ବେଜିଂ: ଚୀନ୍ କହିଛି ଯେ ପିଲାମାନଙ୍କଠାରେ ମାଇକୋପ୍ଲାଜମା ଜନିତ ନିମୋନିଆ କମୁଛି। କିନ୍ତୁ ଅନ୍ୟାନ୍ୟ ଶ୍ୱାସକ୍ରିୟା ଜନିତ ରୋଗ ବ୍ୟାପକ ଜନସଂଖ୍ୟାକୁ ଗୁରୁତର ଭାବେ ପ୍ରଭାବିତ କରିବାର ସମ୍ଭାବନା ରହିଛି। ବେଜିଂର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଫ୍ଲୁ, ଆଡେନୋଭାଇରସ୍ ଏବଂ ରେସ୍ପିରେଟୋରି ସିଙ୍କିସିଆଲ ଭାଇରସ (ଆର୍ଏସ୍ଭି) ଉକ୍ତ ମାଇକୋପ୍ଲାଜମାକୁ ବଳିଯିବାର ସମ୍ଭାବନା ରହିଛି। କିନ୍ତୁ କୌଣସି ନୂଆ ଭୂତାଣୁଙ୍କ ଆବିର୍ଭାବ ସମ୍ଭାବନାକୁ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି। ଟିଆଞ୍ଜିଆନ ଓ ସାଂଘାଇରେ ମଧ୍ୟ ଗତ କିଛିଦିନ ମଧ୍ୟରେ ମାଇକୋପ୍ଲାଜମା ପଜିଟିଭିଟି ହାର ହ୍ରାସ ପାଇଛି। କିନ୍ତୁ ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁସାରେ ଆସନ୍ତା ବସନ୍ତ ଋତୁ ମଧ୍ୟରେ ଅନେକ ଶ୍ୱାସକ୍ରିୟା ଜନିତ ଜୀବାଣୁ ସଂକ୍ରମଣ ବୃଦ୍ଧି ପାଇପାରେ।
କିଣ୍ଡରଗାର୍ଟେନ ଓ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କୁ ନିମୋନିଆ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଇବା ଫଳରେ ଚଳିତ ମାସରେ ଡାକ୍ତରଖାନାଗୁଡ଼ିକରେ ପ୍ରବଳ ଭିଡ଼ ହୋଇଥିଲା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବେଜିଂକୁ ବିସ୍ତୃତ ତଥ୍ୟ ମାଗିଥିଲା। ହଂକଂ ବିଶ୍ୱବିଦ୍ୟାଳୟର ଭାଇରୋଲୋଜି ଏବଂ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ଜିନ୍ ଡଙ୍ଗ-ୟାନ୍ କହିଛନ୍ତି, କେବଳ ପିଲାମାନେ ସଂକ୍ରମିତ ହେଉଥିବାରୁ ଏହା ଏକ ବିଦ୍ୟମାନ ଜୀବାଣୁ ହେବାର ସମ୍ଭାବନା ରହିଛି। ଯଦି ଏହା ଏକ ନୂତନ ଜୀବାଣୁ ହୋଇଥାନ୍ତା ତେବେ ଏହା ମୁଖ୍ୟତଃ ବୟସ୍କଙ୍କୁ ଆକ୍ରମଣ କରିଥାନ୍ତା। ଲାଗୁଛି ଯେମିତି ବୟସ୍କମାନେ ଏଥିରେ ଅଭ୍ୟସ୍ତ ହୋଇଯାଇଛନ୍ତି।
ମାଇକୋପ୍ଲାଜମା ହେଉଛି ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ପିଲାମାନଙ୍କ ମଧ୍ୟରେ ନିମୋନିଆ ସୃଷ୍ଟି କରୁଥିବା ଏକ ସାଧାରଣ ଜୀବାଣୁ ଏବଂ ପ୍ରତି ଦୁଇରୁ ଚାରି ବର୍ଷରେ ଏହା ଚୀନରେ ବ୍ୟାପକ ସଂକ୍ରମିତ ହୋଇଥାଏ। ହେଲ୍ଥ ଡାଟା ଆନାଲିଟିକ୍ସ ଫାର୍ମ ଏୟାରଫିନିଟି ଲିମିଟେଡ୍ ଅନୁଯାୟୀ ବେଜିଂରେ ସଦ୍ୟତମ ମାଇକୋପ୍ଲାଜମା ପଜିଟିଭିଟି ହାର ୪୦% - ଏହା ୨୦୧୯ରେ ହୋଇଥିବା ସଂକ୍ରମଣ ତୁଳନାରେ ପ୍ରାୟ ୧.୩ ଗୁଣ ଅଧିକ। ଚୀନ୍ରେ ପିଲାମାନଙ୍କ ମଧ୍ୟରେ ଦେଖାଯାଉଥିବା ଲକ୍ଷଣ ମାଇକୋପ୍ଲାଜମା ସଂକ୍ରମଣର ଲକ୍ଷଣ ପରି, ଯେଉଁଥିରେ ଗମ୍ଭୀର ରୋଗର ପ୍ରକୋପ କମ୍ ଦେଖାଯାଇଥାଏ। ଚୀନ୍ ପାଇଁ ବଡ଼ ସମସ୍ୟା ହେଉଛି ଏହାର ଚିକିତ୍ସା ପାଇଁ ବ୍ୟବହୃତ ଆଣ୍ଟିବାୟୋଟିକ୍ ପ୍ରତି ମାଇକୋପ୍ଲାଜମା ଷ୍ଟ୍ରେନ୍ର ଉଚ୍ଚ ସ୍ଥାନୀୟ ପ୍ରତିରୋଧ। ଏୟାରଫିନିଟି ଦ୍ୱାରା ସଂକଳିତ ତଥ୍ୟ ଅନୁଯାୟୀ, ମାକ୍ରୋଲାଇଡ ନାମକ ଆଣ୍ଟିବାୟୋଟିକକୁ ଜୀବାଣୁମାନେ ମାନୁନାହାନ୍ତି, ଯାହା ସାଧାରଣତଃ ମାଇକୋପ୍ଲାଜମା ସଂକ୍ରମିତ ପିଲାମାନଙ୍କୁ ଦିଆଯାଇଥାଏ। ଏହି ଜୀବାଣୁ ସଂକ୍ରମଣ ଅନ୍ୟ ଦେଶମାନଙ୍କରେ ମଧ୍ୟ ହୋଇଥାଏ ବୋଲି ଜଣାପଡିଛି।