ଅରୁଣାଚଳରେ ଏଏନ୍-୩୨ ବିମାନ ଦୁର୍ଘଟଣା : ଉଦ୍ଧାର ହେଲେ ରେସକ୍ୟୁ ଟିମ୍

ଉଦ୍ଧାର କରିବାକୁ ଯାଇ ଫସିଯାଇଥିଲେ, ୧୨ହଜାର ଫୁଟ୍‌ ଉଚ୍ଚତାରେ ରହିଲେ ୧୮ ଦିନ

ଗୌହାଟି : ଅରୁଣାଚଳ ପ୍ରଦେଶ ପର୍ବତ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ବାୟୁସେନାର ପରିବହନ ବିମାନ ‘ଏ-ଏନ୍‌ ୩୨’କୁ ଠାବ କରିବା ଲାଗି ଯାଇ ସେଠାରେ ଫସିଯାଇଥିବା ୧୫ ଜଣିଆ ଉଦ୍ଧାରକାରୀ ଦଳଙ୍କୁ ଆଜି ଶେଷରେ ଉଦ୍ଧ‌ାର କରାଯାଇଛି। ଦୀର୍ଘ ୧୮ ଦିନ ହେଲା ସେମାନେ ଫସି ରହିଥିଲେ। ଖରାପ ପାଗ ଯୋଗୁଁ ସେମାନଙ୍କୁ ଉଦ୍ଧାର କରାଯାଇ ପାରୁନଥିଲା। ଆଜି ଭାରତୀୟ ବାୟୁ ସେନାର ଏମଆଇ-୧୭ଭି୫ ହେଲିକପଟର ସେମାନଙ୍କୁ ଉଦ୍ଧାର କରିଛି। ଉଦ୍ଧାର ପାଇଥିବା ଦଳରେ ବାୟୁସେନାର ୮ ଜଣ, ସେନାର ୪ ଜଣ ଏବଂ ୩ ଜଣ ବେସାମରିକ ଲୋକ ଥିଲେ। ସେମାନେ ସମସ୍ତେ ସୁସ୍ଥ ଥିବା ପ୍ରତିରକ୍ଷା ବାହିନୀ ସୂତ୍ରରୁ ପ୍ରକାଶ।

ସେମାନେ ‌ଅରୁଣାଚଳ ‘ପରି ଅଦି ହିଲ୍‌’ର ୧୨,୦୦୦ ଫୁଟ୍‌ ଉଚ୍ଚତାରେ ଫସି ରହିଥିଲେ। ଲଗାଣ ବର୍ଷା ଯୋଗୁଁ ଦୀର୍ଘ ୧୮ ଦିନ ହେବ ଘଞ୍ଚ ପାହାଡ଼ ଅଞ୍ଚଳରେ ଫସି ରହିବା ଯୋଗୁଁ ଚିନ୍ତାରେ ପଡ଼ିଯାଇଥିଲା ଭାରତୀୟ ବାୟୁ‌େସନା।

ସୂଚନାଯୋଗ୍ୟ ଯେ ଗତ ୩ ତାରିଖରେ ବାୟୁସେନାର ‘ଏ-ଏନ୍‌ ୩୨’ ବିମାନ ନିଖୋଜ ହୋଇଯାଇଥିଲା। ବିମାନରେ ପାଇଲଟ୍‌ଙ୍କ ସମେତ ସମୁଦାୟ ୧୩ ଜଣ ଥିଲେ। ନିଖୋଜ ବିମାନକୁ ଠାବ କରିବାପାଇଁ ବାୟୁସେନାର କିଛି ବିମାନ ଏବଂ ଇସ୍ରୋ ସାଟେଲାଇଟ୍‌ ମଧ୍ୟ ନିୟୋଜିତ ‌ହୋଇଥିଲେ। ନିଖୋଜ ହେବାର ଦୀର୍ଘ ୯ ଦିନ ପରେ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର ଦ୍ବାରା ବିମାନଟିକୁ ଠାବ କରାଯାଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା। ଏଥିରେ ଥିବା ସମସ୍ତ ୧୩ ଜଣ ପ୍ରାଣ ହରାଇଥିଲେ। ଜୁନ୍‌ ୧୨ ତାରିଖରେ ଅରୁଣାଚଳ ପ୍ରଦେଶ ପାର୍ବତ୍ୟାଞ୍ଚଳର ୧୨,୦୦୦ ଫୁଟ୍‌ ଉଚ୍ଚତାରେ ଏହି ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ବିମାନକୁ ଠାବ କରିଥିଲେ। କିନ୍ତୁ ଲଗାତାର ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ତେବେ ବହୁ କଷ୍ଟରେ ଉଦ୍ଧାରକାରୀ ଦଳ ୧୩ ଜଣଙ୍କ ଶବ ଚିହ୍ନଟ କରିଥିଲେ ଏବଂ ପରେ ମୃତ ଶରୀରକୁ ବିମାନ ଯୋଗେ ଉଦ୍ଧାର କରାଯାଇଥିଲା। କିନ୍ତୁ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିବ‌ା ଏହି ଉଦ୍ଧାରକାରୀ ଦଳର ୧୫ ଜଣ ସଦସ୍ୟ ପ୍ରତିକୂଳ ପାଗ ଯୋଗୁଁ ଫସିଯାଇଥିଲେ। ଲଗାଣ ବର୍ଷା ‌ଯୋଗୁଁ ଦୀର୍ଘ ୧୮ ଦିନ ହେବ ଘଞ୍ଚ ପାହାଡ଼ ଅଞ୍ଚଳରେ ଫସିଯାଇଥିଲେ।

ବିଷାକ୍ତ ସାପ ଏବଂ କୀଟଙ୍କ ଭୟ। ଘନ ଅନ୍ଧାର ଭିତରେ ସେମାନେ ଜୀବନ ସହ ସଂଘର୍ଷ କରିଥିଲେ।। ଉଦ୍ଧାରକାରୀ ଦଳ ମାତ୍ର ୧୫ ଦିନ ପାଇଁ ରାସନ୍‌ ନେଇ ଯାଇଥିଲେ। ଇତିମଧ୍ୟରେ ସେମାନଙ୍କ ରାସନ୍ ସାମଗ୍ରୀ ସରି ଯାଇଥିଲା।। ଆକାଶମାର୍ଗରୁ ରାସନ୍‌ ସାମଗ୍ରୀ ତଳକୁ ପକାଯାଥିଲା କିନ୍ତୁ ତାହା ସେମାନଙ୍କ ନିକଟରେ
ପହଂଚି ପାରୁନଥିଲା।

ବାୟୁସେନାର ଜଣେ ୱିଙ୍ଗ୍‌ କମାଣ୍ଡର ରତ୍ନାକର ସିଂହ ଆଜି କହିଥିଲେ ଯେ, ସାଟେଲାଇଟ୍‌ ଫୋନ୍‌ ଦ୍ବାରା ଉଦ୍ଧାରକାରୀ ଦଳ ସହ ଯୋଗାଯୋଗ କରାଯାଥିଲା।

ସମ୍ବନ୍ଧିତ ଖବର