କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ଶକ୍ତିକାନ୍ତ: ଲମ୍ବା ଲଢ଼େଇ ପାଇଁ ରିଜର୍ଭ ବ୍ୟାଙ୍କ୍‌ ପ୍ରସ୍ତୁତ

ରେପୋ ହାର ୦.୭୫% କମାଇଲେ, ଇଏମ୍‌ଆଇ ଆଦାୟ ପାଇଁ ୩ ମାସ ମହଲତ

ମୁମ୍ବାଇ: କରୋନା ଭୂତାଣୁ ବ୍ୟାପିବାରୁ ସାରା ବିଶ୍ବରେ ବଡ଼ ଧରଣର ମାନ୍ଦାବସ୍ଥା ଦେଖାଦେବ। ଭାରତ ଏଥିରୁ ବର୍ତ୍ତି ପାରିବ ନାହିଁ। ଭାରତ ଯେଉଁଭଳି ଭାବେ ଏହି ସ୍ଥିତିର ମୁକାବିଲା କରିବ ସେହି ଅନୁସାରେ ଫଳ ପାଇବ। କରୋନାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅନୁମାନ ଲଗାଇଛନ୍ତି ଏବଂ କରୋନା ବିରୋଧରେ ଲମ୍ବା ଲଢ଼େଇ ପାଇଁ ସେ ରିଜର୍ଭ ବ୍ୟାଙ୍କକୁ ପ୍ରସ୍ତୁତ କରିଛନ୍ତି। ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବ ଲୋକଙ୍କ ପାଇଁ ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରି ସରକାରଙ୍କ ତରଫରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପରେ ଆଜି କରୋନା ବିରୋଧରେ ଅର୍ଥନୀତିକୁ ସୁରକ୍ଷା ଦେବା ପାଇଁ ଆରମ୍ଭ ହୋଇଥିବା ଲଢ଼େଇରେ ଶକ୍ତିକାନ୍ତ ମଧ୍ୟ ସାମିଲ ହୋଇଛନ୍ତି। ମୁଦ୍ରାନୀତି କମିଟି ଦ୍ବାରା ମୁଦ୍ରାନୀତି ସମୀକ୍ଷା ଆଉ ଅଳ୍ପଦିନ ବାକି ଥିବାବେଳେ ସେ ଏହା ପୂର୍ବରୁ ଆଜି ନିଜ ପାଖରେ ଥିବା ଅସ୍ତ୍ରକୁ ପ୍ରୟୋଗ କରିଛନ୍ତି।

ପଶ୍ଚାଦଗାମୀ ରେପୋରେ ୦.୯୦% ହ୍ରାସ
ସିଆର୍‌ଆର୍‌ ବି ୧ ପ୍ରତିଶତ କମିଲା
କମ୍ ସୁଧରେ ମିଳିବ ନୂଆ ଋଣ
ମାନ୍ଦାବସ୍ଥାରୁ ବର୍ତ୍ତି ପାରିବନି ଭାରତ

ରିଜର୍ଭ ବ୍ୟାଙ୍କର ମୁଖ୍ୟ ଭାବେ ତାଙ୍କର ପ୍ରମୁଖ ଅସ୍ତ୍ର ରେପୋ ହାରରେ ୦.୭୫% ହ୍ରାସ ଘୋଷଣା କରି ତାହାକୁ ୪.୪% ପର୍ଯ୍ୟନ୍ତ ଖସାଇ ଦେଇଛନ୍ତି। ଏହା ପୂର୍ବରୁ ରେପୋ ହାର ଏତେ ତଳକୁ କେବେ ଖସି ନଥିଲା। ଶେଷ ଥର ଲାଗି ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ସମୟରେ ୨୦୦୯ରେ ରେପୋ ହାର ୪.୭୪% ସ୍ତରକୁ ଖସିଥିଲା। ରେପୋ ହାର ହେଉଛି ରିଜର୍ଭ ବ୍ୟାଙ୍କର ଏକ ପ୍ରମୁଖ ଅସ୍ତ୍ର। ବ୍ୟାଙ୍କଗୁଡ଼ିକର ନଗଦ ପାଣ୍ଠି ଆବଶ୍ୟକତାକୁ ପୂରଣ କରିବା ଏବଂ ମୁଦ୍ରାସ୍ଫୀତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏହି ଅସ୍ତ୍ରକୁ ବ୍ୟବହାର କରିଥାଏ। ରେପୋ ହାରରେ ରିଜର୍ଭ ବ୍ୟାଙ୍କ ଦେଶର ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ପାଣ୍ଠି ପ୍ରଦାନ କରିଥାଏ। ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍‌ପିସି) ୪:୨ ଭୋଟ୍‌ରେ ରେପୋ ହାର କମ୍ କରିବାକୁ ନିଷ୍ପତ୍ତି ନେଇଛି। ଏମ୍‌ପିସିର କେଉଁ ଦୁଇ ସଦସ୍ୟ ଏହି ନିଷ୍ପତ୍ତି ବିରୋଧରେ ଭୋଟ୍ ଦେଇଛନ୍ତି ତାହା ଜଣାପଡ଼ିନାହିଁ। ସର୍ବଦା ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ତଥା ଫେଡେରାଲ ରିଜର୍ଭର
କାର୍ଯ୍ୟଶୈଳୀକୁ ଅନୁକରଣ କରୁଥିବା ଶକ୍ତିକାନ୍ତ ଏଥର ରେପୋ ହାର ନିଶ୍ଚିତ କମ୍ କରିବେ ବୋଲି ଅନୁମାନ କରାଯାଉଥିଲା। କାରଣ କିଛି ଦିନ ଭିତରେ ଆମେରିକାର ଫେଡେରାଲ୍ ରିଜର୍ଭ ଏହାର ସୁଧ ହାରକୁ ଦୁଇ ଥରରେ ପ୍ରାୟ ଶୂନ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି। ସେହି ଅନୁସାରେ ଶକ୍ତିକାନ୍ତ ରେପୋ ହାରରେ ବଡ଼ ଧରଣର ହ୍ରାସ କରିଛନ୍ତି। ମୁଦ୍ରାନୀତି କମିଟିର ବୈଠକ ମାର୍ଚ୍ଚ ୩୧ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଏହାକୁ ଆଗୁଆ ଅର୍ଥ ଗତ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ବୈଠକ ପରେ କମିଟି ପକ୍ଷରୁ ଅର୍ଥନୀତି ପାଇଁ ନିଆଯାଇଥିବା ଏକାଧିକ ପଦକ୍ଷେପ ବିଷୟରେ ଘୋଷଣା କରାଯାଇଛି। ସେହିପରି ଋଣ ନେଇଥିବା ଗ୍ରାହକମାନଙ୍କ ସୁବିଧା ପ୍ରଦାନ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମାସିକ ଋଣ କିସ୍ତି ବା ଇଏମ୍ଆଇ ଉପରେ ତିନି ମାସର ମହଲତ ପ୍ରଦାନ କରାଯାଇଛି। କର୍ପୋରେଟ୍, ଗୃହ ଋଣ ଓ କାର୍ ଋଣ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ମାତ୍ର କ୍ରେଡିଟ୍ କାର୍ଡ ଗ୍ରାହକଙ୍କ ପାଇଁ କୌଣସି ସୁବିଧା ଦିଆଯାଇନାହିଁ। କ୍ରେଡିଟ୍ କାର୍ଡରେ ଦିଆଯାଉଥିବା ଋଣ ମିଆଦି ଋଣ ହୋଇନଥିବାରୁ ସେମାନଙ୍କୁ ଏହି ସୁବିଧା ମିଳିବ ନାହିଁ ବୋଲି କୁହାଯାଉଛି। ଚଳିତ ମାର୍ଚ୍ଚ ୩୧ ସୁଦ୍ଧା ଯେଉଁମାନଙ୍କଠାରୁ ଇଏମ୍ଆଇ ଆଦାୟ କରାଯିବାର ଥିଲା ସେମାନଙ୍କୁ ଆଶ୍ବସ୍ତି ମିଳିଛି। କୌଣସି ମିଆଦି ଋଣ ଗ୍ରାହକଙ୍କଠାରୁ ତିନି ମାସର କିସ୍ତି ଆଦାୟ କରନାହିଁ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମସ୍ତ ବାଣିଜ୍ୟିକ, ଆଞ୍ଚଳିକ, ଗ୍ରାମୀଣ ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ଓ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଆସନ୍ତା ତିନି ମାସ ପର୍ଯ୍ୟନ୍ତ କୌଣସି ଗ୍ରାହକଙ୍କ ଖାତାରୁ ଇଏମ୍ଆଇ ବାବଦ ଅର୍ଥ କଟାଯିବ ନାହିଁ। ଏହା ଗ୍ରାହକଙ୍କ କ୍ରେଡିଟ୍ ସ୍କୋର୍‌କୁ ମଧ୍ୟ ପ୍ରଭାବିତ କରିବ ନାହିଁ। ତିନି ମାସର ଅବଧି ଶେଷ ହେବା ପରେ ଇଏମ୍ଆଇ ବା ଋଣ ପରିଶୋଧ ବାବଦ ମାସିକ କିସ୍ତି ପୁଣି ଥରେ କଟିବା ଆରମ୍ଭ ହୋଇଯିବ। ଇଏମ୍ଆଇ ଉପରେ ପ୍ରଦାନ କରାଯାଇଥିବା ରିହାତି ସ୍ବାବଲମ୍ବୀ ଲୋକମାନଙ୍କ ପାଇଁ ବଡ଼ ଆଶ୍ବସ୍ତି ଭାବେ ଉଭା ହୋଇଛି। କାରଣ ଲକ୍‌ଡାଉନ୍ ଯୋଗୁଁ ସେମାନଙ୍କ ରୋଜଗାର ଗୁରୁତର ଭାବେ ପ୍ରଭାବିତ ହୋଇଛି।

ରିଜର୍ଭ ବ୍ୟାଙ୍କ ରେପୋ ଓ ରିଭର୍ସ ରେପୋ ହାରରେ ହ୍ରାସ ଘୋଷଣା କରିଥିବାରୁ ନୂଆ ଋଣ ଉପରେ ମଧ୍ୟ କମ୍ ସୁଧ ଦେବାକୁ ପଡ଼ିବ। ରେପୋ ହାର ସହିତ ଯୋଡ଼ା ଯାଇଥିବା ସମସ୍ତ ଋଣ କମ୍ ସୁଧରେ ମିଳିବ। ଋଣ ନେଇଥିବା ଗ୍ରାହକମାନଙ୍କ ଯେତିକି ବକେୟା ରାଶି ଥିବ ତାହା ଉପରେ ସେ ଦେଉଥିବା ଇଏମ୍ଆଇ ରାଶି ବି କମିଯିବ। ଯେଉଁମାନେ ଏମ୍‌ସିଏଲ୍‌ଆର୍‌ ଅନୁସାରେ ଋଣ ନେଇଛନ୍ତି ସେ କ୍ଷେତ୍ରରେ ବ୍ୟାଙ୍କ ଯଦି ନିଜ ଆଡ଼ୁ ସୁଧ କମାଇବ ତେବେ ସେମାନଙ୍କୁ ଲାଭ ମିଳିବ। ରିଜର୍ଭ ବ୍ୟାଙ୍କ ଆଜି ଯେଉଁ ପଦକ୍ଷେପଗୁଡ଼ିକ ଘୋଷଣା କରିଛି ତାହା ଫିକ୍ସଡ ଡିପୋଜିଟ୍ ବା ମିଆଦି ଜମା ରଖିଥିବା ଗ୍ରାହକଙ୍କୁ ଝଟ୍‌କା ଦେବ। ବ୍ୟାଙ୍କଗୁଡ଼ିକ ଜମା ସୁଧ କମ୍ କରିବାର ସମ୍ଭାବନା ରହିଛି। ଶକ୍ତିକାନ୍ତ ପଶ୍ଚାଦଗାମୀ ରେପୋ ହାରରେ ମଧ୍ୟ ୦.୯୦% ହ୍ରାସ କରି ତାହାକୁ ୪%କୁ ଖସାଇ ଦେଇଛନ୍ତି। ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଏହି ହାରରେ ରିଜର୍ଭ ବ୍ୟାଙ୍କକୁ ଟଙ୍କା ପ୍ରଦାନ କରିଥାନ୍ତି। ପଶ୍ଚାଦଗାମୀ ବା ରିଭର୍ସ ରେପୋ ହାର କମ୍ କରାଯାଇଥିବାରୁ ବ୍ୟାଙ୍କଗୁଡ଼ିକ ନିଜ ପାଖରେ ଥିବା ଟଙ୍କାକୁ କମ୍ ସୁଧ ହାରରେ ରିଜର୍ଭ ବ୍ୟାଙ୍କକୁ ଦେବେ ନାହିଁ। ତାହାକୁ ସେମାନେ ଋଣ ପ୍ରଦାନ କରିବା ବାବଦରେ ବିନିଯୋଗ କରିବେ ବୋଲି ଆଶା ରଖାଯାଇଛି। ରିଜର୍ଭ ବ୍ୟାଙ୍କ ଆଜି ନଗଦ ଜମା ଅନୁପାତ (ସିଆର୍‌ଆର୍‌)ରେ ୧ ପ୍ରତିଶତ ହ୍ରାସ ଘୋଷଣା କରି ତାହାକୁ ୩%କୁ ଖସାଇ ଦେଇଛି। ମାର୍ଚ୍ଚ ୨୮ ତାରିଖରୁ ୧ ବର୍ଷ ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବ। ବ୍ୟାଙ୍କଗୁଡ଼ିକ ନିଜ ପାଖରେ ଥିବା ମୋଟ ନଗଦ ଜମା ରାଶିର ଏକ ନିର୍ଦିଷ୍ଟ ଭାଗ ଏହି ହାର ଅନୁସାରେ ଭଲ୍ଟରେ କିମ୍ବା ରିଜର୍ଭ ବ୍ୟାଙ୍କ ପାଖରେ ଜମା ରଖିଥାନ୍ତି। ଏହି ହାର କମ୍ କରାଯାଇଥିବାରୁ ବ୍ୟାଙ୍କଗୁଡ଼ିକ ପାଖରେ ଅଧିକ ୧,୩୭,୦୦୦ କୋଟି ଟଙ୍କା ଉପଲବ୍ଧ ହେବ। ରେପୋ, ରିଭର୍ସ ରେପୋ ଓ ନଗଦ ଜମା ଅନୁପାତରେ ହ୍ରାସ କରିଥିବାରୁ ବ୍ୟାଙ୍କ ଶିଳ୍ପ ପାଖରେ ମୋଟ ଉପରେ ଅତିରିକ୍ତ ୩,୭୪,୦୦୦ କୋଟି ଟଙ୍କା ଉପଲବ୍ଧ ହେବ ଯାହାକୁ ସେମାନେ ସାଧାରଣ ଜନତା ଓ କଂପାନିଗୁଡ଼ିକର ଆର୍ଥିକ ସ୍ଥିତି ସୁଧାରିବାରେ ବ୍ୟବହାର କରିପାରିବେ।

ଅର୍ଥମନ୍ତ୍ରୀଙ୍କ ଦ୍ବାରା ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଗତକାଲି ଘୋଷଣା ହୋଇଥିବା ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ ସହିତ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ୩ ଲକ୍ଷ ୭୪ ହଜାର କୋଟି ଟଙ୍କାର ଅର୍ଥ ଉପଲବ୍ଧ କରାଯାଇଥିବାରୁ ଉଭୟ ସରକାର ଏବଂ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅର୍ଥନୀତିକୁ ଏବେ ପାଖାପାଖି ସାଢ଼େ ୫ ଲକ୍ଷ କୋଟି ଟଙ୍କାର ଟନିକ୍ ମିଳିଯାଇଛି। କରୋନା ପ୍ରଭାବରୁ ଅର୍ଥନୀତିରେ ଦେଖାଦେବାକୁ ଥିବା ମାନ୍ଦାବସ୍ଥା ବିରୋଧରେ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ସହିତ ରିଜର୍ଭ ବ୍ୟାଙ୍କର କୋହଳ ମୁଦ୍ରାନୀତି ସହାୟକ ହେବ ବୋଲି ଅନେକ ଅର୍ଥନୀତିଜ୍ଞ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର