ସବୁ ଧର୍ମକୁ ସମ୍ମାନ ଦେଉ: ବିଜେପି

ବିବାଦୀୟ ଟିପ୍ପଣୀ ପାଇଁ ନୂପୁର ଶର୍ମା ନିଲମ୍ବିତ, ନବୀନ ଜିନ୍ଦଲ ବହିଷ୍କୃତ

କାନପୁର: କାନପୁର ହିଂସା ଘଟଣା ପାଇଁ ଦାୟୀ ବିଜେପି ମୁଖପାତ୍ର ନୂପୁର ଶର୍ମା ନିଲମ୍ବିତ ହୋଇଛନ୍ତି। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିବାରୁ ନୂପୁରଙ୍କୁ ନିଲମ୍ବନ କରାଯାଇଛି। ବିଭିନ୍ନ ପ୍ରସଙ୍ଗରେ ଶର୍ମା‌ ଦଳର ବିଚାରଧାରା‌ ବାହାରକୁ ଯାଇ ମତ ରଖିଥିବାରୁ ବିଜେପି ଏହାର କଡ଼ା ବିରୋଧ କରିଛି ଏବଂ ନୂପୁରଙ୍କୁ ଦଳରୁ ନିଲମ୍ବନ କରିଥିବା କହିଛି। ପୃଥକ୍‌ ଭାବେ ଦିଲ୍ଲୀ ଗଣମାଧ୍ୟମ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ବିଜେପି ଦଳରୁ ବହିଷ୍କାର କରିଛି। ନବୀନ କୁମାର ସାମାଜିକ ଗଣମାଧ୍ୟମରେ ତାଙ୍କର ଟିପ୍ପଣୀ ଦ୍ବାରା ସାମ୍ପ୍ରଦାୟିକ ସଦ୍‌ଭାବ ନଷ୍ଟ କରିଥିବାରୁ ଏବଂ ଦଳର ମୌଳିକ ବିଶ୍ବାସର ଉଲ୍ଲଂଘନ କରିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ପ୍ରଫେଟ୍‌ ମହମ୍ମଦଙ୍କୁ ନେଇ ନୂପୁର ଶର୍ମା ଦେଇଥିବା ଟିପ୍ପଣୀକୁ ବିଜେପି କଡ଼ା ବିରୋଧ କରିଛି ଏବଂ ତାଙ୍କ ବୟାନଠାରୁ ବିଜେପି ନିଜକୁ ଦୂରେଇ ନେଇଛି। ବିଜେପି ଆଜି ଏନେଇ ଏକ ସ୍ପଷ୍ଟୀକରଣ ଦେଇଛି। ବିଜେପି ସବୁ ଧର୍ମକୁ ସମ୍ମାନ ଦିଏ। ବିଜେପି କୌଣସି ଧାର୍ମିକ ବ୍ୟକ୍ତିଙ୍କ ଅପମାନକୁ କଡ଼ା ନିନ୍ଦା କରୁଛି। କୌଣସି ଧର୍ମକୁ ଅପମାନିତ କିମ୍ବା ନୀଚା ଦେଖାଇବା ଭଳି କିଛି ବିଚାରଧାରାକୁ ବିଜେପି କଡ଼ା ବିରୋଧ କରେ ବୋଲି ଦଳ ପକ୍ଷରୁ କୁହାଯାଇଛି। ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ନୂପୁର ଶର୍ମା ଏବଂ ଜିନ୍ଦଲଙ୍କ ଟିପ୍ପଣୀକୁ କେବଳ ଦେଶ ଭିତରେ ବିରୋଧ କରାଯାଇନି ଦେଶ ବାହାରେ ମଧ୍ୟ ଏହାକୁ ଜୋରଦାର ବିରୋଧ କରାଯାଇଛି। ସାଉଦି ଆରବ ରାଷ୍ଟ୍ର କୁଏତ, କତାର ଏବଂ ସାଉଦି ଆରବ୍‌ରେ ଏହି ଟିପ୍ପଣୀକୁ ଜୋରଦାର ବିରୋଧ କରାଯ‌ାଇଛି। ତେଣୁ ବିଜେପି ଆଜି ଏନେଇ ସ୍ପଷ୍ଟୀକରଣ ଦେଇଛି।

ଅନ୍ୟପକ୍ଷେ କାନପୁର ହିଂସା ଘଟଣାର ବିସ୍ତୃତ ତଦନ୍ତ ପାଇଁ କାନପୁର ସିଟି ପୁଲିସ କମିସନର ଆଜି ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌) ଗଠନ କରିଛନ୍ତି। ଅଭିଯୁକ୍ତଙ୍କ ନେଟ୍‌ୱର୍କକୁ ଧ୍ବଂସ କରିବା ଏବଂ ସେମାନଙ୍କ ମୋବାଇଲ୍‌ ଯାଞ୍ଚ କରିବା ପାଇଁ ଏସ୍‌ଆ‌ଇଟି ଗଠନ ହୋଇଛି। ପଥର ମାଡ଼ କରିଥିବା ଆକ୍ରମଣକାରୀଙ୍କୁ ପୁଲିସ ଚିହ୍ନଟ କରିଛି। ସେମାନଙ୍କ ପୋଷ୍ଟର୍‌ ଆଜି ଜାରି ହେବ। ଉକ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗତକାଲି ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ ହାୟତ ଜାଫର ହାଶମିଠାରୁ ପୁଲିସ ପିଏଫ୍ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ସହ ଜଡ଼ିତ ୪ଟି ଅନୁଷ୍ଠାନର କାଗଜପତ୍ର ପାଇଛି। କାନପୁର ହିଂସା ମାମଲାରେ ୪ ଅଭିଯୁକ୍ତଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତ ପଠାଯାଇଛି। ମାମଲାରେ ୧୫୦୦ରୁ ଅଧିକ ଲୋକଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ପୁଲିସ ଅନୁଯାୟୀ ଅଭିଯୁକ୍ତଙ୍କଠାରୁ ମିଳିଥିବା ୬ ମୋବାଇଲ ଫୋନ୍‌କୁ ଯାଞ୍ଚ କରାଯିବ। ଇତି ମଧ୍ୟରେ ହିଂସା ଉପୁଜିଥିବା ବଜାର ଆଜି ଖୋଲିଛି। ସମ୍ପୃକ୍ତ ଅଞ୍ଚଳରେ ପୁଲିସ ପାଟ୍ରୋଲ୍‌ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ନୂପୁର ଶର୍ମା ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଟିଭି ବିତର୍କରେ ଦେଇଥିବା ଟିପ୍ପଣୀକୁ ବିରୋଧ କରି କାନପୁରରେ ବନ୍ଦ ଡାକରା ଦିଆଯାଇଥିଲା ଏବଂ ଏହାପରେ ହିଂସା ଉପୁଜିଥିଲା।

କାର୍ଯ୍ୟାନୁଷ୍ଠାନ ପରେ କ୍ଷମା ମାଗିଲେ ନୂପୁର
ନୂଆଦିଲ୍ଲୀ: ବିଜେପି ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ପାଇଁ ଦଳରୁ ନିଲମ୍ବନ ହେବାର ମାତ୍ର କିଛି ଘଣ୍ଟା ପରେ କ୍ଷମା ମାଗିଛନ୍ତି। ନୂପୁର ଶର୍ମା କହିଛନ୍ତି, କାହାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନଥିଲା। ଗତ କିଛି ବର୍ଷ ଧରି ସେ ଟିଭି ବିତର୍କରେ ଭାଗ ନେଉଛନ୍ତି। ତାଙ୍କ ଆରାଧ୍ୟ ଦେବତା ଶିବଙ୍କୁ ବହୁତ ଅପମାନିତ କରାଯାଇଛି। ପ୍ରଭୁ ଶିବଙ୍କୁ ବାରମ୍ବାର ଅପମାନ କରିବା ବିଷୟ ସହ୍ୟ କରିନପାରି ସେ ରାଗରେ ଏଭଳି ଟିପ୍ପଣୀ ଦେଇଥିଲେ। ଯଦି ତାଙ୍କ କଥା କାହାର ଧାର୍ମିକ ଭାବନାକୁ ଆଘାତ ଦେଇଥାଏ ତେବେ ତାହା ମୁଁ ଫେରାଇ ନେଉଛି ବୋଲି ଶର୍ମା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜ୍ଞାନବାପି ମସଜିଦ୍‌ ପରିସରରୁ ଶିବଲିଙ୍ଗ ମିଳିବା ପ୍ରସଙ୍ଗରେ ଏକ ଟିଭି ବିତର୍କ ଚାଲିଥିବାବେଳେ ଶର୍ମା‌ ବିବାଦୀୟ ଟିପ୍ପଣୀ ରଖିଥିଲେ। ଅନ୍ୟପକ୍ଷେ ଦଳରୁ ବହିଷ୍କୃତ ହୋଇଥିବା ନବୀନ କୁମାର ଜିନ୍ଦଲ ଆଜି କହିଛନ୍ତି ଯେ କୌଣସି ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ତାଙ୍କର ଲକ୍ଷ୍ୟ ନଥିଲା। ଉଲ୍ଲେଖ‌ଯୋଗ୍ୟ ଯେ ନବୀନ କୁମାର ଜିନ୍ଦଲ ଜୁନ୍‌ ୧ରେ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ସୋସିଆଲ ମିଡିଆରେ ଏକ ଟ୍ବିଟ୍‌ କରି ଟିପ୍ପଣୀ ଦେଇଥିଲେ।

ସମ୍ବନ୍ଧିତ ଖବର