ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଦାବି: ବିଶୁଦ୍ଧିକରଣ ପ୍ରକ୍ରିୟା ପରେ ପୁନଃବ୍ୟବହାରକ୍ଷମ ହୋଇପାରିବ ଏନ୯୫ ସର୍ଜିକାଲ ମାସ୍କ

ନୂଆଦିଲ୍ଲୀ: ବର୍ତ୍ତମାନ ନୋଭେଲ କରୋନାଭାଇରସ୍ ମହାମାରୀ ଲୋକଙ୍କ ଦୈନନ୍ଦିନ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି | ସଂକ୍ରମଣକୁ ରୋକିବା ପାଇଁ ଲୋକୋମାନଙ୍କୁ ସମ୍ପୁର୍ଣ୍ଣ ଭାବେ ଘରେ ରହିବାକୁ ପଡୁଥିବା ବେଳେ ଦେଶର ଅର୍ଥନୀତି ଉପରେ ଏହା ଗଭୀର ପ୍ରଭାବ ପକାଇଛି | ବର୍ତ୍ତମାନ ସଂକ୍ରମଣକୁ ରୋକିବା ପାଇଁ ଲୋକେ ସର୍ଜିକାଲ ମାସ୍କ ସହ ସାନିଟାଇଜର ବ୍ୟବହାର କରୁଛନ୍ତି, ଯାହା ଦ୍ୱାରା ବଜାରରେ ଏହାର ଅଭାବ ଦେଖିବାକୁ ମିଳୁଛି | ବିଶେଷ କରି ଏନ୯୫ ସର୍ଜିକାଲ ମାସ୍କ, ଯାହାର ଚାହିଦା ଅନ୍ୟ ମାସ୍କ ଅପେକ୍ଷା ଅଧିକ ରହିଛି |

ଏନ୯୫ ସର୍ଜିକାଲ ମାସ୍କକୁ ବିଶେଷ କରି ସ୍ୱାସ୍ଥ୍ୟସେବା କର୍ମଚାରୀ ମାନେ ପିନ୍ଧିଥାନ୍ତି, ଯେଉଁମାନେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି | ତେବେ ପ୍ରଥମେ ଏହି ମାସ୍କକୁ କେବଳ ଥରେ ବ୍ୟବହାର କରାଯାଇପାରିବ ବୋଲି କୁହାଯାଉଥିବା ବେଳେ ଏବେ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏକ ଭିନ୍ନ ମତ ରଖିଛି | ଥରେ ନୁହେଁ ବରଂ ଏହାର ବିଶୁଦ୍ଧିକରଣ କରି ୩ଥର ବ୍ୟବହାର କରାଯାଇପାରିବ ବୋଲି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି |

ଏକ ନିୟନ୍ତ୍ରିତ ଲାବୋରେଟୋରୀ ସେଟିଂରେ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏହି ଅନୁସନ୍ଧାନ କରିଛି | ଅନୁସନ୍ଧାନ ପାଇଁ ବୈଜ୍ଞାନିକମାନେ ଏସ୯୫-ସିଓଭି-୨ ଭୂତାଣୁ ସଂସ୍ପର୍ଶରେ ଆସିଥିବା ଏନ୯୫ ଫିଲ୍ଟର କପଡ଼ାର କିଛି ଭାଗରେ ବିଶୁଦ୍ଧିକରଣ ପରୀକ୍ଷା କରିଥିଲେ | ବିଶୁଦ୍ଧିକରଣର ଚାରୋଟି ପଦ୍ଧତିରେ ଏନ୯୫ ଫିଲ୍ଟର କପଡ଼ାରେ ବାଷ୍ପଯୁକ୍ତ ହାଇଡ୍ରୋଜେନ୍ ପେରକ୍ସାଇଡ୍, ୭୦ଡିଗ୍ରୀ ସେଲସିୟସ୍ ଶୁଖିଲା ଉତ୍ତାପ, ଅଲଟ୍ରାଭାଇଓଲେଟ୍ ଆଲୋକ ଏବଂ ୭୦% ଇଥାନଲ୍ ସ୍ପ୍ରେ କରାଯାଇଥିଲା |

Disposable N95 masks can be decontaminated, researchers confirm ...
Times of India

ଚାରୋଟି ପଦ୍ଧତି ପରେ ଅନୁସନ୍ଧାନକାରୀମାନେ ଦେଖିଲେ ଯେ, ଚାରୋଟି ପଦ୍ଧତି ଏନ୯୫ କପଡ଼ାରୁ ଏସ୯୫-ସିଓଭି-୨ ଭୂତାଣୁକୁ ନଷ୍ଟ କରିପାରୁଛି | ପରେ ମୁହଁରେ ମାସ୍କର ଫିଟ୍ ଏବଂ ସିଲ୍ ପରୀକ୍ଷା କରିବାକୁ ସ୍ବେଚ୍ଛାସେବୀମାନେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏନ୯୫ ମାସ୍କ ପିନ୍ଧିଥିଲେ | ଏହା ପରେ ଅନୁସନ୍ଧାନକାରୀମାନେ ସମାନ ପଦ୍ଧତି ବ୍ୟବହାର କରି ପ୍ରତ୍ୟେକ ମାସ୍କ ସହିତ ତିନିଥର ବିଶୁଦ୍ଧିକରଣ ପ୍ରକ୍ରିୟାର ପୁନରାବୃତ୍ତି କରିଥିଲେ |

ପରୀକ୍ଷା ପରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଏନ୯୫ ମାସ୍କର ବିଶୁଦ୍ଧିକରଣ ପାଇଁ ଇଥାନଲ ସ୍ପ୍ରେ ବ୍ୟବହାର କରିବା ଠିକ ନୁହେଁ, କାରଣ ଦୁଇଟି ବିଶୁଦ୍ଧିକରଣ ପ୍ରକ୍ରିୟା ପରେ ଇଥାନଲ ସ୍ପ୍ରେ ପାଇଁ ମାସ୍କର ଫିଟ୍ ଏବଂ ସିଲ୍ ପୂର୍ବପରି ରହୁନାହିଁ କିନ୍ତୁ ଯଦି କେବଳ ବାଷ୍ପୀଭୂତ ହାଇଡ୍ରୋଜେନ୍ ପେରକ୍ସାଇଡ୍ ଦ୍ୱାରା ମାସ୍କକୁ ବିଶୁଦ୍ଧିକରଣ କରାଯାଉଛି, ତେବେ ମାସ୍କକୁ ସହଜରେ ୩ଥର ବ୍ୟବହାର କରାଯାଇପାରୁଛି | ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ, ଏନ୯୫ ମାସ୍କକୁ ବିଶୁଦ୍ଧିକରଣ କରୁଥିବା ବ୍ୟକ୍ତି ପ୍ରତ୍ୟେକ ଥର ପୁନଃବ୍ୟବହାର ପୂର୍ବରୁ ମାସ୍କର ଫିଟ୍ ଯାଞ୍ଚ କରି ପିନ୍ଧିବା ଉଚିତ୍ |

ସମ୍ବନ୍ଧିତ ଖବର