ନୂଆଦିଲ୍ଳୀ: ଆସନ୍ତାକାଲିକୁ ସାରା ଦେଶ ଅନାଇ ବସିଛି। ଭାରତ ଆଇସିସି ବିଶ୍ୱକପ୍ ୨୦୨୩ରେ ନ୍ୟୁଜିଲାଣ୍ଡ୍ଠାରୁ ସେମି ଫାଇନାଲ୍ ମ୍ୟାଚ୍ ଜିତିବା ପରେ ଫାଇନାଲ୍ରେ ରବିବାର ଅଷ୍ଟ୍ରେଲିଆକୁ ସାମ୍ନା କରିବ। ଏଥିପାଇଁ ଏହି ଦିନ (ନଭେମ୍ବର ୧୯, ରବିବାର)କୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।
ଅହମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ କ୍ରିକେଟ୍ ଫାଇନାଲ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏଥିରେ ତିଳେ ବି ସନ୍ଦେହ ନାହିଁ ଯେ ଏହି ମ୍ୟାଚ୍ରେ ଦିଲ୍ଲୀର ପୁଅ ବିରାଟ କୋହଲି ବଢ଼ିଆ ଖେଳ ପ୍ରଦର୍ଶନ କରିବେ। ଏହି ବିଶ୍ୱକପ (ଆଇସିସି ବିଶ୍ୱକପ ୨୦୨୩) ରେ ସେ ଏପର୍ଯ୍ୟନ୍ତ ସର୍ବାଧିକ ରନ୍ କରି ସାରିଛନ୍ତି। ବିରାଟ କୋହଲିଙ୍କ ବ୍ୟାଟିଂ ଦକ୍ଷତା ଦେଖି ଦିଲ୍ଲୀବାସୀ ରବିବାର ଦିନ ଭାରତ ଚାମ୍ପିୟନ ହେବାର ୧୦୦ ପ୍ରତିଶତ ସମ୍ଭାବନା ଦେଖି ପାରୁଛନ୍ତି।
ଯଦି ଏହା ଘଟେ, ତେବେ ସମଗ୍ର ଦିଲ୍ଲୀ ଉତ୍ସବ ପାଳନରେ ମାତିଯବି। ପୁଣି କେହି କେହି ପାନୀୟ ଧରି ଉତ୍ସବ ପାଳିବାକୁ ମନ ବଳାଇବେ। ହେଲେ ଏଥର ଦିଲ୍ଳୀବାସୀଙ୍କୁ ସେ ସୁଯୋଗ ମିଳିବ ନାହିଁ। ପାନୀୟ ସହ ପ୍ରତ୍ୟେକ ଉତ୍ସବ ପାଳନ କରୁଥିବା ଦିଲ୍ଲୀ ଏଥର ଶୁଖିଲାରେ ଉତ୍ସବ ପାଳିବ। ଅର୍ଥାତ ଦିଲ୍ଳୀ ପାଇଁ ଆସନ୍ତାକାଲି ହେବ ‘ଡ୍ରାଏ-ଡେ’।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଦିଲ୍ଲୀ ସରକାର ରବିବାର ଦିନ ଅର୍ଥାତ, ବିଶ୍ୱକପ ଫାଇନାଲ ଦିନକୁ ‘ଡ୍ରାଏ-ଡେ’ ବା ମଦ ବିହୀନ ଦିନ ବୋଲି ଘୋଷଣା କରିଛନ୍ତି। ଏହି ଆଦେଶ ଅନୁସାରେ ରବିବାର ଦିନ ଦିଲ୍ଲୀରେ ମଦ ବିକ୍ରି ହେବ ନାହିଁ କିମ୍ବା ଦୋକାନ ଖୋଲା ରହିବ ନାହିଁ।
ତେବେ ଏହାର ମୁଖ୍ୟ କାରଣ ହେଉଛି ‘ଛଟ୍ ପୂଜା’। ଏହି ପୂଜାରେ ସୂର୍ଯ୍ୟୋଙ୍କୁ ଅର୍ଘ୍ୟ ଅର୍ପଣ କରାଯାଇଥାଏ। ଏହାକୁ ଏକ ବଡ଼ ପର୍ବ ଭାବରେ ବିବେଚନା କରାଯାଏ। ଦିଲ୍ଲୀରେ ରହୁଥିବା ପୂର୍ବାଞ୍ଚଳବାସୀ ଏହି ପୂଜାକୁ ଖୁବ୍ ଗୁରୁତ୍ବ ଦେଇଥାନ୍ତି। ଏହି କାରଣରୁ ଦିଲ୍ଲୀ ସରକାର ଏହି ଦିନ ମଦ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ‘ଡ୍ରାଏ-ଡେ’ ଘୋଷଣା କରିବାକୁ ଦିଲ୍ଲୀ ଅବକାରୀ କମିସନର କୃଷ୍ଣ ମୋହନ ଅପ୍ପୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି।