ନୂଆଦିଲ୍ଲୀ: ୟୁପିଏସ୍‌ସି (ୟୁନିଅନ ପବ୍ଲିକ ସର୍ଭିସ କମିସନ୍‌) ଅଧ୍ୟକ୍ଷ ଡ. ମନୋଜ ସୋନି ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳ ପୂରିବାକୁ ଆଉ ୫ ବର୍ଷ ବାକି ଥିବାବେଳେ ବ୍ୟକ୍ତିଗତ କାରଣ ଦର୍ଶାଇ ସୋନି ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରସିଦ୍ଧ ଶିକ୍ଷାବିତ୍‌ ମନୋଜ ସୋନି ୨୦୧୭ ଜୁନ୍‌ ୨୮ରେ ୟୁପିଏସ୍‌ସି ସଦସ୍ୟ ଭାବେ ଦାୟିତ୍ବ ନେଇଥିଲେ। ୨୦୨୩ ମେ’ ୧୬ ତାରିଖରେ ସେ ୟୁପିଏସ୍‌ସି ଅଧ୍ୟକ୍ଷ ଭାବେ ଶପଥ ନେଇଥିଲେ। ତାଙ୍କ କାର୍ଯ୍ୟକାଳ ଆସନ୍ତା‌ ୨୦୨୯ ମେ’ ୧୫ରେ ଶେଷ ହୋଇଥାନ୍ତା। କିନ୍ତୁ ଏହାର ୫ ବର୍ଷ ପୂର୍ବରୁ ଆଜି ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସୋନିଙ୍କ ଇସ୍ତଫାପତ୍ରକୁ ଏଯାବତ ମଂଜୁରି ପ୍ରଦାନ କରାଯାଇନଥିବା ଜଣାପଡ଼ିଛି।

Advertisment

ସାମାଜିକ ଏବଂ ଧାର୍ମିକ କାର୍ଯ୍ୟରେ ସୋନି ଅଧିକ ସମୟ ଦେବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନକଲି ପ୍ରମାଣପତ୍ର ଦେଇ ଆଇଏଏସ୍‌ ହୋଇଥିବା ପୂଜା ଖେଦକରଙ୍କ ବିରୋଧରେ ୟୁପିଏସ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂଜାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇଥିବା ନେଇ ୟୁପିଏସ୍‌ସି ଗତକାଲି ଘୋଷଣା କରିଥିବା ବେଳେ ଏଭଳି ସମୟରେ ମନୋଜ ସୋନିଙ୍କ ଇସ୍ତଫାକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ୟୁପିଏସ୍‌ସିରେ ନିଯୁକ୍ତ ହେବା ପୂର୍ବରୁ ସୋନି ୩ ଥର କୁଳପତି ଦାୟିତ୍ବରେ ଥିଲେ।