ରାଜ୍ୟସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ : ଦିନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ହେବ ଆଲୋଚନା

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଦେଖିବାକୁ ମିଳିବ ବଡ ବିତର୍କ । ଉଚ୍ଚଜାତି ଲାଗି ଉଦ୍ଦିଷ୍ଟ ସଂରକ୍ଷଣ ବିଲ ଉପରେ ୮ଘଣ୍ଟା ଧରି ଚର୍ଚ୍ଚା ଚାଲିବ । ଦିନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ହେବ ଆଲୋଚନା ।  ରାଜ୍ୟସଭାରେ ଏହି ଐତିହାସିକ ବିଲ୍ ପାରିତ ହେବା ପରେ ଆଇନରେ ପରିଣତ ହେବ । ଆଜି ଗୃହରେ ବିଲକୁ ଆଗତ କରିଛନ୍ତି ସାମାଜିକ ଓ ନ୍ୟାୟ ମନ୍ତ୍ରୀ ଥୱରଚାନ୍ଦ୍ ଗେହଲଟ୍ । ଏହି ବିଲକୁ ଉପସ୍ଥାପନ କରି ଗେହଲଟ କହିଛନ୍ତି, ଏହା ଏକ ଐତିହାସିକ ବିଲ୍ । ବିରୋଧୀମାନେ ଏହାକୁ ସମର୍ଥନ କରିବାକୁ ସେ ଅନୁରୋଧ କରିଛନ୍ତି । କିନ୍ତୁ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ରାଜ୍ୟସଭାରେ ପୂର୍ବାହ୍ଣରେ ସବର୍ଣ୍ଣ ସଂରକ୍ଷଣ ବିଲ୍ ଉପରେ ଆଲୋଚନା ହୋଇପାରି ନ ଥିଲା ।

www.financialexpress.com

ଗତକାଲି ଚଳିତ ଅଧିବେଶନର କାର୍ଯ୍ୟକାଳ ଶେଷ ହେଉଥିବାବେଳେ ଦିନକ ପାଇଁ ରାଜ୍ୟସଭାର କାର୍ଯ୍ୟକାଳକୁ ବଢ଼ାଇଛନ୍ତି ସରକାର । କିନ୍ତୁ ଏଥିପାଇଁ ବିରୋଧୀ ଦଳଙ୍କ ସହ ଆଲୋଚନା କରିନଥିବାରୁ ଏହାକୁ ନେଇ ହଙ୍ଗାମା କରିଥିଲେ ବିରୋଧୀ । ୧୨୪ ତମ ସମ୍ବିଧାନ ସଂଶୋଧନ ବିଧେୟକ ଗତକାଲି ଲୋକସଭାରେ ପାରିତ ହୋଇଥିଲା । ଏହି ବିଲରେ ଉଚ୍ଚବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି । ଏହି ବିଲ ପାରିତ କରିବା ପାଇଁ ଭୋଟିଂ ହୋଇଥିଲା । ଏହି ସଂବିଧାନ ସଂଶୋଧନ ବିଲ ସପକ୍ଷରେ ୩୨୩ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ପଡିଥିଲା ମାତ୍ର ୩ଟି ଭୋଟ୍ ।

ଏହି ବିଲର ବ୍ୟବସ୍ଥା ଅନସାରେ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ସାଧାରଣବର୍ଗର ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ବିଜେଡି ସମେତ ଟିଏମସି, ସିପିଆଇ-ଏମ୍, ଏଆଇଡିଏମକେ, ରିପବ୍ଲିକାନ୍ ପାର୍ଟି, ଟିଆରଏସ୍ ଭଳି ପ୍ରମୁଖ ଦଳ ଏହି ବିଲ୍କୁ ସମର୍ଥନ କରିଛନ୍ତି । ଉଭୟ ଗୃହରେ ପାରିତ ହେବା ପରେ ଏକ ଚତୁର୍ଥାଂଶ ରାଜ୍ୟର ସ୍ୱୀକୃତି ପାଇଲେ ଏହି ବିଲ୍ ଆଇନରେ ପରିଣତ ହେବ ।

ସମ୍ବନ୍ଧିତ ଖବର