ମୁମ୍ବାଇ: ମହାରାଷ୍ଟ୍ରର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶନିବାର ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି ଯେ ଶିବସେନାର ବିଦ୍ରୋହୀ ବିଧାୟକମାନେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସମଭାବାପନ୍ନ ବିଜେପି ସହ ମେଣ୍ଟ କରିବାକୁ ୩-୪ ଥର କହିଥିଲେ ବି ସେ ଶୁଣି ନଥିଲେ। ସେ ଆହୁରି ବି କହିଛନ୍ତି ଯେ ମହାବିକାଶ ଅଘାଡ଼ି ମେଣ୍ଟକୁ ନେଇ ଅନେକ ବିଧାୟକ ଅସନ୍ତୁଷ୍ଟ ଥିଲେ। ଏ ନେଇ ବିଧାୟକମାନେ ଠାକ୍‌ରେଙ୍କ ସହ କଥା ହେବାକୁ ଅନେକ ଥର ଚେଷ୍ଟା କରି ବି ବିଫଳ ହୋଇଥିଲେ। ତେଣୁ ସେମାନେ ଏପରି ଏକ ପଦକ୍ଷେପ ନେବାକୁ ବାଧ୍ୟ ହେଲେ।

Advertisment

ଗତକାଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜ୍ୟ ସଚିବାଳୟରେ ଦାୟିତ୍ବ ଗ୍ରହଣ କରିବା ପରେ କେନ୍ଦ୍ରୀୟ ବିଜେପି ନେତୃତ୍ବଙ୍କ ସହ କ୍ୟାବିନେଟ୍‌ ବିସ୍ତାର ବିଷୟରେ ଆଲୋଚନା କରିବାକୁ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବୀସଙ୍କ ସହ ୨ ଦିନିଆ ଦିଲ୍ଳୀ ଗସ୍ତରେ ଯାଇଛନ୍ତି।

ଦିଳ୍ଳୀଠାରେ ଗଣମାଧ୍ୟମରେ ନିଜର ମତ ରଖି ସିନ୍ଦେ କହିଛନ୍ତି କି ତାଙ୍କୁ ସମର୍ଥନ ଦେଉଥିବା ବିଧାୟକମାନେ ହିଁ ହେଉଛନ୍ତି ବାସ୍ତବିକ ଶିବସେନା ‌ସଦସ୍ୟ। ଆମ ପାଖରେ ସଂଖ୍ୟା ଅଛି ଓ ବାଚସ୍ପତି ବି ସ୍ବୀକୃତି ଦେଇଛନ୍ତି ବୋଲି ସିନ୍ଦେ କହିଛନ୍ତି।

ଦଳର ପ୍ରତୀକ କିଏ ବ୍ୟବହାର କରିବ ବୋଲି ଗଣମାଧ୍ୟମ ପ୍ରତିନିଧୀଙ୍କ ପ୍ରଶ୍ନର ଉତ୍ତରରେ ସିନ୍ଦେ କହିଛନ୍ତି କି ତାଙ୍କର ନ୍ୟାୟପାଳିକା ଉପରେ ବିଶ୍ବାସ ରହିଛି। ନିଜକୁ ଶିବସେନା ବୋଲି କହିବା ସହ ସେ କୌଣସି ବେଆଇନ୍‌ କାର୍ଯ୍ୟ କରୁନାହାନ୍ତି ଓ ତାଙ୍କୁ ବିଧାନସଭା ଦଳ ଭାବେ ମାନ୍ୟତା ଦିଆଯାଇଛି ବୋଲି ମଧ୍ୟ ସଫେଇ ଦେଇଛନ୍ତି।