ବ୍ରିଟେନ୍‌ ସଂସଦୀୟ କମିଟିର ରିପୋର୍ଟ: ହୁ’, ଇଣ୍ଟରପୋଲର ନିୟନ୍ତ୍ରଣ ଚାହୁଛି ଚୀନ୍‌

ନୂଆଦିଲ୍ଲୀ: ଚୀନ୍‌ ପରି ଏକଛତ୍ରବାଦୀ ଦେଶ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଓ ଦ୍ବିତୀୟ ବିଶ୍ବ ଯୁଦ୍ଧ ବେଳେ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ସଦ୍‌ଭାବ ସୃଷ୍ଟି ପାଇଁ ସ୍ଥାପିତ ଇଣ୍ଟରପୋଲ୍‌ ପରି ସଂସ୍ଥାକୁ ବାଟବଣା କରିଦେବା ଅବା ଦୁର୍ବଳ କରିଦେବା ଏପରିକି ସମ୍ପୂର୍ଣ୍ଣ ଭାଙ୍ଗିଦେବାକୁ ଚାହେ ବୋଲି ଏକ ରିପୋର୍ଟରୁ ଜଣାଯଇଛି। ୟୁକେ ହାଉସ୍‌ ଅଫ କମନ୍‌ସର ବୈଦେଶିକ ବ୍ୟାପାର କମିଟି ପକ୍ଷରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରାଯାଇଛି। ଚୀନ୍‌ ଓ ରୁଷିଆ ସମେତ ଅନ୍ୟ ରାଷ୍ଟ୍ରର ଏପରି କ୍ଷୟକାରୀ ପ୍ରଭାବ ପ୍ରତି ୟୁକେ ଓ ଏହାର ମିତ୍ର ରାଷ୍ଟ୍ରମାନେ ଯଦି ସମୟୋଚିତ ଜବାବ ନ ରଖନ୍ତି ତେବେ ଗାଣତନ୍ତ୍ରିକ ଦେଶମାନେ ଏପରି ବହୁପକ୍ଷୀୟ ସଂସ୍ଥାଗୁଡ଼ିକୁ ଏକଛତ୍ରବାଦୀ ଦେଶ ହାତରେ ସମର୍ପିଦେବେ ବୋଲି ୟୁକେ ସଂସଦୀୟ କମିଟିର ୧୧ ଜଣ ସାଂସଦ ସତର୍କ କରାଇ ଦେଇଛନ୍ତି।

ଚୀନ୍‌ ଏ ଦିଗରେ ବେଲ୍‌ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ ଆଳରେ ଦ୍ବିପାକ୍ଷିକ ଆର୍ଥିକ ଫାଇଦା ହାସଲ ପୂର୍ବକ ଆକ୍ରାମକ ଆଭିମୁଖ୍ୟ ପୋଷଣ କରି ସଂପୃକ୍ତ ବହୁପକ୍ଷୀୟ ସଂସ୍ଥାରେ ରହିଥିବା ସଦସ୍ୟମାନଙ୍କ ଉପରେ ଚାପ ସୃଷ୍ଟି କରି ଚାଲିଛି। ବିଶେଷ କରି ପାରସ୍ପରିକ ସହଯୋଗକୁ ଭିତ୍ତି କରି ଗଢ଼ି ଉଠିଥିବା ସଂପୃକ୍ତ ସଂଗଠନଗୁଡ଼ିକ ସେମାନଙ୍କର ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହେଉଥିବା ଦେଖାଯାଇଛି। ତେବେ ସେସବୁ ସଂଗଠନରେ ଥିବା ସମଭାପାପନ୍ନ ରାଷ୍ଟ୍ରମାନଙ୍କ ଭିତରେ ଏକ ଗଠବନ୍ଧନ ପାଇଁ ୟୁକେ ଖୋଲାଖୋଲି କାମ କରୁଛି ବୋଲି କୁହାଯାଇଛି। ସେହିପରି ନେତୃତ୍ବ ହାସଲ ପାଇଁ ଅଭିସନ୍ଧି ଚଳାଇଥିବା ଚୀନ୍‌ ପରି ଏକଛତ୍ରବାଦୀମାନଙ୍କ ବିରୋଧରେ ସ୍ବର ଉଠାଇବାକୁ ମଧ୍ୟ ବ୍ରିଟେନ୍‌ ସାଂସଦମାନେ ଉକ୍ତ ରିପୋର୍ଟରେ ଆହ୍ବାନ ଦେଇଛନ୍ତି। ଏ ଦିଗରେ କୋହଳ ମନୋଭାବ ପୋଷଣ କରିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପ୍ରଶାସନକୁ ମଧ୍ୟ ଏଥିରେ ତୀବ୍ର ସମାଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର