ ସିଂହ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ୮୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ଏବଂ ଏହାର ସଂପୂର୍ଣ୍ଣ ମରାମତି ଆବଶ୍ୟକ ଥିଲା। ଏଲ୍‌ଜିଙ୍କ ବାସଭବନ ନବୀକରଣ କାର୍ଯ୍ୟରେ ମଧ୍ୟ ୧୫ କୋଟି ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ ବାସଭବନରେ ମଧ୍ୟ ୫୦୦ କୋଟି ଟଙ୍କାଖର୍ଚ୍ଚ ହୋଇଛି । ପ୍ରଧାନମନ୍ତ୍ରୀ ୮,୪୦୦ କୋଟି ଟଙ୍କା ମୂଲ୍ୟର ବିମାନ ବି କିଣିଛନ୍ତି ବୋଲି ସଂଜୟ ସିଂହ କହିଛନ୍ତି। ସେ ‘ଶାହେନଶାହ-ଏ-ଆଲମ‘ ପରି ଜୀବନ ଜିଉଁଛନ୍ତି ବୋଲି ଆପ୍‌ ନେତା ସିଂହ କହିଛନ୍ତି।