୭୦ ଫୁଟ ତଳେ ରହି ମୃତ୍ୟୁ ସହ ସଂଗ୍ରାମ କରୁଛି ସୁଜିତ୍‌, ପୁଅକୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ବ୍ୟାଗ୍‌ ବୁଣିଲେ ମା’

ତିରୁଚିରାପ୍ପଲୀ : ବୋରୱେଲ ଭିତରେ ରହି ମୃତ୍ୟୁ ସହ ଏବେ ବି ଲଢ଼େଇ ଜାରି ରଖିଛି ସୁଜିତ୍‌ । ଏ ମଧ୍ୟରେ ଗୋଟେ ରାତି ଓ ଗୋଟେ ଦିନ ବିତି ଯାଇଥିଲେ ମଧ୍ୟ ସୁଜିତ୍‌ ହାର୍‌ ମାନି ନାହିଁ । ୭୦ଫୁଟ ତଳେ ଏକା ରହି ସେ ଏବେ ବି ବଞ୍ଚିବାର ଆଶା ନେଇ ମୃତ୍ୟୁକୁ ନିଜ ପାଖକୁ ଆସିବାକୁ ଦେଇ ନାହିଁ । ଏପଟେ ସୁଜିତ୍‌ର ଡାକ ଶୁଣିବା ପାଇଁ ପରିବାର ଓ ସ୍ଥାନୀୟ ଲୋକେ ବ୍ୟାକୁଳତାର ସହ ଅନାଇ ବସିଛନ୍ତି। ଉଦ୍ଧାରକାରୀ ଦଳ ମଧ୍ୟ ସମସ୍ତ ବଳ ଲଗାଇ ଦେଇଥିବା ଜଣାପଡ଼ିଛି । ସୁଜିତ୍‌ଙ୍କ ବାପା ନଳକୂପ ଗର୍ତ୍ତ ପାଖରେ ବସି ବାରମ୍ବାର ସୁଜିତ୍‌ଙ୍କୁ ଡ଼ାକ ଛାଡ଼ୁଥିବାର ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଉଛି। ବାରମ୍ବାର ରଶି ତଳକୁ ପକାଇ ସୁଜିତ୍‌କୁ ବାହାରକୁ ଆଣିବା ସମ୍ଭବ ହେଉ ନ ଥିବାରୁ ଉଦ୍ଧାରକାରୀ ଟିମ୍‌ର ଏକ୍ସପର୍ଟ ଶ୍ରୀଧର ପଲାନିସ୍ୱ୍ଵାମୀ ବ୍ୟାଗ୍‌ ସାହାଯ୍ୟରେ ସୁଜିତ୍‌ଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣାଯାଇ ପାରିବ ବୋଲି ପରାମର୍ଶ ଦେଇଥିଲେ । ଏକ୍ସପର୍ଟଙ୍କଠାରୁ ଏ କଥା ଶୁଣି ପୁଅର ଡ଼ାକ ଶୁଣିବାକୁ ଅନାଇ ବସିଥିବା ମା’ ତୁରନ୍ତ ଯାଇ ବ୍ୟାଗ୍‌ ସିଲେଇ କରିବା ଖବର  ଏବେ ସାମ୍ନାକୁ ଆସିଛି, ଯାହା ସାରା ଦେଶବାସୀଙ୍କୁ ଭାବବିହ୍ଵଳ କରି ଦେଇଛି ।

ସୂଚନା ମୁତାବକ, ଶୁକ୍ରବାର ଦିନ ତିରୁଚିରାପଲ୍ଲୀ  ଜିଲ୍ଲାର ନାଡୁକାଟ୍ଟୁପଲ୍ଲୀଠାରେ ୨ବର୍ଷୀୟ ସୁଜିତ୍‌ ନିଜ ଘର ଆଗରେ ଥିବା ୬୦୦ଫୁଟ୍‌ ନଳକୂପ ଗର୍ତ୍ତକୁ ଖସି ପଡ଼ିଥିଲେ । ନିଜ ଭାଇ-ଭଉଣୀଙ୍କ ସହ ଖେଳୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଘଟଣା ଘଟିବାର ତୁରନ୍ତ ପରେ ସୁଜିତ୍‌ଙ୍କୁ ଉଦ୍ଧାର କରିବା ପାଇଁ ସାରା ରାତି ଓ ଶନିବାର ସାରାଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ପ୍ରଥମେ ସେ ୨୫ଫୁଟ୍‌ ତଳକୁ ଖସି ପଡ଼ିଥିବା ବେଳେ ପରେ ସେ ୭୦ଫୁଟ ତଳକୁ ଖସି ଯାଇଥିଲେ । ଅଗ୍ନିଶମ ବିଭାଗ କର୍ମୀ ଓ ଉଦ୍ଧାରକାରୀ ଦଳ ତାଙ୍କୁ ଭିତରୁ କାଢ଼ିବାରେ ବିଫଳ ହେବାରୁ ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ଟିମ୍‌କୁ ଏବେ କାମରେ ଲଗାଯାଇଛି ।

ଉଦ୍ଧାରକାରୀ ଟିମ୍‌ର କହିବା ମୁତାବକ, ସୁଜିତ୍‌ର ହାତ ମାଟିରେ ପୋତି ହୋଇ ଯାଇଥିବାରୁ, ତା’ର ହାତକୁ ଧରିବା ସହଜ ହେଉ ନାହିଁ । ଥରେ ତା’ର ହାତକୁ ଧରିନେବା ପରେ ଆମେ ତାକୁ ସହଜରେ କାଢ଼ି ପାରିବୁ । ଅନ୍ୟ ପକ୍ଷରେ ସାରା ରାତି ଉଦ୍ୟମ କରି ଉଦ୍ଧାରକାରୀ ଟିମ୍‌ ବିଫଳ ହେବା ପରେ ତିରୁଚି, କୋଏମ୍ବାଟୁର, ନମାକ୍କଲ ଏବଂ ମଦୁରାଇରେ ଥିବା ବିଭିନ୍ନ ଏନ୍‌ଜିଓ ସଂସ୍ଥା ନିଜ ନିଜର ସ୍ୱଦେଶୀ ମେସିନ ନେଇ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ବୋଲି ଜଣା ପଡ଼ିଛି । କିନ୍ତୁ ୩ ଥର ତାଙ୍କୁ ଉପରକୁ ଆଣିବାକୁ ଚେଷ୍ଟା କରାଯାଇ ମଧ୍ୟ ଉଦ୍ଧରକାରୀ ଟିମ୍‌ ବିଫଳ ହୋଇଥିଲା । ଏବେ ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ସାମ୍ନାକୁ ଆସିଛି । ସୁଜିତ୍‌ଙ୍କୁ ବଞ୍ଚାଇବା ପାଇଁ ପୂରା ଟିମ୍‌ ଲାଗି ପଡ଼ିଛି ।

ସମ୍ବନ୍ଧିତ ଖବର