ଛତିଶଗଡ଼ରେ ବୋରୱେଲରେ ବାଳକ ଖସିପଡ଼ିବା ଘଟଣା: ମୁଣ୍ଡ ଉଠାଇ ପ୍ରତିକ୍ରିୟା ଦେଉଛି ରାହୁଲ, ଉଦ୍ଧାର ପାଇଁ ପୂଜାର୍ଚ୍ଚନା ଜାରି

ଜାଞ୍ଜଗିର: ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲ୍ଲା ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁରେ ବୋରୱେଲ ପାଇଁ ଖେଳାଯାଇଥିବା ଗାତରେ ରାହୁଲ ନାମକ ୧୧ ବର୍ଷୀୟ ବାଳକ ୯୨ ଘଣ୍ଟା ହେଲା ଫସି ରହିଛି। ତାକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ, ସେନା ଓ ଏନ୍‌ଡିଆରଏଫ୍ ଟିମ୍ ଉଦ୍ୟମ କରିଛନ୍ତି। ଯାହା ଆଶା କରାଯାଉଛି ରାତି ୮ଟା ପୂର୍ବରୁ ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରେ। ଏଥି ପାଇଁ ସେନା ନେତୃତ୍ବ ନେଇଛି। ରାହୁଲଙ୍କ ଅବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଛି। ମାତ୍ର ଏହାର ଚଳପ୍ରଚଳ ନେଇ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ରାହୁଲ ମୁଣ୍ଡ ଉଠାଉଛି ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛି। ଇଶାରା ମାଧ୍ୟମରେ ଖାଇବାକୁ ମାଗିଛି।

ତେବେ ରାହୁଲକୁ ଉଦ୍ଧାର କରାଯିବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯିବ। ଏଥି ପାଇଁ ସ୍ବାସ୍ଥ୍ୟ ବିଭାଗ ଆବଶ୍ୟକ ପଦକ୍ଷେପ ନେଇଛି। ରାହୁଲ ପାଇଁ ଆମ୍ବୁଲାନ୍ସ ଡକାଯାଇଥିବା ବେଳେ ଉଦ୍ଧାର ପରେ ତାକୁ ବିଲାସପୁରସ୍ଥିତ ଆପଲୋ ହସ୍‌ପିଟାଲରେ ଭର୍ତ୍ତି କରାଯିବ।

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଟୁଇଟ୍ କରି କହିଛନ୍ତି ଯେ, ବାଳକ ରାହୁଲଙ୍କ ପ୍ରତି ସମସ୍ତଙ୍କର ଆଶୀର୍ବାଦ ରହିଛି। ଏବେ ରାହୁଳ ସଂକେତ ମାଧ୍ୟମରେ ଖାଇବାକୁ ମାଗୁଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍ ମଧ୍ୟ ବାଳକର ସାହସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳାଙ୍କ କହିବା ଅନୁସାରେ ସର୍ଜନ କହିଛନ୍ତି ଯେ, ରାହୁଲ ସାଧାରଣତଃ ଶ୍ବାସକ୍ରିୟା କରୁଛି। ତା’ର ସ୍ବାସ୍ଥ୍ୟ ପାଇଁ ରାଜ୍ୟବ୍ୟାପୀ ଲୋକେ ପୂଜାର୍ଚ୍ଚନା କରୁଛନ୍ତି। ବଲୌଦା ବଜାରରେ ରାହୁଲଙ୍କ ପାଇଁ ଗାୟତ୍ରୀ ପରିବାର ତରଫରୁ ହୋମ-ଯଜ୍ଞ କରାଯାଉଛି। ଏଥି ସହିତ ରାହୁଲଙ୍କ ଦୀର୍ଘାୟୁ କାମନା କରି ମହାମୃତ୍ୟୁଞ୍ଜୟ ଯପ ମଧ୍ୟ ଚାଲିଛି।

କୁହାଯାଉଛି ଯେ ରାହୁଲ ଓ ଯବାନଙ୍କ ମଧ୍ୟରେ ଏକ ବଡ଼ ପଥର ରହିଛି। ଟନେଲ ଭିତରେ ଚୂନପଥର ହେବା କାରଣରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି। ମାତ୍ର ଉଦ୍ଧାରକାରୀ ଟିମ୍ ରାହୁଳର ନିକଟରେ ଅଛନ୍ତି। ରାହୁଲଙ୍କ ନିକଟକୁ ପହଞ୍ଚିବା ପାଇଁ ଟନେଲ କାର୍ଯ୍ୟରେ ନିୟୋଜିତ ଏନଡିଆରଏଫର କମାଣ୍ଡ ଇନ୍ ଚିଫ ବର୍ଦ୍ଧମାନ ମିଶ୍ରା ଆଘାତ ପାଇଛନ୍ତି। ଡାକ୍ତର ତାଙ୍କୁ ଘଟଣାସ୍ଥଳରେ ଚିକିତ୍ସା ଯୋଗାଇ ଦେଇଛନ୍ତି। ଶ୍ରୀ ମିଶ୍ରା ପୁଣି ଥରେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି।

ସୂଚନାଯୋଗ୍ୟ, ଆଜିକୁ ୪ ଦିନ ହେବ ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁର ୧୧ବର୍ଷର ମୂକ-ବଧିର ବାଳକ ରାହୁଲ ୮୦ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଥିଲା। ପ୍ରଶାସନ, ସେନା ଓ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଥିବାରୁ ବାଳକ ଉଦ୍ଧାର ପାଇବା ଆଶା ଉଜ୍ଜୀବିତ ହୋଇଛି।

 

ସମ୍ବନ୍ଧିତ ଖବର