ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରୁ ହନିମୁନ୍ ପାଇଁ ସିଲଂ ବୁଲିବାକୁ ଯାଇଥିବା ଜଣେ ବ୍ୟବସାୟୀ ଏବଂ ତାଙ୍କ ପତ୍ନୀ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟବସାୟୀ ଜଣକଙ୍କ ବିବାହକୁ ମାତ୍ର ୧୫ଦିନ ହୋଇଛି।
ସୂଚନା ଅନୁଯାୟୀ, ଇନ୍ଦୋରର ପରିବହନ ବ୍ୟବସାୟୀ ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀ ମଇ ୧୧ତାରିଖରେ ଇନ୍ଦୋରରେ ଧୁମଧାମରେ ବିବାହ କରିଥିଲେ। ବିବାହପରେ ଉଭୟ ଗୌହାଟିରେ କାମାକ୍ଷା ଦେବୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଦର୍ଶନ ସାରିବା ପରେ ରଘୁବଂଶୀ ଦମ୍ପତି ମଇ ୨୩ ତାରିଖରେ ମେଘାଳୟର ସିଲଂରେ ପହଞ୍ଚିଲେ। ସିଲଂର ଏକ ସମ୍ବେଦନଶୀଳ ଅଞ୍ଚଳରୁ ଦମ୍ପତିଙ୍କ କାର ଉଦ୍ଧାର ହୋଇଥିବା ବେଳେ ରାଜା ଓ ସୋନମ କେଉଁଆଡେ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ବ୍ୟବସାୟୀ ଓ ତାଙ୍କ ସ୍ତ୍ରୀ ନିଖୋଜ ହେବାପରେ ସିଲଂ ପୁଲିସ ସହିତ, ଇନ୍ଦୋର କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଇନ୍ଦୋର ପୁଲିସ କମିଶନର ସନ୍ତୋଷ ସିଂହ ରଘୁବଂଶୀ ଦମ୍ପତି ନିଖୋଜ ହେବା ଘଟଣାକୁ ନେଇ କହିଛନ୍ତି, ‘ ମେଘାଳୟ ପୁଲିସ ସହିତ ଯୋଗାଯୋଗ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହି ସମ୍ପୂର୍ଣ୍ଣ ମାମଲା ବିଷୟରେ ସୂଚନା ଦିଆଯାଉଛି। ଦମ୍ପତିଙ୍କୁ ଖୋଜିବା ପାଇଁ ଘନ ଜଙ୍ଗଲରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଟ୍ୱିଟ୍ କରି କହିଛନ୍ତି, ‘ ମେଘାଳୟ ଗସ୍ତ ସମୟରେ ଇନ୍ଦୋର ନିବାସୀ ନବବିବାହିତ ରାଜା ଏବଂ ପତ୍ନୀ ସୋନମ ରଘୁବଂଶୀ ସିଲଂର ଓସାରା ପାହାଡ଼ରେ ନିଖୋଜ ହେବା ଖବର ଅତ୍ୟନ୍ତ ଚିନ୍ତାଜନକ। ଏହି ପରିପ୍ରେକ୍ଷୀରେ, ମୁଁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇ ଏ ବିଷୟରେ ଆଲୋଚନା କରି ଶୀଘ୍ର ଏବଂ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛି।
ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ରାଜା ଏବଂ ସୋନମ ସୁରକ୍ଷିତ ଭାବରେ ଘରକୁ ଫେରି ଆସନ୍ତୁ, ଆମେ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛୁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/28/s8mCZ0EwBldi2BlVYzl9.jpeg)
