ମଧ୍ୟପ୍ରଦେଶ : ବୋରଓ୍ବେଲରେ ଫସିଛି ଶିଶୁ, ୨୪ ଘଣ୍ଟା ପରେ ବି ଉଦ୍ଧାରକାର୍ଯ୍ୟ ଜାରି

ଭୋପାଳ : ମଧ୍ୟପ୍ରଦେଶର ବୈତୁଲର ମାଣ୍ଡଭି ଗ୍ରାମରେ ଏକ ବୋରୱେଲରେ ପଡ଼ିଥିବା ଜଣେ ୬ ବର୍ଷର ବାଳକକୁ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଶିଶୁ ପାଇଁ ପାଇପ ମାଧ୍ୟମରେ ଅମ୍ଳଜାନ ପଠାଯାଉଛି । ତେବେ ଶିଶୁର କଥାବାର୍ତ୍ତା ଶୁଣାଯାଉନଥିବାରୁ ଉଦ୍ଧାରକାରୀଙ୍କ ଚିନ୍ତା ବଢିଯାଇଛି । ଏହା ସତ୍ତ୍ବେ ଶିଶୁକୁ ସୁରକ୍ଷିତ ଉଦ୍ଧାର ଲାଗି ସେମାନେ ଆଶାବାଦୀ ଅଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସ୍ଥିତି ଉପରେ ନଜର ରଖିଛନ୍ତି ।

ଉଦ୍ଧାରକାରୀ ଦଳ ଅପରାହ୍ନ ୩ଟା ସୁଦ୍ଧା ପଥର ଭାଙ୍ଗି ବୋରୱେଲ ନିକଟରେ ଏକ ୪୫ ଫୁଟ ଗଭୀର ଗାତ ଖୋଳିଛନ୍ତି। ଏଥିରୁ ପାଣି ବାହାରିବା ଆରମ୍ଭ ହୋଇଛି, ଯାହା ଏକ ମୋଟର ସ୍ଥାପନ କରି ବାହାରକୁ ନିଆଯାଉଛି । ବର୍ତ୍ତମାନ ଗାତକୁ ୫ ଫୁଟ ଗଭୀର କରାଯିବ, ତା’ପରେ ଶିଶୁପାଖରେ ପହଞ୍ଚିବା ପାଇଁ ୭ ରୁ ୮ ଫୁଟ ଲମ୍ବା ଟନେଲ ତିଆରି କରିବାର କାର୍ଯ୍ୟ ଆରମ୍ଭ ହେବ । ଏନଡିଆରଏଫ ଦଳ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ସୁଡ଼ଙ୍ଗ ନିର୍ମାଣ ଉପରେ ବିସ୍ଫୋରଣ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଉଛି ।

ନିଜେ ସମଗ୍ର ବିଷୟ ଉପରେ ନଜର ରଖିଥିବା ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ଯେ ପ୍ରଶାସନକୁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ ଏନଡିଆରଏଫ-ଏସଡିଇଆରଏଫ ଦଳ କ୍ରମାଗତ ଭାବେ କାର୍ଯ୍ୟ କରୁଛି।

 

 

ସମ୍ବନ୍ଧିତ ଖବର