ମୁଜାଫରପୁରରେ ଶିଶୁ ମୃତ୍ୟୁର ପ୍ରକୃତ କାରଣ ଲିଚୁ ନୁହେଁ ଭୋକ: ରେଣୁକା ସାହାଣେ

ନୂଆଦିଲ୍ଲୀ : ଏଇ କିଛି ଦିନ ମଧ୍ୟରେ ବିହାରର ମୁଜାଫରପୁରରେ ଏନ୍‌ସେଫାଲାଇଟିସ୍‌ କାରଣରୁ ୧୧୩ରୁ ଅଧିକ ଶିଶୁ ମୃତ୍ୟୁବରଣ କଲେଣି । ଏହାକୁ ରୋକିବା ପାଇଁ ସରକାର ଏ ପର୍ଯ୍ୟନ୍ତ କୌଣସି ବାଟ ବାହାର କରି ପାରୁ ନଥିବା ବେଳେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଅନ୍ୟ ପକ୍ଷରେ ସରକାର ମୃତ୍ୟୁ ପଛର କାରଣ ଲିଚୁ ବେୋଲି କହି ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଅଭିନେତ୍ରୀ ରେଣୁକା ସାହାଣେ କିଛି ଅଲଗା ବୟାନ ଦେଇଛନ୍ତି । ତାଙ୍କ ଅନୁଯାୟୀ, ଲିଚୁ ପାଇଁ ନୁହେଁ ବରଂ ଭୋକ ଏବଂ କୁପୋଷଣ ପାଇଁ ଏଭଳି ସମସ୍ୟା ଦେଖା ଦେଉଛି । ଏକ ଫେସବୁକ ପୋଷ୍ଟ କରି ସେ ଖରାପ ସ୍ୱାସ୍ଥ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ।

କରିଥିବା ପୋଷ୍ଟରେ, ଏ ପର୍ଯ୍ୟନ୍ତ ଏନ୍‌ସେଫାଲାଇଟିସ୍‌ କାରଣରୁ ୧୦୮ଜଣଙ୍କର ମୃତ୍ୟୁ ହୋଇ ସାରିଛି । ମୃତ୍ୟୁବରଣ କରିଥିବା ଶିଶୁ ଗରିବ ପରିବାରରୁ ଥିଲେ । ଏଭଳି ରୋଗ ଅନେକ କାରଣରୁ ହୋଇଥାଏ । ସେଥି ମଧ୍ୟରୁ କୁପୋଷଣ ହେଉଛି ଗୋଟେ କାରଣ । ବିହାରରେ ହେଉଥିବା ଲିଚୁରେ ବିଷାକ୍ତ ପଦାର୍ଥ ରହିଥାଏ, ଯାହା କୁପୋଷିତ ଶିଶୁମାନଙ୍କ ପାଇଁ ହାନିକାରକ । କିନ୍ତୁ ନିଜର ଭୋକ ମେଣ୍ଟାଇବା ପାଇଁ ସେମାନେ ଏହାକୁ ଖାଇଥାନ୍ତି । ଏହାର ଅନ୍ୟ ଏକ କାରଣ ହେଉଛି, ଠିକ ସମୟରେ ଚିକିତ୍ସା ନ କରାଯିବା । ଯଦି ଗ୍ରାମାଞ୍ଚଳରେ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ୍‌ ଥାନ୍ତା ବା ରୋଗଗ୍ରସ୍ତ ଶିଶୁଙ୍କୁ ଠିକ୍‌ ସମୟରେ ସହରକୁ ଚିକିତ୍ସା ପାଇଁ ଅଣା ଯାଇ ପାରିଥାନ୍ତା, ତେବେ ଅନେକଙ୍କୁ ବଞ୍ଚା ଯାଇ ପାରିଥାନ୍ତା । ଭୋକର କୌଣସି ଚିକିତ୍ସା ଅଛି କି? ଲୋକମାନେ କେବଳ ନିଜ ପିଲାମାନଙ୍କ କଥା ଭାବନ୍ତି । ଗରିବ ଶିଶୁର ଅବସ୍ତା ବିଷୟରେ କେହି ଭାବନ୍ତି ନାହିଁ । ଆଶା କରୁଛି କି ଆମେ ଖୁବ୍‌ ଶୀଘ୍ର ତୁମ ଭୋକର ଚିକିତ୍ସା ଖୋଜି ନେବୁ ବୋଲି ଲେଖିଥିଲେ ରେଣୁକା ।

ସମ୍ବନ୍ଧିତ ଖବର