ଉଚ୍ଚ ରକ୍ତଚାପ, ମଧୁମେହ ଥିଲେ କରୋନା ଭାଇରସରେ ମୃତ୍ୟୁ ଆଶଙ୍କା ଅଧିକ : ଗବେଷଣା ରିପୋର୍ଟ

ନୂଆଦିଲ୍ଲୀ : କରୋନା ଭାଇରସ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗବେଷକମାନେ ଜାଣିପାରିଛନ୍ତି । କରୋନା ଭାଇରସ ( କୋଭିଡ୍‌-୧୯) ସଂକ୍ରମିତ ଲୋକମାନଙ୍କଠାରେ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗ ଥିଲେ କିମ୍ବା ବୟସ ଅଧିକ ହୋଇଥିଲେ ସେମାନଙ୍କ ମୃତ୍ୟୁ ଆଶଙ୍କା ବଢିଯାଏ ବୋଲି ଚୀନର ଗବେଷକମାନେ ଜାଣିପାରିଛନ୍ତି । ଏ ସଂପର୍କରେ ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ ଦି ଲାନସେଟରେ ଏକ ସଂଦର୍ଭ ପ୍ରକାଶିତ ହୋଇଛି ।
କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ଉହାନ ସହରରେ ପ୍ରାୟ ୧୯୧ ଜଣ ସଂକ୍ରମିତ ରୋଗୀଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ଏହି ୧୯୧ ଜଣଙ୍କ ମଧ୍ୟରୁ ୫୪ ଜଣ ମୃତ୍ୟୁବରଣ କରିଥିବାବେଳେ ଅବଶିଷ୍ଟ ୧୩୭ ଜଣ ଆରୋଗ୍ୟଲାଭ କରି ହସପିଟାଲରୁ ଛାଡ଼ ପାଇଛନ୍ତି । ତେବେ ଏହି ନମୁନାର ଆକାର କମ ଥିବାରୁ ଏହି ଗବେଷଣାରୁ ବାହାରିଥିବା ସିଦ୍ଧାନ୍ତକୁ ଚୂଡ଼ାନ୍ତ ବୋଲି ଧରାଯାଇପାରିବ ନାହିଁ ।
ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ ଲକ୍ଷ ୧୩ ହଜାର ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୪୧୦୫ରେ ପହଞ୍ଚିଛି । ଆମେରିକାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୦୦୦ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୩୧ରେ ପହଞ୍ଚିଛି । ୟୁରୋପୀୟ ଦେଶ ଇଟାଲୀରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୦ ହଜାର ଟପିଯାଇଛି । ଏହି ଦେଶରେ ମୃତ୍ୟୁସଂଖ୍ୟା ୩୬ ପ୍ରତିଶତ ବୃଦ୍ଧି ପାଇ ୬୩୧ରେ ପହଞ୍ଚିଛିି । ସାରା ଭାରତରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଆଜି ରାଜସ୍ଥାନ ଓ ଦିଲ୍ଲୀରୁ ୨ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର