ଏଣିକି ଭଡାରେ ମିଳିପାରିବ ପାୱାର ବ୍ୟାଙ୍କ, ଘଣ୍ଟା ପିଛା ୨୦ ଟଙ୍କା ଦେଇ ଚାର୍ଜ କରିପାରିବେ ଫୋନ

ବଦଳୁଛି ଦୁନିଆ ଆଉ ସ୍ମାର୍ଟଫୋନ ବିନା ଆଜିକାଲି ଅନେକଙ୍କୁ ଅସ୍ତବ୍ୟସ୍ତ ମଧ୍ୟ ଲାଗୁଛି | ତେବେ କୌଣସି ସ୍ଥାନକୁ ଯାଇଥିବାବେଳେ ଯଦି ଆପଣଙ୍କ ଫୋନର ବ୍ୟାଟେରିର ଚାର୍ଜ ସରିଯାଏ, ତେବେ ମୁଣ୍ଡକୁ ଚିନ୍ତା ଘାରିଥାଏ | ଆଉ ଚାର୍ଜର ନ ନେଇଥିଲେ ତ କଥା ସରିଲା | ଫୋନକୁ କିଭଳି ଚାର୍ଜ କରିପାରିବେ ସେହି ଚିନ୍ତାରେ ଆପଣ ଅସ୍ତବ୍ୟସ୍ତ ହୋଇଥାନ୍ତି | ତେବେ ଏସବୁ ଭିତରେ ଚାର୍ଜରର ବିକଳ୍ପ ଭାବେ ଭଡାରେ ପାୱାର ବ୍ୟାଙ୍କ ଆରମ୍ଭ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଲୋକାଲ ସର୍ଚ୍ଚ ଭାବେ ଜଣାଶୁଣା ଜଷ୍ଟ ଡାଏଲର ସହ ପ୍ରତିଷ୍ଠାତା ରମଣୀ ଆୟାର ଭାରତରେ ‘ସ୍ପାଇକେ’ ନାମକ ସର୍ଭିସର ଆରମ୍ଭ କରିଛନ୍ତି |

‘ସ୍ପାଇକେ’ ସର୍ଭିସ ଅଧୀନରେ ଜଣେ ବ୍ୟକ୍ତି ଭଡାରେ ପାୱାର ବ୍ୟାଙ୍କ ପାଇପାରିବେ | ‘ସ୍ପାଇକେ’ ଷ୍ଟେସନରୁ ଜଣେ ବ୍ୟକ୍ତି ପାୱାର ବ୍ୟାଙ୍କ ନେଇ ଯାଇପାରିବେ ଓ ଫୋନ ଚାର୍ଜ ହେବା ପରେ ଆପଣ ଏହାକୁ ଫେରାଇପାରିବେ | ‘ସ୍ପାଇକେ’ ପକ୍ଷରୁ ବର୍ତ୍ତମାନ ଭାରତର ୧୧ଟି ସହରର ୮ ହଜାରଟି ସ୍ଥାନରେ ପାୱାର ବ୍ୟାଙ୍କ ରେଣ୍ଟାଲ ସର୍ଭିସକୁ ଆରମ୍ଭ କରାଯାଇଛି | କମ୍ପାନୀ ପକ୍ଷରୁ ୨୦୨୪ ମଧ୍ୟରେ ୫ ଲକ୍ଷ ସ୍ଥାନରେ ୫୦ ଲକ୍ଷ ପାୱାର ବ୍ୟାଙ୍କ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖାଯାଇଛି | ଏହି ସର୍ଭିସ ଷ୍ଟେସନ ମେଟ୍ରୋ ଷ୍ଟେସନ, ବିମାନବନ୍ଦର, ସପିଙ୍ଗ ମଲ, ହୋଟେଲ, ହସ୍ପିଟାଲରେ ଉପଲବ୍ଧ କରାଯିବ |

ବର୍ତ୍ତମାନ ଏହି ସେବା ଦିଲ୍ଲୀ,ଜୟପୁର, ଚେନ୍ନାଇ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ବାଙ୍ଗାଲୋର, ଲଖନଉ, ପୁନେ ଛଡା ୬ଟି ସହରରେ ଉପଲବ୍ଧ ଅଛି | ଆଉ ଆଗାମୀ ଦିନରେ ଅନ୍ୟ ସହରରେ ଏହି ସେବା ଆରମ୍ଭ କରାଯିବ | ଘଣ୍ଟା ପ୍ରତି ୨୦ ଟଙ୍କା ସ୍ଥିର କରାଯାଇଥିବାବେଳେ ଦିନକୁ ଦିନ ଅଧିକ ବ୍ୟାଟେରୀ ସମ୍ପନ୍ନ ଫୋନ ଆସୁଥିବାବେଳେ ଏହା କେତେ ସଫଳ ହେବ ତାହା ଦେଖିବାର କଥା |

ସମ୍ବନ୍ଧିତ ଖବର