ଗଣମାଧ୍ୟମ ହାତରେ ଗୁପ୍ତ ରିପୋର୍ଟ : ସୁନନ୍ଦାଙ୍କୁ ହତ୍ୟା କରାଯାଇଛି!

ହତ୍ୟାକାରୀକୁ ପ୍ରଥମରୁ ଜାଣିଥିଲା ତଦନ୍ତକାରୀ ପୁଲିସ: ମାମଲା ରୁଜୁ ପାଇଁ ବର୍ଷେ, ତଦନ୍ତ ଆରମ୍ଭ ପାଇ ଦି’ ବର୍ଷ

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶଶୀ ଥରୁର୍‌ଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେଉଥିବା ଜଣାଯାଇଛି। ଇଂରାଜୀ ଖବରକାଗଜ ଡିଏନ୍‌ଏର ହସ୍ତଗତ ହୋଇଥିବା ଏକ ଗୋପନ ରିପୋର୍ଟରେ ସୁନନ୍ଦାଙ୍କୁ ହତ୍ୟା କରାଯାଇଛି ବୋଲି ଦାବି କରାଯାଇଛି। ସୁନନ୍ଦାଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ମଧ୍ୟ ସୁନନ୍ଦାଙ୍କ ହତ୍ୟାକାରୀ ସମ୍ପର୍କରେ ପ୍ରଥମରୁ ହିଁ ଠୋସ୍‌ ପ୍ରମାଣ ପାଇଛନ୍ତି ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ତଥାପି ସେହି ବହୁ ଚର୍ଚ୍ଚିତ ମୃତ୍ୟୁ ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିବା ଅନ୍ୟତମ ରହସ୍ୟ ବୋଲି ଏହି ରିପୋର୍ଟରେ କୁହାଯାଇଛି।
ଡିଏନ୍‌ଏ ହାତରେ ପଡ଼ିଥିବା ଏହି ଗୁପ୍ତ ରିପୋର୍ଟ ଅନୁସାରେ, ସୁନନ୍ଦା ମୃତ୍ୟୁର ତଦନ୍ତ ପ୍ରଥମେ ତତ୍କାଳୀନ ଦିଲ୍ଲୀ ପୁଲିସ ଡେପୁଟି କମିସନର ବିଏସ୍‌ ଜୟସ୍ୱାଲ୍‌ କରିଥିଲେ। ତାଙ୍କର ନିର୍ଯ୍ୟାସ ହେଲା, ଏହି ଘଟଣା ଲୀଳା ପ୍ୟାଲେସ୍‌ ହୋଟେଲ୍‌ରେ ସଂଘଟିତ ହୋଇଥିବା ବେଳେ ତାହା ଆତ୍ମହତ୍ୟା ନୁହେଁ ବୋଲି ସେଠାରେ ପହଞ୍ଚି ପଞ୍ଚନାମା କରିଥିବା ବସନ୍ତ ବିହାର ସବ୍‌ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌(ଏସ୍‌ଡିଏମ୍‌) ଆଲୋକ ଶର୍ମାଙ୍କର ହୃଦ୍‌ବୋଧ ହୋଇଥିଲା। ତେବେ ପଞ୍ଚନାମା ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ଏସ୍‌ଡିଏମ୍‌ ତାହାକୁ ଏକ ହତ୍ୟାକାଣ୍ଡ ବୋଲି ବିବେଚନା କରି ତଦନ୍ତ କରିବାକୁ ସରୋଜିନୀ ନଗର ଷ୍ଟେସନ ହାଉସ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ କରିଥିଲେ।
