ବିହାର କୃଷିମନ୍ତ୍ରୀଙ୍କ ଇସ୍ତଫା

ପାଟନା: ବିହାରର କୃଷିମନ୍ତ୍ରୀ ସୁଧାକର ସିଂହ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ସେ କୃଷି ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇ ନିଜ ସରକାରକୁ ସମାଲୋଚନା କରିଥିଲେ। ଇସ୍ତଫା ସଂପର୍କରେ ତାଙ୍କ ବାପା ତଥା ବିହାର ଆର୍‌ଜେଡି ସଭାପତି ଜଗଦାନନ୍ଦ ସିଂହ ରବିବାର ସୂଚନା ଦେଇଛନ୍ତି। କୃଷକଙ୍କ ପ୍ରତି ହେଉଥିବା ଅନ୍ୟାୟ ପାଇଁ କେହି ଜଣେ ଛିଡ଼ା ହେବା ଆବଶ୍ୟକ। ମଣ୍ଡି ଆଇନ ବିଲୋପ ହେବା ପରେ ରାଜ୍ୟରେ କୃଷକମାନଙ୍କ ଅବସ୍ଥା ଖରାପ ହୋଇଯାଇଛି ବୋଲି ଜଗଦାନନ୍ଦ କହିଛନ୍ତି।

ଆ‌ରଜେଡିରୁ ମନ୍ତ୍ରୀ ହୋଇଥିବା ଶ୍ରୀ ସିଂହ ନିକଟରେ ତାଙ୍କ ବିଭାଗର ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ଏଥିସହିତ ଶନିବାର ସେ କହିଥିଲେ ତାଙ୍କ ବି‌ଭାଗରେ ବିଜେପିର ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାକୁ ଦେବିନାହିଁ। କୃଷି କ୍ଷେତ୍ରରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ପରିସଂଖ୍ୟାନ ଦର୍ଶାଉଛି। ତେଣୁ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ ନକରି ମନ୍ତ୍ରୀ ଭାବେ କାର୍ଯ୍ୟ କରିବାରେ କୌଣସି ମାନେ ନାହିଁ। କୃଷିମନ୍ତ୍ରୀଭାବେ ମୁଁ ପୂର୍ବ ଯୋଜନାକୁ ଆଗକୁ ବଢ଼ିବାକୁ ଦେବିନାହିଁ ବୋଲି ସେ କହିଥିଲେ। ବିହାର ପାଇଁ ପ୍ରଥମ କୃଷି ନକ୍ସା ୨୦୦୮ରେ ସ୍ବଳ୍ପ ବଜେଟରେ ଆରମ୍ଭ ହୋଇଥିଲା। ଦ୍ବିତୀୟ ଯୋଜନା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ବାରା ୨୦୧୨ରେ ଏବଂ ୨୦୧୭ରେ ତୃତୀୟ ନକ୍ସା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର