ୟୁକେ ଗବେଷକଙ୍କ ଅନୁଧ୍ୟାନ: ପୁଷ୍ଟିସାର ରୋଗପ୍ରତିରୋଧକ କ୍ଷଣସ୍ଥାୟୀ

ଲଣ୍ଡନ: ଅଭିନବ କରୋନାଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ଯିଏ ଆରୋଗ୍ୟ ଲାଭ କରିଛନ୍ତି, ସେମାନଙ୍କ ଶରୀର କେବଳ କିଛି ମାତ୍ରାରେ ପୁଷ୍ଟିସାର(ଆଣ୍ଟିବଡି) ପ୍ରତିକ୍ରିୟା ଦେଖାଇଛନ୍ତି ଯାହାକି ସଂପୃକ୍ତ ଭୂତାଣୁ ପାଇଁ କିଛି ମାସ ପାଇଁ ପ୍ରତିରୋଧକ ଭାବେ କାମ କରିଛି। ତେବେ ଏଭଳି ରୋଗପ୍ରତିରୋଧକ କ୍ଷଣସ୍ଥାୟୀ ବୋଲି ୟୁକେର ଗବେଷକମାନଙ୍କ ଦ୍ବାରା ଏକ ସଦ୍ୟ ଅନୁଧ୍ୟାନରୁ ଜଣାଯାଇଛି। ଲଣ୍ଡନର କିଙ୍ଗ୍‌ସ କଲେଜ ଗବେଷକମାନେ ଚଳାଇଥିବା ଏହି ଗବେଷଣାରେ ୯୦ ରୁ ଅଧିକ କୋଭିଡ୍‌ ପୀଡ଼ିତ ଓ ସ୍ବାସ୍ଥ୍ୟକର୍ମୀଙ୍କର ରୋଗପ୍ରତିରୋଧ ପ୍ରତିକ୍ରିୟାର ବିଶ୍ଳେଷଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଗତ ମାର୍ଚ୍ଚରେ କୋଭିଡ୍‌ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ସେ ହୋଇଥିବା ଲଣ୍ଡନ ହସ୍ପିଟାଲ୍‌ରେ ମୁଖ୍ୟ ଗବେଷକ ଡା. କାଟି ଡୁୟର୍ସଙ୍କ ନେତୃତ୍ବରେ ଏଭଳି ତର୍ଜମା କରାଯାଇଥିଲା। ଏଥିରୁ କରୋନାଭୂତାଣୁକୁ ନଷ୍ଟ କଲା ପରି ରୋଗୀଙ୍କ ଶରୀରରେ ରୋଗପ୍ରତିରୋଧ ସୃଷ୍ଟି କରୁଥିବା ପୁଷ୍ଟିସାରର ମାତ୍ରା ରୋଗୀଠାରେ କୋଭିଡ୍‌ ଲକ୍ଷଣ ଦେଖାଦେବାର ତିନି ସପ୍ତାହ ପରେ ହିଁ ସର୍ବାଧିକ ହୋଇଥିବା ଜଣାଯାଇଛି। ପରେ ଏହି ପୁଷ୍ଟିସାର ପରିମାଣ ଧୀରେ ଧୀରେ ହ୍ରାସ ହୋଇଥିବା ଜାଣିବାକୁ ମିଳିଛି।

ସୁତରାଂ ପୀଡ଼ିତମାନେ ସେହି ସମୟ ଭିତରେ ସଂପୃକ୍ତ ଭୂତାଣୁ ପାଇଁ ଉଲ୍ଲେଖନୀୟ ପରିମାଣର ରୋଗପ୍ରତିରୋଧକ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ଏବଂ ପରେ ତାହା କମି କମି ଆସିଥିଲା ବୋଲି କୁହାଯାଇଛି। ତେବେ ଜଣେ ରୋଗୀ ତା’ ଶରୀରରେ ସର୍ବାଧିକ କେତେ ପରିମାଣର ରୋଗପ୍ରତିରୋଧକାରୀ ପୁଷ୍ଟିସାର ସୃଷ୍ଟି କରିପାରିଛି, ସେଥିରୁ ଆଉ କେତେ ଦିନ ଯାଏ ରୋଗପ୍ରତିରୋଧକ ରହିପାରିବ, ତାହା ଜଣାପଡ଼ିବ ବୋଲି କୁହାଯାଇଛି। ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ ପ୍ରତି ଏପରି ପୁଷ୍ଟିସାର ପ୍ରତିକ୍ରିୟା ବା ଆଣ୍ଟିବଡି(ଏବି) ରେସ୍‌ପନ୍ସ ସାଧାରଣତଃ ଜଣେ କୋଭିଡ୍‌ ପୀଡ଼ିତ ଠାରେ ଲକ୍ଷଣ ଦେଖାଦେବାର ୧୦ରୁ ୧୫ ଦିନ ଯାଏ ରହିଥାଏ। ତେବେ ଏହି ପ୍ରତିକ୍ରିୟା କେତେ ଦିନ ଯାଏ ତିଷ୍ଠି ରହିବ ଅବା ତାହା ପରବର୍ତ୍ତୀ ସଂକ୍ରମଣରୁ ଜଣକୁ ମୁକୁଳାଇପାରିବ କି ନାହିଁ ସେ ସମ୍ପର୍କରେ କିଛି ଠୋସ ନିର୍ଯାସ ମିଳିପାରିନାହିଁ। ତେବେ ଏହି ପୁଷ୍ଟିସାର ପ୍ରତିକ୍ରିୟା ଯଦି ପ୍ରମୁଖ ପ୍ରତିରକ୍ଷା ଭାବେ ବିବେଚିତ ହୁଏ, ତେବେ ଆମ ଶରୀରର ରୋଗପ୍ରତିରୋଧ ପ୍ରଣାଳୀ ବହୁବିଧ ଉପାୟରେ କରୋନାଭୂତାଣୁର ମୁକାବିଲା କରିପାରିବ ବୋଲି ଏହି ଗବେଷକମାନେ କହିଛନ୍ତି। ୟୁକେ ଗବେଷକମାନଙ୍କ ଏହି ଫଳାଫଳ ମୁଖ୍ୟତଃ ବିକ୍ଷିପ୍ତ ଭାବେ ରକ୍ତମସ୍ତୁ ପରୀକ୍ଷଣ ବେଳେ ଏବଂ କୋଭିଡ୍‌ ଟିକାର ନିବାରଣ ଅବଧି ନିରୂପଣ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର

Comments are closed.