ମୁମ୍ବାଇ: ଲୋକସଭା ନିର୍ବାଚନରେ ​​ଭଲ ପ୍ରଦର୍ଶନ କରିବା ପରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଉତ୍ସାହିତ ଥିବା ଉଦ୍ଧବ ଠାକରେଙ୍କ ଶିବସେନା ମରାଠୀବାସୀଙ୍କ ପାଇଁ ରାଜ୍ୟରେ ନିର୍ମାଣ ହେଉଥିବା ଆପାର୍ଟମେଣ୍ଟରେ କୋଟା ସ୍ଥିର କରିବାକୁ ଦାବି କରିଛନ୍ତି। ଏନେଇ ଏକ ପ୍ରାଇଭେଟ୍ ମେମ୍ବର ବିଲ୍ ଉପସ୍ଥାପନ କରିବାକୁ ଯୋଜନା କରାଯାଇଛି। ଏହାକୁ ବିଲଡର ଉଲ୍ଲଂଘନ କଲେ ତାଙ୍କ ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା ସହିତ ୬ ମାସର ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିବ।

Advertisment

ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଶିବସେନା (ୟୁବିଟି) ଏମଏଲସି ଅନୀଲ ପରବ ବିଧାନ ପରିଷଦରେ ଏକ ଘରୋଇ ସଦସ୍ୟଙ୍କ ବିଲ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ମରାଠୀ ଭାଷାଭାଷୀ ଲୋକଙ୍କୁ ମୁମ୍ବାଇର ନୂତନ ଆବାସିକ କୋଠାକୁ ଯିବାକୁ ଅନୁମତି ଦେବ ବୋଲି ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ କରିଛି।

ବର୍ତ୍ତମାନ ଉପସଭା‌ପତିଙ୍କ ଅନୁମୋଦନକ୍ରମ‌େ ଗୃହରେ ଏହି ବିଲ୍ ଉପସ୍ଥାପନ କରିବାକୁ ଅପେକ୍ଷା କରାଯାଇଛି। ନୂତନ ନିର୍ମାଣ ହୋଇଥିବା ସମାଜରେ ଯଦି ମରାଠୀ ଲୋକଙ୍କ ୫୦ ପ୍ରତିଶତ କୋଟା ସର୍ତ୍ତ ପୂରଣ ନହୁଏ ତେବେ ବିଲଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ବିଲ୍ ଦାବି କରିଛି।

ଗୁରୁବାର ଜୁନ୍ ୨୭ ଠାରୁ ମହାରାଷ୍ଟ୍ର ବିଧାନସଭାର ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ ଏହି ବିଲ୍ ଆଗତ ହେବାର ସମ୍ଭାବନା ରହିଛି। ପରିସଂଖ୍ୟାନର ଗଣିତ ଅନୁସାରେ ୭୮ ସଦସ୍ୟ ବିଶିଷ୍ଟ ବିଧାନ ପରିଷଦରେ ଶିବସେନା (ୟୁବିଟି) ର ୯ ଜଣ ସଦସ୍ୟ ଅଛନ୍ତି। ୨୮୮ ସିଟ୍ ବିଶିଷ୍ଟ ବିଧାନସଭାରେ ଦଳର ୧୫ ଜଣ ବିଧାୟକ ଅଛନ୍ତି। ବିରୋଧୀ ଦଳ ମହାଭିକାଶ ଆଘାଡି (ଏମଭିଏ) ର ବିଧାନସଭାରେ ୭୫ ସଦସ୍ୟ ଏବଂ ପରିଷଦରେ ୨୯ ଜଣ ସଦସ୍ୟ ଥିବାବେଳେ ଶାସକ ମହାୟୁତି ମେଣ୍ଟର ୨୧୨ ସଦସ୍ୟ ଏବଂ ପରିଷଦର ୨୮ ସଦସ୍ୟ ଅଛନ୍ତି।

ଏହି ବିଲ୍ ଆଗତ କରିବା ପଛରେ ଥିବା ଉଦ୍ଦେଶ୍ୟକୁ ବ୍ୟାଖ୍ୟା କରି ଶିବସେନା (ୟୁବିଟି) ନେତା ଅନୀଲ ପରବ ଅଭିଯୋଗ କରିଛନ୍ତି ପରିଚୟ ତଥା ଖାଦ୍ୟ ଅଭ୍ୟାସ ଯୋଗୁ ମରାଠୀ ଭାଷାଭାଷୀ ଲୋକ ବାସଗୃହରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ଘର ମିଳୁନାହିଁ। ଏହି ପରି ଅନେକ ମାମଲା ତାଙ୍କ ସମ୍ମୁଖରେ ଆସିଛି, ଯେଉଁଥିପାଇଁ ସେ ଏହି ବିଲ୍ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଧର୍ମ କିମ୍ବା ଖାଦ୍ୟ ପସନ୍ଦ ଆଧାରରେ ଯେକୌଣସି ଭେଦଭାବ ଅସାମ୍ବିଧାନିକ ବୋଲି ସେ କହିଛନ୍ତି। ଭିଲେ ପାର୍ଲରେ ଏକ ମାମଲା ଦର୍ଶାଇ ଅନୀଲ ପରବ କହିଛନ୍ତି ସେଠାରେ ଥିବା ଜଣେ ବିଲଡର ଖାଦ୍ୟ ପସନ୍ଦ ଆଧାରରେ ଏକ କମ୍ପ୍ଲେକ୍ସରେ ମରାଠୀ ଲୋକଙ୍କୁ ଘର ଦେବାକୁ ମନା କରି ଦେଇଛନ୍ତି। ମରାଠୀ ଲୋକମାନେ ଏହାକୁ ବିରୋଧ କରିଥିଲେ ମଧ୍ୟ ସରକାର ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ।

ଯେତେବେଳେ ଗଣମାଧ୍ୟମରେ ଏହି ଘଟଣା ପ୍ରକାଶ ପାଇଲା, ଠିକାଦାର କ୍ଷମା ମାଗିଥିଲେ। ଏହାକୁ ଚିନ୍ତାଜନକ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ବର୍ତ୍ତମାନ ମୁମ୍ବାଇରେ ମରାଠୀ ଭାଷାଭାଷୀ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି।

ସୂଚନାଯୋଗ୍ୟ, ଏକ ଘରୋଇ ସଦସ୍ୟ ବିଲ୍ ଯେକୌଣସି ଗୃହର ସଦସ୍ୟଙ୍କ ଦ୍ବାରା ଏକ ନୂତନ ଆଇନ କିମ୍ବା ବିଦ୍ୟମାନ ଆଇନରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ବ୍ୟକ୍ତିଗତ କ୍ଷମତା ଆଧାରରେ ଉପସ୍ଥାପିତ ହୋଇପାରିବ।