ରେଣୁକାସ୍ୱାମୀ ହତ୍ୟା ମାମଲା: ଅପରାଧ ଓ ପ୍ରମାଣ ଲୁଚାଇବାକୁ ୭୦ ଲକ୍ଷ ଖର୍ଚ୍ଚ କରିଥିଲେ ଦର୍ଶନ

ବେଙ୍ଗାଲୁରୁ: କନ୍ନଡ ଚଳଚ୍ଚିତ୍ର ଅଭିନେତା ଦର୍ଶନଙ୍କ ଘର, ତାଙ୍କ ସହଯୋଗୀ ଓ ଅନ୍ୟ ଅଭିଯୁକ୍ତଙ୍କ ଘରୁ ଜବତ ହୋଇଥିବା ୭୦.୪ ଲକ୍ଷ ଟଙ୍କା ସମ୍ପର୍କରେ ପୁଲିସ ଆୟକର ବିଭାଗକୁ ଜଣାଇବାକୁ ଯାଉଥିବାରୁ ଦର୍ଶନଙ୍କୁ ଖୁବ୍‌ଶୀଘ୍ର ଆୟକର ଚଢ଼ଉର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିପାରେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ସେମାନେ ଜୁନ୍ ୧୯ରେ ଦର୍ଶନଙ୍କ ଘରୁ ୩୭.୪ ଲକ୍ଷ ଟଙ୍କା ଜବତ କରିଥିଲେ। ଦର୍ଶନଙ୍କ ପତ୍ନୀ ବିଜୟଲକ୍ଷ୍ମୀଙ୍କ ଘରୁ ଆଉ ୩ ଲକ୍ଷ ଟଙ୍କା ଜବତ ହୋଇଛି। ଏହା ପୂର୍ବରୁ ପୁଲିସ ଜାଣିବାକୁ ପାଇଥିଲା ଯେ ଦର୍ଶନ ତାଙ୍କ ସହଯୋଗୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ୩୦ ଲକ୍ଷ ଟଙ୍କା ଦେଇଥିଲେ ଏବଂ ଆର୍ଥିକ ବିବାଦକୁ ନେଇ ରେଣୁକାସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇଥିଲେ।

କାମାକ୍ଷିପାଲ୍ୟା ପୁଲିସ ନିକଟରେ ୪ ଜଣ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦର୍ଶନଙ୍କ ସହଯୋଗୀଙ୍କଠାରୁ ୫ ଲକ୍ଷ ଟଙ୍କା ଲେଖାଏଁ ନେଇଥିଲେ। ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯିବା ପରେ ସେମାନଙ୍କ ସମ୍ପର୍କୀୟଙ୍କୁ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ପୁଲିସ ଦୁଇ ଅଭିଯୁକ୍ତଙ୍କଠାରୁ ୧୦ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ଅବଶିଷ୍ଟ ଟଙ୍କା ଦର୍ଶନଙ୍କ ସହଯୋଗୀ ପ୍ରଦୋଷଙ୍କ ଘରୁ ମିଳିଥିଲା। ଅପରାଧକୁ ଲୁଚାଇବା ଓ ପ୍ରମାଣ ନଷ୍ଟ କରିବା ପାଇଁ ମୋଟ ୭୦.୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ପୁଲିସ କହିଛି। ହତ୍ୟାକାଣ୍ଡ ଓ ପ୍ରମାଣ ନଷ୍ଟ ସହ ଆଇନଗତ ସମସ୍ୟାର ସମାଧାନ ପାଇଁ ଦର୍ଶନ ଜଣେ ବନ୍ଧୁଙ୍କଠାରୁ ୪୦ ଲକ୍ଷ ଟଙ୍କା ଋଣ ନେଇଥିବା ସ୍ୱୀକାର କରିଛନ୍ତି। ଶୁକ୍ରବାର ପୁଲିସ ଦର୍ଶନ, ତାଙ୍କ ସହଯୋଗୀ ବିନୟ, ପ୍ରଦୋଷ ଓ ଧନରାଜଙ୍କୁ ପଚରାଉଚରା କରିଥିଲା। ରବିବାରଠାରୁ ଦର୍ଶନଙ୍କୁ ଟଙ୍କା ଦେଇଥିବା ସାଙ୍ଗ ଓ ଅନ୍ୟମାନଙ୍କୁ ପଚରାଉଚରା କରାଯିବ। ପୁଲିସ ହେପାଜତରେ ଥିବା ଦର୍ଶନ ଓ ଅନ୍ୟ ୩ ଅଭିଯୁକ୍ତଙ୍କୁ ଶନିବାର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ।

ସମ୍ବନ୍ଧିତ ଖବର