ଆନ୍ଦୋଳନରତ ଶିକ୍ଷକମାନଙ୍କ ଉପରେ ଦିଲ୍ଲୀ ପୋଲିସର ଅସଦାଚରଣ ପ୍ରସଙ୍ଗ: ଡିସିପିଙ୍କଠାରୁ ରିପୋର୍ଟ ତଲବ

ନୂଆଦିଲ୍ଲୀ : ଆନ୍ଦୋଳନରତ ଶିକ୍ଷକମାନଙ୍କ ଉପରେ ଦିଲ୍ଲୀ ପୋଲିସର ଅସଦାଚରଣ ପ୍ରସଙ୍ଗରେ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ଡେପୁଟି ପୁଲିସ କମିସନରଙ୍କୁ ଆଜି ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୧ରେ ଦିଲ୍ଲୀ ଗୁରୁଦ୍ବାରା ବାଙ୍ଗଲାସାହିବ ନିକଟରେ ଓଡ଼ିଶା ସମେତ ୫ ରାଜ୍ୟର ଶିକ୍ଷକମାନେ ଆନ୍ଦୋଳନ ଚଳାଇଥିବା ବେଳେ ସେମାନଙ୍କ ପ୍ରତି ଅସଦାଚରଣ ଅଭିଯୋଗ ହୋଇଛି।

ଏନ୍‌ଆଇଓଏସ୍‌ ଡିଇଏଲ୍‌ଇଡି ଶିକ୍ଷକ ସଂଘର ଜାତୀୟ ସଭାପତି ଇଂଜିନିୟର ଦେବାଶିଷ ହୋତା ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଦାଖଲ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ଶିକ୍ଷକମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଥିବା ବେଳେ ସେମାନଙ୍କ ପ୍ରତି ଅସଦାଚରଣ କରାଯାଇଥିଲା। ଏସିପି ଓ ଏସ୍‌ଏଚ୍‌ଓଙ୍କ ଦ୍ବାରା ବିନା କାରଣରେ ଶିକ୍ଷକମାନଙ୍କୁ ମନ୍ଦିର ମାର୍ଗ ଥାନାରେ ୧୦ ଘଣ୍ଟା ଅଟକ ରଖାଯାଇଥିଲା। ପିଟିସନର ଶୁଣାଣି କରି ଏନ୍‌ଏଚ୍‌ଆର୍‌ସି ଚାରି ସପ୍ତାହ ମଧ୍ୟରେ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର