ଜମ୍ମୁରେ ଭୁଶୁଡ଼ି ପଡ଼ିଥିବା ନିର୍ମାଣାଧୀନ ସୁଡ଼ଙ୍ଗରୁ ଆଉ ୩ ମୃତଦେହ ଉଦ୍ଧାର

ଜମ୍ମୁ: ଗୁରୁବାର ରାତିରେ ଜମ୍ମୁ ଓ କଶ୍ମୀରର ରାମବନ ଜିଲ୍ଲା ଅନ୍ତର୍ଗତ ମାକେର୍‌କୋଟ୍‌ ଅଞ୍ଚଳର ଖୋନି ନଳାରେ ଗୋଟାଏ ନିର୍ମାଣାଧୀନ ଚାରି-ଥାକିଆ ସୁଡ଼ଙ୍ଗର ସ୍ବଳ୍ପ ଅଂଶ ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଭିତରେ ଥିବା ଶ୍ରମିକ ସୁଡ଼ଙ୍ଗର ଭଗ୍ନାଂଶ ତଳେ ଚାପି ହୋଇଯାଇଥିଲେ। ସୁଡ଼ଙ୍ଗ ଭାଙ୍ଗିବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୪ଜଣଙ୍କର ମୃତଦେହ ମିଳିଛି। ଖରାପ ପାଗ ମଧ୍ୟରେ ଶନିବାର ସକାଳୁ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆଜି ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁରୁବାର ଜଣଙ୍କର ମୃତଦେହ ଉଦ୍ଧାର କରଯାଇଥିଲା।

ରାମବନର ଏସଏସପି ମୋହିତ ଶର୍ମା କହିଛନ୍ତି ଯେ, ଗୁରୁବାର ଓ ଶନିବାର ମୋଟ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ୬-୭ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି।

ସୂଚନା ମୁତାବକ, ଜମ୍ମୁ-କଶ୍ମୀରର ରାମ୍ବନ ଜିଲ୍ଲା ଅନ୍ତର୍ଗତ ଖୋନି ନାଲା ନିକଟ ରାଜପଥରେ ନିର୍ମାଣ ହେଉଥିବା ଟି -୩ର ଅଡିଟ୍ ଟନେଲର କିଛି ଅଂଶ ଗୁରୁବାର ରାତି ପ୍ରାୟ ୧୦.୧୫ ଭୁଶୁଡି ପଡ଼ିଥିଲା। ଦୁର୍ଘଟଣା ପରେ ପରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପରେ ଶୁକ୍ରବାର ଦିନ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଜିଲ୍ଲା ଡାକ୍ତରଖାନା ରାମ୍ବନରେ ଭର୍ତ୍ତି କରାଯାଇଥିଲା। ହେଲେ ପାଗ ଖରାପ ହେବାରୁ ଶୁକ୍ରବାର ଅଧାରୁ ଉଦ୍ଧାରକାର୍ଯ୍ୟ ବନ୍ଦ କରାଯାଇଥିବା ବେଳେ ଆଜି ସକାଳେ ପୁଣି ଥରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ ଫସିରହିଥିବା ୬-୭ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଏସଏସପି ମୋହିତ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର