ତାମିଲନାଡ଼ୁ ମେଡିକାଲ କଲେଜରେ ଓବିସିଙ୍କ ପାଇଁ ସଂରକ୍ଷଣ ମାମଲା

ସଂରକ୍ଷଣ ମୌଳିକ ଅଧିକାର ନୁହେଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ତାମିଲନାଡ଼ୁର ମେଡିକାଲ କଲେ‌ଜରେ ନାମଲେଖା କ୍ଷେତ୍ରରେ ସଂରକ୍ଷଣ ନୀତି ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମ୍‌ କୋର୍ଟ ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ସଂରକ୍ଷଣ କୌଣସି ମୌଳିକ ଅଧିକାର ନୁହେଁ। ଏନ୍‌ଆଇଆଇଟି ଅଧୀନରେ ମେଡିକାଲ କଲେଜରେ ଆସନକୁ ନେଇ ତାମିଲନାଡ଼ୁରେ ଓବିସିଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସଂକ୍ରାନ୍ତ ଆବେଦନ ଉପରେ ସୁପ୍ରିମ୍‌ କୋର୍ଟ କହିଛନ୍ତି, ସଂରକ୍ଷଣ ଏକ ମୌଳିକ ଅଧିକାର ହୋଇନଥିବାରୁ ଏଭଳି ଆବେଦନ ଉପରେ ଶୁଣାଣି ହୋଇପାରିବ ନାହିଁ।

ତାମିଲନାଡ଼ୁରେ ଡିଏମ୍‌କେ-ସିପିଆଇ-ଏଆଇଏଡିଏମ୍‌କେ ସମେତ ଅନ୍ୟ ଦଳମାନେ ମେଡିକାଲ କଲେଜଗୁଡ଼ିକରେ ୫୦ ପ୍ରତିଶତ ଆସନ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସଂରକ୍ଷଣ ମାମଲାରେ ସୁପ୍ରିମ୍‌ କୋର୍ଟରେ ଆଦେବଦନ ଦାଖଲ କରିଥିଲେ। ଏଭଳି ଆବେଦନ ଦ୍ବାରା କେବଳ ତାମିଲନାଡ଼ୁରେ କିଛି ଲୋକଙ୍କୁ ଫାଇଦା ଦେବା କଥା ଚିନ୍ତା କରାଯାଉଛି ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ଜଷ୍ଟିସ୍‌ ଏଲ୍‌ ନାଗେଶ୍ବର ରାଓଙ୍କ ଖଣ୍ଡପୀଠ କହିଛନ୍ତି ଯେ ସଂରକ୍ଷଣକୁ ଅଧିକାର ଭାବେ ଦାବି କରାଯାଇ ପାରିବ ନାହିଁ ଏବଂ ଏବେ ଦେଶରେ ଏହି ଆଇନ ପ୍ରଚଳନ ଅଛି। ତାମିଲନାଡ଼ୁରେ ଓବିସି ଛାତ୍ରଙ୍କ ପାଇଁ ମେଡିକାଲ କଲେଜରେ ଆସନ ସଂରକ୍ଷଣ ନ କରିବାକୁ ମୌଳିକ ଅଧିକାରର ଉଲ୍ଲଂଘନ ଭାବେ ଆବେଦନରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର