ରୁଷ୍ ସେନାକୁ ୟୁକ୍ରେନ୍‌ବାସୀଙ୍କ ପ୍ରତିରୋଧ: ରାସ୍ତା ଅବରୋଧ, ପେଟ୍ରୋଲ ବୋମା ମାଡ଼

କିବ୍ : ରୁଷ୍ ଆକ୍ରମଣ ପରେ ୟୁକ୍ରେନ୍ ଏବେ ଗୁରୁତର ସଂକଟ ଦେଇ ଗତି କରୁଛି। ଶତ୍ରୁ ଶକ୍ତିଶାଳୀ ହୋଇଥିବାରୁ ୟୁକ୍ରେନ୍ ସେନା ସେମାନଙ୍କୁ ମୁକାବିଲା କରିପାରୁ ନାହାନ୍ତି। ଏ ସଂକଟ ସମୟରେ ମାତୃଭୂମିର ସୁରକ୍ଷା ପାଇଁ ଦେଶବାସୀ ଆଗେଇଆସନ୍ତୁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆହ୍ବାନ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ରୁଷ୍‌ ସୈନିକଙ୍କ ଯାତାୟାତରେ ବାଧାସୃଷ୍ଟି ପାଇଁ ରାସ୍ତାଘାଟ ଅବରୋଧ କରିବା ସହ ସେମାନଙ୍କ ଉପରକୁ ପେଟ୍ରୋଲ ବୋମା ପକାଇବା ପାଇଁ କୁହାଯାଇଛି। ପେଟ୍ରୋଲ ବୋମା କେମିତି ତିଆରି କରିବ ତା’ର କୌଶଳ ମଧ୍ୟ ବତାଇ ଦିଆଯାଇଛି। କେତେକ ଦେଶପ୍ରେମୀ ନାଗରିକ ସ୍ବେଚ୍ଛାକୃତଭାବେ ସେନାରେ ମଧ୍ୟ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୩୬ ବର୍ଷୀୟ ୟୁକ୍ରେନୀୟ ଟେନିସ୍ ତାରକା ସର୍ଗି ଷ୍ଟାଖୋବ୍‌ସ୍କି। ତାଙ୍କର ପୂର୍ବରୁ କୌଣସି ସାମରିକ ଅଭିଜ୍ଞତା ନାହିଁ। କିନ୍ତୁ ଘରୋଇଭାବେ ସେ ବନ୍ଧୁକ ଚାଳନା ଶିଖିଛନ୍ତି ବୋଲି କହିଛନ୍ତି।

ରୁଷ୍ ସେନାର ଗତିରୋଧ କରିବା ପାଇଁ ଲୋକମାନେ ଗୁରୁତ୍ବପୂର୍ଣ୍ଣ ଜାଗାମାନଙ୍କରେ ରାସ୍ତା ଉପରେ ପୁରୁଣା ଟ୍ରାକ୍ଟର, ଟ୍ରକ୍ ଓ ଅନ୍ୟାନ୍ୟ ଜିନିଷ ରଖି ରାସ୍ତା ଅବରୋଧ କରିଛନ୍ତି। ତାକୁ ଘୁଞ୍ଚେଇ ଆଗକୁ ବଢ଼ିବା ପାଇଁ ରୁଷ୍ ସେନାକୁ କିଛି ସମୟ ତ ଲାଗିବ। ସେହି ସମୟରେ ଲୁଚି ରହିଥିବା ଲୋକମାନେ ସେମାନଙ୍କ ଉପରକୁ ପେଟ୍ରୋଲ ବୋମା ପକାଇବେ। ଏହା ଗୋଟିଏ ଜାଗାରେ ନୁହେଁ, ଯେତେ ଅଧିକ ସମ୍ଭବ ସ୍ଥାନରେ କରିବା ପାଇଁ ଲୋକମାନେ ଲାଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର