ସୁପ୍ରିମ କୋର୍ଟ ଅଡିଟ୍ କମିଟିର ରିପୋର୍ଟ: ଦିଲ୍ଲୀ ୪ଗୁଣା ଅଧିକ ଅକ୍ସିଜେନ ମାଗିଥିଲା

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ବିତୀୟ ଲହର ବେଳେ ଦିଲ୍ଲୀ ଅକ୍ସିଜେନ୍ ଅଭାବଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଏ ନେଇ ଦିଲ୍ଲୀ ସରକାର ବାରମ୍ବାର ଅଭିଯୋଗ କରିବା ପରେ କୋର୍ଟ ଏଥିରେ ହସ୍ତକ୍ଷେପ କରି ଦିଲ୍ଲୀକୁ ଅଧିକ ଅକ୍ସିଜେନ୍ ଯୋଗାଇ ଦେବାକୁ କହିଥିଲେ। ତେବେ ଦିଲ୍ଲୀ ସରକାର ଆବଶ୍ୟକତା ଠାରୁ ୪ ଗୁଣା ଅଧିକ ଅକ୍ସିଜେନ ମାଗିଥି‌ଲେ ବୋଲି ସୁପ୍ରିମ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଅକ୍ସିଜେନ୍ ଅଡିଟ୍ ଟିମ୍ ଏହାର ରିପୋର୍ଟରେ ଦର୍ଶାଇଛି। ଦିଲ୍ଲୀର ଦୈନିକ ଅକ୍ସିଜେନ ଆବଶ୍ୟକତା ଶଯ୍ୟା ଅନୁସାରେ ସୂତ୍ର ମୁତାବକ ଦୈନିକ ୨୮୯ ମେଟ୍ରିକ୍ ଟନ ହୋଇଥିବା ବେଳେ ଦିଲ୍ଲୀ ସରକାର ୧୧୪୦ ମେଟ୍ରିକ ଟନ୍ ବୋଲି ଦାବି କରିଥିଲେ। ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ନୂଆଦିଲ୍ଲୀର ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ଅଧ୍ୟକ୍ଷତାରେ ଗଠିତ ଅଡିଟ୍ କମିଟି ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଏହା କୁହାଯାଇଛି।

ଅନ୍ୟପକ୍ଷରେ ମେଡିକାଲ ଅକ୍ସିଜେନ ଆବଶ୍ୟକତା ନେଇ ଦିଲ୍ଲୀ ପକ୍ଷରୁ ଯେଉଁ ତଥ୍ୟ ଅପ‌ଲୋଡ୍ ହୋଇଥିଲା ତାହା ଠିକ୍ ନଥିବାରୁ କେନ୍ଦ୍ର ଗୋଟେ ସମୟରେ ବ୍ୟଥିତ ହୋଇଥିଲା। ତଥ୍ୟରେ ଅନେକ ତ୍ରୁଟି ଥିଲେ ବି ଦିଲ୍ଲୀ ସରକାର ଦୈନିକ ଆବଶ୍ୟକତା କିଭଳି ୭୦୦ ଟନ୍ ବୋଲି ଦର୍ଶାଇଥିଲେ। ଉଲ୍ଲେଖଯୋଗ୍ୟ, ମେ ୫ ତାରିଖରେ ଦିଲ୍ଲୀକୁ ଦୈନିକ ୭୦୦ ଟନ ଅକ୍ସିଜେନ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯଦି ଏହା ନକରିବ ତା’ହେଲେ କେନ୍ଦ୍ର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଦାଲତ ସତର୍କ କରାଇ ଦେଇଥିଲେ। ତେବେ କମିଟି କହିଛନ୍ତି, ଦିଲ୍ଲୀ ସରକାର ଭୁଲ ସୂତ୍ର ବ୍ୟବହାର କରି ଅତି ଅଧିକ ଅକ୍ସିଜେନ୍ ଏପ୍ରିଲ ୩୦ ତାରିଖରେ ଦାବି କରିଥିଲେ। କିଛି ହସ୍ପିଟାଲ କିଲୋଲିଟର ଏବଂ ମେଟ୍ରିକ ଟନ୍ ମଧ୍ୟରେ ପାର୍ଥକ୍ୟକୁ ଜାଣି ପାରିନଥିଲେ। ତେଣୁ ୭୦୦ ଟନ୍ ମାଗିବା ବେଳେ ସରକାର ଏହାକୁ ଯାଞ୍ଚ କରିନଥିଲେ ବୋଲି ରିପୋର୍ଟରେ କୁହାଯାଇଛି। ଫଳରେ ଦିଲ୍ଲୀକୁ ଅତ୍ୟଧିକ ଅକ୍ସିଜେନ ଯୋଗାଇ ଦିଆଯାଇଥିଲା। ଟ୍ୟାଙ୍କରରୁ ଅକ୍ସିଜେନ୍ କଢ଼ାଯାଇ ପାରି ନଥିଲା। ବିଭିନ୍ନ ଡାକ୍ତରଖାନାରେ ଅକ୍ସିଜେନ ଟାଙ୍କି ପୂରା ଥିବା ଯୋଗୁ ଟ୍ୟାଙ୍କରଗୁଡ଼ିକୁ ଦୀର୍ଘ ସମୟ ଧରି ଖାଲି କରାଯାଇ ପାରି ନଥିଲା। ମେ ୧୦ ତାରିଖ ସକାଳେ ଦିଲ୍ଲୀରେ ଅକ୍ସିଜେନ ଟାଙ୍କିଗୁଡ଼ିକରେ ୭୧ ପ୍ରତିଶତ ଅକ୍ସିଜେନ ଭର୍ତ୍ତି ଥିଲା। ତେଣୁ ଅତିରିକ୍ତ ୭୦୦ ମେଟ୍ରିକ ଟନ୍ ଯୋଗାଣ ହୋଇଥିଲେ ତାହା ରଖିବାକୁ ସ୍ଥାନ ନଥିଲା ବୋଲି ରିପୋର୍ଟରେ କୁହାଯାଇଛି। ସେହିଭଳି ଦିଲ୍ଲୀରେ ଦୈନିକ ଅକ୍ସିଜେନ ବ୍ୟବହାର ୨୮୪ ମେଟ୍ରିକ ଟନରୁ ୩୭୨ ମେଟ୍ରିକ ଟନ୍ ଥିବାବେଳେ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ ସଂରକ୍ଷିତ କରି ରଖିବା ପାଇଁ ଭିତ୍ତିଭୂମି ମଧ୍ୟ ନଥିଲା ବୋଲି କୁହାଯାଇଛି।

ଏହି ଖବରକୁ ନେଇ ବିଜେପି ଏବଂ ଆପ୍ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି। ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ପ୍ରଥମେ ଦିଲ୍ଲୀ ସରକାରଙ୍କ ଏଭଳି ଦାବି ସଂପର୍କରେ ଗଣମାଧ୍ୟମରେ ସୂଚନା ରଖିଥିଲେ। ତେବେ ଆପ୍ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସି‌ସୋଦିଆ ଏହାକୁ ଖଣ୍ଡନ କରିଛନ୍ତି। ପ୍ରଥମତଃ ବିଜେପି ପକ୍ଷରୁ ଉପସ୍ଥାପିତ କରାଯାଉଥିବା ରିପୋର୍ଟ କମିଟିର ନୁହେଁ। ଏହି ରିପୋର୍ଟରେ କମିଟିର କୌଣସି ସଦସ୍ୟଙ୍କ ଦସ୍ତଖତ ନାହିଁ ବୋଲି କୁହାଯାଇଛି। ଦିଲ୍ଲୀରେ ତା’ହେଲେ ଅକ୍ସିଜେନ୍ ଅଭାବ ନେଇ ରୋଗୀ, ସରକାରୀ ଏବଂ ଘରୋଇ ହସ୍ପିଟାଲ, ଅକ୍ସିଜେନ୍ ନିର୍ମାତା, ବ୍ୟବସାୟୀ କ’ଣ ମିଛ କହିଥିଲେ ବୋଲି ଆପ୍ ପଚାରିଛି।

ତେବେ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଦିଲ୍ଲୀ ସରକାରଙ୍କ ମତକୁ ମଧ୍ୟ ଉପସ୍ଥାପନ କରାଯାଇଛି। ପଡ଼ୋଶୀ ରାଜ୍ୟରୁ ଦିଲ୍ଲୀକୁ ଯୋଗାଣ ହେଉଥିବା ଅକ୍ସିଜେନ ଉପରେ ସେହି ସମୟରେ ଭରସା କରାଯାଇ ପାରୁ ନଥିଲା। ଦାଖଲ ରିପୋର୍ଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଶପଥପାଠକୁ ଯୋଡ଼ାଯାଇଛି। ଦିଲ୍ଲୀ ସରକାର କମିଟିକୁ କହିଛନ୍ତି ଯେ ମେ ମାସରେ ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ ସ୍ଥିତି ସେତେଟା ସ୍ପଷ୍ଟ ନଥିଲା। ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନର ଆବଶ୍ୟକତା ରହିଥିଲା।

ସମ୍ବନ୍ଧିତ ଖବର