ବେଙ୍ଗାଲୁରୁ: ରେଣୁକାସ୍ବାମୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ତଥା ଲୋକପ୍ରିୟ କନ୍ନଡ଼ ଅଭିନେତା ଦର୍ଶନ ଥୁଗୁଦୀପା ପୁଲିସ ନିକଟରେ ମୁହଁ ଖୋଲିଛନ୍ତି। ରେଣୁକାସ୍ବାମୀଙ୍କ ମୃତ୍ୟୁ ପରେ ମୃତଦେହକୁ ନଷ୍ଟ କରିବା ଓ ତାଙ୍କ ନାମ ପ୍ରକାଶ ନକରିବାକୁ ସେ ଅନ୍ୟତମ ଅଭିଯୁକ୍ତ ପ୍ରଦୋଷକୁ ୩୦ଲକ୍ଷ ଟଙ୍କା ଦେଇଥିଲେ ବୋଲି ସ୍ବୀକାର କରିଛନ୍ତି। ପୁଲିସ ସୁଚନାନୁସାରେ, ଦର୍ଶନଙ୍କ ବୟାନ ଅନୁସାରେ ପ୍ରଦୋଷଙ୍କ ଘରେ ତଲାସୀ କରାଯାଇଥିଲା। ସେଠାରୁ ୩୦ଲକ୍ଷ ନଗଦ ଜବତ କରାଯାଇଛି। ଏହାସହ ଦର୍ଶନଙ୍କ ଆର୍ଆର୍ ନଗର ସେଡ୍ରୁ ରକ୍ତ ଭିଜା ବାଡ଼ି, ଠେଙ୍ଗା, ପାଣିବୋତଲ, ରକ୍ତ ଛିଟା ଲାଗିଥିବା କେତେକ ସାମଗ୍ରୀ ଜବତ କରାଯାଇଛି।
ହତ୍ୟା ସମୟରେ ଦର୍ଶନ ଉପସ୍ଥିତ ଥିବା ପ୍ରମାଣ ସ୍ବରୂପ ସିସିଟିଭି ଫୁଟେଜ୍ ମଧ୍ୟ ସଂଗ୍ରହ କରାଯାଇଛି। ରେଣୁକାସ୍ବାମୀଙ୍କ ମୃତ ଦେହକୁ ନିଆଯାଇଥିବା ଗାଡ଼ିରୁ ରକ୍ତର ନମୁନା ରେଣୁକାସ୍ବାମୀଙ୍କ ବୋଲି ସ୍ପଷ୍ଟ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟରେ ରେଣୁକାସ୍ବାମୀଙ୍କ ମୃତ୍ୟୁ ଆଘାତଜନିତ ଆଭ୍ୟନ୍ତରୀଣ ରକ୍ତସ୍ରାବରୁ ହୋଇଥିବା ଜଣାପଡ଼ିଛି। ତେବେ ଅଧିକ ଅନୁସନ୍ଧାନ ନିମନ୍ତେ ଭିସେରା ନମୁନା ଫରେନ୍ସିକ୍ ଲାବୋରେଟୋରି ପଠାଯାଇଛି। ରେଣୁକାସ୍ବାମୀ ଫେସ୍ବୁକ୍ରେ ଦର୍ଶନଙ୍କ ପ୍ରେମିକା ପବିତ୍ରା ଗୌଡ଼ାଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିବା ନେଇ ତାଙ୍କୁ ହତ୍ୟା କରାଯାଇଛି।