ନୂଆଦିଲ୍ଲୀ : ଦରଦାମ୍‌କୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ବିଫଳ ହେବାର କାରଣ ଦର୍ଶାଇ ରିଜର୍ଭ ବ୍ୟାଙ୍କ ଯେଉଁ ଚିଠି ଦେଇଥିଲା ତାହାକୁ କେନ୍ଦ୍ର ସରକାର ସାର୍ବଜନୀନ କରିବେ ନାହିଁ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହା କହିଛନ୍ତି। ସଂସଦର ଏକ ଅଧିବେଶନରେ ଉତ୍ତର ରଖି ସେ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ନିୟମ, ୧୯୩୪ରେ ଥିବା ବ୍ୟବସ୍ଥା ଅନୁସାରେ ଉକ୍ତ ଚିଠିକୁ ସାର୍ବଜନୀନ କରାଯାଇପାରିବ ନାହିଁ।

Advertisment

ଚଳିତ ବର୍ଷ ମୁଦ୍ରାସ୍ଫୀତିକୁ ୬%ରୁ ନିମ୍ନ ସ୍ତରରେ ରଖିବା ଲାଗି କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟିକୁ ଦାୟିତ୍ବ ଦେଇଥିଲା। ଲଗାତାର ତିନିଟି ତ୍ରୈମାସିକ (୯ ମାସ) ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ଉପରେ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ ହାସଲ କରିବାରେ ବିଫଳ ହୋଇଥିଲା। ତେଣୁ ସରକାର ରିଜର୍ଭ ବ୍ୟାଙ୍କକୁ ଜବାବ ମାଗିଥିଲେ। ବିଫଳତାର କାରଣ ଜଣାଇବାକୁ କହିଥିଲେ। କିଛି ଦିନ ପୂର୍ବେ ଏକ କନ୍‌କ୍ଲେଭ୍‌ରେ ଅତିଥି ଭାବେ ଯୋଗ ଦେଇ ଗଭର୍ଣ୍ଣର ଶ୍ରୀ ଦାସ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ସରକାରଙ୍କୁ ଦିଆଯାଇଥିବା ଚିଠିକୁ ସାର୍ବଜନୀନ କରିବା କ୍ଷମତା ରିଜର୍ଭ ବ୍ୟାଙ୍କ ପାଖରେ ନାହିଁ।