ଗବେଷକଙ୍କ ଦାବି: ତୃତୀୟ ଲହର ଆରମ୍ଭ ହୋଇଛି!

‘ପର୍ଯ୍ୟଟନ, ତୀର୍ଥଯାତ୍ରା ବନ୍ଦ ହେଉ’ ବେପରୁଆ ନହେବାକୁ ଆଇଏମ୍‌ଏର ଚେତାବନୀ

ହାଇଦ୍ରାବାଦ: ଭାରତରେ କୋଭିଡ୍‌-୧୯ର ତୃତୀୟ ଲହର ଜୁଲାଇ ୪ରୁ ଆରମ୍ଭ ହୋଇସାରିଛି ବୋଲି ୧୫ ମାସରୁ ଅଧିକ ସମୟ ଧରି କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପରେ ବିଶ୍ଳେଷଣ କରୁଥିବା ହାଇଦ୍ରାବାଦର ଜଣେ ବରିଷ୍ଠ ଗବେଷକ ମତ ଦେଇଛନ୍ତି। ବିଶିଷ୍ଟ ପଦାର୍ଥବିଜ୍ଞାନୀ ତଥା ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ବିପିନ ଶ୍ରୀବାସ୍ତବ କହିଛନ୍ତି ଯେ, ଜୁଲାଇ ୪ ପରଠାରୁ କୋଭିଡ୍‌-୧୯ ସଂକ୍ରମଣ ଓ ମୃତ୍ୟୁ ୨୦୨୧ ଫେବ୍ରୁଆରି ପ୍ରଥମ ସପ୍ତାହ ଅନୁରୂପ ହେବାର ଦେଖାଯାଉଛି, ଯେତେବେଳେ ଦ୍ବିତୀୟ ଲହର ଆରମ୍ଭ ହୋଇ ଏପ୍ରିଲ ଶେଷ ସୁଦ୍ଧା ଶିଖରକୁ ଛୁଇଁଥିଲା।

ଡ. ଶ୍ରୀବାସ୍ତବ ଚେତାବନୀ ଦେଇଛନ୍ତି ଯେ, ଲୋକମାନେ ଯଦି କୋଭିଡ୍‌ ନିୟମାବଳି ଯଥା ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଓ ଟିକା ନେବା ପ୍ରଭୃତି ନ ମାନନ୍ତି, ତେବେ ଏ ତୃତୀୟ ଲହର ଖୁବ୍‌ଶୀଘ୍ର ସଂକ୍ରମଣର ଗତିକୁ ବଢ଼ାଇଦେଇପାରେ। ଏହି ଲହରର ଢାଞ୍ଚା ବୁଝାଇବା ପାଇଁ ସେ ସମ୍ବାଦପତ୍ରଗୁଡ଼ିକରେ ପ୍ରକାଶିତ ତଥ୍ୟ ଭିତ୍ତିରେ ଗ୍ରାଫ୍ ପ୍ରସ୍ତୁତ କରିଛନ୍ତି। ସେ ୪୬୧ ଦିନର କୋଭିଡ୍‌-ଜନିତ ମୃତ୍ୟୁ ସମ୍ପର୍କିତ ତଥ୍ୟ ବିଶ୍ଳେଷଣ କରି ମହାମାରୀର ଅଗ୍ରଗତି ବିଷୟରେ ତିନୋଟି ମେଟ୍ରିକ୍ (ମାପ ପଦ୍ଧତି) ପ୍ରସ୍ତୁତ କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ମେଟ୍ରିକ୍‌ର ବିଶ୍ଳେଷଣରୁ ଜୁଲାଇ ୪ରୁ ନୂତନ ଲହର ଆରମ୍ଭ ହେବାର ସବୁ ଲକ୍ଷଣ ପ୍ରକାଶ ପାଉଛି। ସେ ଏହି ମେଟ୍ରିକ୍‌ର ନାଁ ଦେଇଛନ୍ତି କୋଭିଡ୍‌-୧୯ର ‘ଡେଲି ଡେଥ୍ ଲୋଡ୍‌’ (ଡିଡିଏଲ୍‌)। ସେ ସମ୍ବାଦପତ୍ର ତଥ୍ୟରୁ ପ୍ରତି ୨୪ ଘଣ୍ଟାରେ ଡିଡିଏଲ୍‌ର ମେଟ୍ରିକ୍ ହିସାବ କରିଥାନ୍ତି। କୋଭିଡ୍‌-୧୯ର ଅଗ୍ରଗତି/ପଶ୍ଚାତ୍‌ଗତି ହିସାବ କରିବା ପାଇଁ ସେ ପ୍ରତି ୨୪ ଘଣ୍ଟାରେ ମୃତ୍ୟୁ ଓ ନୂତନ ସଂକ୍ରମଣର ଅନୁପାତ ନେଇଥାନ୍ତି। ଏହା ଯୁକ୍ତାତ୍ମକ ବା ବିଯୁକ୍ତାତ୍ମକ ହୋଇପାରେ କିମ୍ବା ଛୋଟ ବା ବଡ଼ ସଂଖ୍ୟାର ବିସ୍ତାର ହୋଇପାରେ। ଯେତେବେଳେ ୨୪ ଘଣ୍ଟାରେ ନୂତନ ସଂକ୍ରମଣ ସଂଖ୍ୟାକୁ ଆରୋଗ୍ୟ ସଂଖ୍ୟା ଟପିଯାଏ, ସେତେବେଳେ ଏହା ବିଯୁକ୍ତାତ୍ମକ ହୁଏ ଏବଂ ତାହାର ବିପରୀତ ହେଲେ ଯୁକ୍ତାତ୍ମକ। ଯେତେବେଳେ ଏହା ବିଯୁକ୍ତାତ୍ମକ ହୁଏ ବା ଦୈନିକ ମୃତ୍ୟୁସଂଖ୍ୟା କମିଯାଏ ସେତେବେଳେ ଅନୁକୂଳ ପରିସ୍ଥିତି ସୃଷ୍ଟି ହୁଏ।

ଡ. ଶ୍ରୀବାସ୍ତବ କହିଛନ୍ତି ଯେ, ୨୦୨୧ ମେ ମାସରେ ମୃତ୍ୟୁସଂଖ୍ୟା ବହୁ ଅଧିକ ହୋଇଥିଲେ ମଧ୍ୟ ମେ ୬ରୁ ୧୭ ପର୍ଯ୍ୟନ୍ତ ୧୦ ଦିନ ଭିତରେ ଡିଡିଏଲ୍‌ରେ ବ୍ୟାପକ ପରିବର୍ତ୍ତନ ହୋଇଥିଲା। ଡିଡିଏଲ୍‌ରୁ ଫେବ୍ରୁଆରି ମଧ୍ୟଭାଗରୁ ଦ୍ବିତୀୟ ଲହର ଆରମ୍ଭର ସୂଚନା ମିଳିଥିଲା। ଏବେ ଜୁଲାଇ ୪ରୁ ଡିଡିଏଲ୍‌ ମୂଲ୍ୟ‌ରେ ଘନ ଘନ ପରିବର୍ତ୍ତନ ଘଟୁଛି, ଯେଉଁଥିରୁ ତୃତୀୟ ଲହର ଆରମ୍ଭ ହୋଇସାରିଥିବାର ସୂଚନା ମିଳୁଛି ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ : ଦେଶରେ ଖୁବ୍‌ ଶୀଘ୍ର ତୃତୀୟ ଲହର ଆ‌ସିଯିବ। କିନ୍ତୁ ବିଭିନ୍ନ ରାଜ୍ୟମାନଙ୍କରେ କରୋନାକୁ ଯେଭଳି ବେପରୁଆ ଢଙ୍ଗରେ ମୁକାବିଲା କରାଯାଉଛି ସେଦିଗରେ ଚିନ୍ତା ପ୍ରକଟ କରିଛି ଆଇଏମ୍‌ଏ (ଇଣ୍ଡିଆନ୍‌ ମେଡିକାଲ ଆସୋ‌ସିଏସନ୍‌)। ଭାରତ ନିକଟରେ ବିପଜ୍ଜନକ ଦ୍ବିତୀୟ ଲହରରୁ ବାହାରିଛି। ତୃତୀୟ ଲହର ବି ଅବଶ୍ୟମ୍ଭାବୀ ଏବଂ ଏହା ଖୁବ୍‌ଶୀଘ୍ର ଆସିଯିବ। କିନ୍ତୁ ଦେଶର ବିଭିନ୍ନ ଅଂଶରେ ଉଭୟ ସରକାର ଏବଂ ସାଧାରଣ ଲୋକ କରୋନାକୁ ଯେଭଳି ବେପରୁଆ ଢଙ୍ଗରେ ମୁକାବିଲା କରିଛନ୍ତି ଏବଂ ନିୟମାବଳିର ଯେଭଳି ଉଲ୍ଲଂଘନ ହେଉଛି ତାହା ଅତ୍ୟନ୍ତ ଚିନ୍ତାଜନକ ବୋଲି ଆଇଏମ୍‌ଏ ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ କୁହାଯାଇଛି। ପର୍ଯ୍ୟଟନ, ତୀର୍ଥଯାତ୍ରା ଏସବୁ ଆବଶ୍ୟକ। କିନ୍ତୁ ଏଥିପାଇଁ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ। ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥଳ ‌ଖୋଲିଦେବା ଦ୍ବାରା ସ୍ଥିତି ଅତ୍ୟନ୍ତ ବିଗିଡ଼ି ଯିବ ବୋଲି ଆଇଏମ୍‌ଏ ଚେତାବନୀ ଦେଇଛି।

ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଆଉ ୩ ମାସ ପାଇଁ ସମସ୍ତ କରୋନ କଟକଣା ଲାଗୁ ରଖିବା ଉଚିତ୍‌। ପର୍ଯ୍ୟଟନ, ତୀର୍ଥଯାତ୍ରା ସବୁ ଆବଶ୍ୟକ। କିନ୍ତୁ ଏଥିପାଇଁ ଆହୁରି ୩ ମାସ ଅପେକ୍ଷା କରିବାକୁ ପଡ଼ିବ। କେନ୍ଦ୍ର ଏବଂ ରାଜ୍ୟ ସରକାର ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେଇ ବିଶାଳ ଜନସମାଗମ ଭଳି କାର୍ଯ୍ୟକ୍ରମ ବନ୍ଦ ରଖିବାପାଇଁ ଆଇଏମ୍‌ଏ କହିଛି। ଏହି ପ୍ରେସ୍‌ ବିବୃତିରେ ଆଇଏମ୍‌ଏ ସଭାପତି ଡାକ୍ତର ଜେ ଏ ଜୟଲାଲ୍‌ ଏବଂ ମହାସଚିବ ଡାକ୍ତର ଜ‌ୟେଶ ଲେଲେଙ୍କ ସ୍ବାକ୍ଷର ରହିଛି। ପର୍ଯ୍ୟଟନ ଏବଂ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲିଦେବା ଦ୍ବାରା ଏହା ତୃତୀୟ ଲହର ପାଇଁ ସୁପର୍‌ସ୍ପ୍ରେଡର ହେବ ବୋଲି ଆଇଏମ୍‌ଏ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର