ଝାରସୁଗୁଡ଼ା : ବୋରୱେଲ ପାଇଁ ଖୋଳାଯାଇଥିବା ଏକ ଗର୍ତ୍ତରେ ଖସି ପଡ଼ିଥିବା ରାହୁଲ ସାହୁ (୧୦)ଙ୍କୁ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଟାଣ ମାଟି ଓ ପଥର କାଟି ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଞ୍ଚିବାକୁ ଯେଉଁ ଉଦ୍ୟମ କରିଛନ୍ତି ସେଥିରେ ସଫଳ ହେବାକୁ ଆଉ ମାତ୍ର ୨ ଫୁଟ୍ର ବ୍ୟବଧାନ ରହିଛି। ତଥାପି ବିପଦ ଟଳି ନାହିଁ। କାରଣ ଶେଷ ୪ ଫୁଟ୍ କଠିଣ ପଥର ବାହାରିଥିବାରୁ ଏହାକୁ ଭେଦ କରି ସୁଡ଼ଙ୍ଗ ଖୋଳିବା ଉଦ୍ଧାରକାରୀ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବୋରୱେଲ ଗର୍ତ୍ତ ନିକଟରେ ଏକ ପୋଖରୀ ଭଳି ୮୦ ଫୁଟ୍ ଗାତ ଖୋଳିବା ପରେ ସେଠାରୁ ସୁଢ଼ଙ୍ଗ ଖୋଳି ରାହୁଲ ପାଖକୁ ପହଞ୍ଚିବାକୁ ଉଦ୍ୟମ କରାଯାଉଛି। ଗତ ଶୁକ୍ରବାର ଅପରାହ୍ଣ ୪ଟାରେ ନିଜ ଘର ବାରିପଟେ ଖେଳୁଥିବା ଏହି ୧୦ ବର୍ଷ ଶିଶୁ ବୋରୱେଲ ପାଇଁ ଖୋଳାଯାଇଥିବା ଗାତରେ ଖସିପଡ଼ି ୮୦ ଫୁଟ୍ ତଳକୁ ଗଳି ଯାଇଥିଲେ। ଆଜିକୁ ୭୭ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶେଷ ୪ ଫୁଟ୍ ଉଦ୍ଧାରକାରୀ ଦଳଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି। ଶିଶୁଟି ପାଣି କାଦୁଅ ଭିତରେ ଦୀର୍ଘ ଘଣ୍ଟା ଧରି ରହି ନିସ୍ତେଜ ହୋଇ ଯାଇଥିବା ବେଳେ ତାକୁ କିଛି ସମୟ ବ୍ୟବଧାନରେ କଦଳି ଖାଇବାକୁ ଦିଆଯାଉଛି। ଉଦ୍ଧାର କରିବା କ୍ଷଣି ତାକୁ ଚିକିତ୍ସା ଯୋଗାଇ ଦେବାକୁ ଏକ ଉଚ୍ଚସ୍ତରୀୟ ମେଡିକାଲ ଟିମ୍ ସେଠାରେ ରହିଥିବା ବେଳେ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି ।
ଝାରସୁଗୁଡ଼ା ସୀମାକୁ ଲାଗି ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁର ୧୦ ବର୍ଷର ବାଳକ ରାହୁଲ ଏକ ବୋରୱେଲ ଗର୍ତ୍ତରେ ଗତ ଶୁକ୍ରବାର ଅପରାହ୍ଣ ୪ ଟାରୁ ଖସି ପଡ଼ି ଜୀବନ ସହିତ ସଂଗ୍ରାମ କରୁଛି। ନିଜ ଘର ବାରିପଟେ ଥିବା ଜମିରେ ପାଣି ମଡ଼ାଇବାକୁ ପିଲାର ବାପା ଏହି ବୋରୱେଲ ଖୋଳିଥିବା ବେଳେ ପାଣି ନବାହାରିବାରୁ ତାକୁ ଖୋଲା ଛାଡ଼ି ଦେଇଥିଲା। ତେବେ ପିଲାଟି ସେଠାରେ ଖେଳୁଥିବା ସମୟରେ ଏହି ଗର୍ତ୍ତରେ ଖସିପଡି ଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Capture-18.png)