ସେହିପରି ବ୍ୟବଚ୍ଛେଦ ରିପୋର୍ଟରେ ସୁନନ୍ଦାଙ୍କର ବିଷକ୍ରିୟା ଯୋଗୁଁ ମୃତ୍ୟୁ ବୋଲି ଦର୍ଶାଯାଇଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ନିଦ ବଟିକା ଆଲପ୍ରାଜୋଲାମ୍‌ ଯୋଗୁଁ ଏପରି ହୋଇଥାଇପାରେ ବୋଲି ଆଶଙ୍କା କରାଯାଇଥିଲା। ଅପରପକ୍ଷେ, ସୁନନ୍ଦାଙ୍କ ଶରୀରରେ ମିଳିଥିବା କ୍ଷତ ଚିହ୍ନଗୁଡ଼ିକ ବଳପ୍ରୟୋଗ ଯୋଗୁଁ ହୋଇଥିବା ଦର୍ଶାଯାଇଥିଲା। କେବଳ ୧୦ ନମ୍ବର କ୍ଷତଚିହ୍ନଟି ଇଞ୍ଜେକ୍ସନ ଦାଗ ହୋଇଥିବା ବେଳେ ୧୨ ନମ୍ବର କ୍ଷତଟି କାମୁଡ଼ା ଦାଗ ବୋଲି ଉଲ୍ଲେଖ ଥିଲା। ସେହିପରି ୧ରୁ ୧୫ ପର୍ଯ୍ୟନ୍ତ ଥିବା ଚିହ୍ନଗୁଡ଼ିକ ୧୨ ଘଣ୍ଟାରୁ ୪ ଦିନ ଭିତରେ ହୋଇଥିବା ଉଲ୍ଲେଖ ରହିଥିଲା। ତେବେ ଅନ୍ୟ ଦାଗ ଅପେକ୍ଷା ଇଞ୍ଜେକ୍ସନ ଦାଗ ତାଜା ଥିଲା ବୋଲି ସ୍ପଷ୍ଟ କରାଯାଇଥିଲା। ତେଣୁ ଏ କ୍ଷେତ୍ରରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିବାକୁ ଏସ୍‌ଡିଏମ୍‌ଙ୍କ ନିର୍ଦ୍ଦେଶ ରହିଥିଲା।
ଶଶୀ ଏବଂ ସୁନନ୍ଦାଙ୍କ ବ୍ୟକ୍ତିଗତ ସହାୟକ ନାରାୟଣ ସିଂହଙ୍କ ବୟାନ ଅନୁଯାୟୀ, ଥରୁର୍‌ ଦମ୍ପତିଙ୍କ ମଧ୍ୟରେ ଝଗଡ଼ାରୁ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ତେଣୁ ସେଥିପାଇଁ ଏପରି ଅଘଟଣ ହେଲା ବୋଲି ବ୍ୟକ୍ତିଗତ ଭାବେ ଏହି ଘଟଣାର ଅନୁଧ୍ୟାନ କରୁଥିବା ଦକ୍ଷିଣ ଦିଲ୍ଲୀ ଯୁଗ୍ମ ପୁଲିସ କମିସନର ବିବେକ ଗର୍ଜିଆଙ୍କୁ ଦାଖଲ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଥିଲା। ଏହି ରିପୋର୍ଟ ମଧ୍ୟ ପରେ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଥିଲା। ତେବେ ସୁନନ୍ଦାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବା ସତ୍ତ୍ୱେ ପୁଲିସ ମାମଲା ରୁଜୁ କରିନଥିଲା। ଏପରିକି ସପ୍ତାହକ ପରେ ଘଟଣାର ତଦନ୍ତ ଭାର ନେଇଥିବା କ୍ରାଇମ୍‌ ବ୍ରାଞ୍ଚ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବ ବୋଲି ନିଷ୍ପତ୍ତି ନେବାର ମାତ୍ର ୪ ଘଣ୍ଟା ଭିତରେ ଯୁଗ୍ମ କମିସନର ବିବେକ ଗର୍ଜିଆ କ୍ରାଇମ୍‌ ବ୍ରାଞ୍ଚ୍‌ ଠାରୁ ମାମଲାକୁ ପ୍ରତ୍ୟାହାର କରିନେଇଥିଲେ। ତେବେ ତତ୍କାଳୀନ ପୁଲିସ କମିସନର ବିଏସ୍‌ ବଷିି ଏହି ମାମଲା ରୁଜୁ କରିବାକୁ ବର୍ଷେ ତ ଡେରି କରିଦେଲେ, ତଦନ୍ତ ମଧ୍ୟ ଦୁଇ ବର୍ଷ ବିଳମ୍ବିତ ହୋଇଗଲା।
ସୁନନ୍ଦାଙ୍କ ହାତରେ ମିଳିଥିବା କାମୁଡ଼ା ଦାଗ ଏବଂ ଇଞ୍ଜେକ୍ସନ ଦାଗ ନେଇ ମଧ୍ୟ ଡିଏନ୍‌ଏ ଦ୍ୱାରା ପ୍ରାପ୍ତ ଏହି ରିପୋର୍ଟରେ ପ୍ରଶ୍ନ କରାଯାଇଛି। ସୁନନ୍ଦାଙ୍କୁ ବିଷ ପିଆଇ ଦିଆଯାଇଥିଲା ନା ଇଞ୍ଜେକ୍ସନ ଦ୍ୱାରା ରକ୍ତରେ ମିଶାଯାଇଥିଲା ତାହା ତଦନ୍ତ ସାପେକ୍ଷ ବୋଲି କୁହାଯାଇଛି। ଅପରପକ୍ଷେ, ସେହି ରହସ୍ୟମୟ ମୃତ୍ୟୁ ସଂକ୍ରାନ୍ତ ବ୍ୟବଚ୍ଛେଦ, ରାୟାସନିକ, ଆଙ୍ଗୁଠିଛାପ ଆଦି ସମସ୍ତ ରିପୋର୍ଟରେ ସୁନନ୍ଦାଙ୍କୁ ହତ୍ୟା କରାଯାଇଥିବା ଦିଗକୁ ନିର୍ଦ୍ଦେଶ କରିଥିବା ବେଳେ ପୁଲିସ ତଥାପି ହତ୍ୟା ମାମଲା ରୁଜୁ ନକରିିବା ପୁଲିସର ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଏଠାରେ ସ୍ମରଣଯୋଗ୍ୟ, ୨୦୧୪ ଜାନୁଆରି ୧୭ ରାତି ୯ଟାରେ ଲୀଳା ପ୍ୟାଲେସ୍‌ ହୋଟେଲ୍‌ର ୩୪୫ ନମ୍ବର ପ୍ରକୋଷ୍ଠରେ ସୁନନ୍ଦାଙ୍କର ମୃତ୍ୟୁ ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ତେବେ ସେହିଦିନ ସେ ଏକ ଗଣମାଧ୍ୟମ ସମ୍ମିଳନୀ ଡକାଇବାକୁ ଚାହୁଥିବା କଥା ସାମ୍ବାଦିକା ନଳିନୀ ସିଂହ ସୂଚନା ଦେଇଥିଲେ। ଘଟଣା ଦିନ ସାମ୍ବାଦିକ ସମ୍ମିଳନୀ ପାଇଁ ସୁନନ୍ଦା ତାଙ୍କର ଏକ ଶୁଭ୍ର ପୋଷାକ ପ୍ରସ୍ତୁତ ରଖିବା ଲାଗି ଅପରାହ୍ଣ ୩ଟାରେ ନିଜ ସହଯୋଗୀକୁ କହିଥିବା କଥା କ୍ରାଇମ୍‌ ବ୍ରାଞ୍ଚ ଜାଣିବାକୁ ପାଇଥିଲା। ମାତ୍ର ସେଦିନ ହୋଟେଲ୍‌ରେ ଏପରି ଘଟିଗଲା।

ସମ୍ବନ୍ଧିତ ଖବର