ପ୍ୟାରିସ: ଜଳବାୟୁ ପରିବର୍ତ୍ତନକୁ ନେଇ  ବୈଜ୍ଞାନିକ ଆଧାରରେ ଆସୁଥିବା ଅନେକ ରିପୋର୍ଟ ଏବେ ଆତଙ୍କ ସୃଷ୍ଟି କରୁଛି। ଏଭଳି ଏକ ବିଜ୍ଞାନସମ୍ମତ ଭବିଷ୍ୟବାଣୀ ଏବେ ଚର୍ଚ୍ଚାରେ ରହିଛି, ଯାହାକୁ ବୈଜ୍ଞାନିକମାନେ ଗବେଷଣା ପରେ ସାର୍ବଜନୀନ କରିଛନ୍ତି। ଏହି ଗବେଷଣା ରିପୋର୍ଟ ୟୁରୋପବାସୀଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ ସମଗ୍ର ବିଶ୍ୱ ପାଇଁ ମଧ୍ୟ ଚିନ୍ତାଜନକ ବୋଲି କୁହାଯାଉଛି।  ‘ଲଣ୍ଡନ ସ୍କୁଲ  ଅଫ୍ ହାଇଜିନ୍ ଆଣ୍ଡ୍ ଟ୍ରପିକାଲ୍ ମେଡିସିନ୍’ ଦ୍ୱାରା କରାଯାଇଥିବା ନୂତନ ଗବେଷଣା ଅନୁଯାୟୀ, ୨୦୧୫ରୁ ୨୦୯୯ ମଧ୍ୟରେ ୟୁରୋପରେ ୫.୮ ନିୟୁତରୁ ଅଧିକ ଲୋକ କେବଳ ଗରମ କାରଣରୁ ମୃତ୍ୟୁବରଣ କରିବେ। ଏହି ଗବେଷଣାରେ କେବଳ ସେହି ମୃତ୍ୟୁକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଜଳବାୟୁ ପରିବର୍ତ୍ତନ କାରଣରୁ ହେବ।

Advertisment

ଭୂମଧ୍ୟସାଗରୀୟ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହେବ

ଶୀତଜନିତ ମୃତ୍ୟୁ ତୁଳନାରେ ଗରମଜନିତ ମୃତ୍ୟୁସଂଖ୍ୟା ଅଧିକ ହେବ ବୋଲି ଗବେଷଣାରୁ ଜଣାପଡ଼ିଛି। ବାର୍ସିଲୋନାରେ ସବୁଠାରୁ ଅଧିକ ଗରମଜନିତ ମୃତ୍ୟୁ ହେବ ବୋଲି କୁହାଯାଇଥିବା ବେଳେ ରୋମ, ନେପଲ୍ସ ଓ ମାଦ୍ରିଦ ତୃତୀୟ ସ୍ଥାନରେ ରହିଛି। ଏହି ଅଧ୍ୟୟନର ମୁଖ୍ୟ ଲେଖକ ଡକ୍ଟର ପିଏରେ ମାସେଲୋଟ କହିଛନ୍ତି  ଜଳବାୟୁ ପରିବର୍ତ୍ତନ ଏବଂ ଉଷ୍ମତା ବିରୋଧରେ ତୁରନ୍ତ ପଦକ୍ଷେପ ନେବା ଏବେ ସମୟର ଆହ୍ବାନ ପାଲଟିଛି ଏବଂ ଏହା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ।

ଶତାବ୍ଦୀ ଶେଷ ବେଳକୁ ଗରମରେ ଅଧିକରୁ ଅଧିକ ଲୋକ ମୃତ୍ୟୁବରଣ କରିବେ, ବିଶେଷ କରି ଭୂମଧ୍ୟସାଗରରେ ସ୍ଥିତି ଭୟାନକ ହେବ। ଯଦି  ଠିକ୍ ସମୟରେ ପଦକ୍ଷେପ ନେବା ଆରମ୍ଭ ହେବ, ତେବେ ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ଏଡ଼ାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ। ଏହି ଅଧ୍ୟୟନରେ ୟୁରୋପର ୮୫୪ଟି ସହରକୁ ଅନୁଧ୍ୟାନ କରାଯାଇଥିଲା ଏବଂ ଭବିଷ୍ୟତରେ ଗ୍ରୀଷ୍ମଜନିତ ମୃତ୍ୟୁ ଆକଳନ କରାଯାଇଥିଲା।  ଏହି ରିପୋର୍ଟ କେବଳ ୟୁରୋପ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏକ ଚେତାବନୀ।