ନ୍ୟୁୟର୍କ: ନିଜ୍ଜର ହତ୍ୟା ପାଇଁ ଆପଣ ଦାୟୀ ବୋଲି ନ୍ୟୁୟର୍କରେ ଥିବା ଏକ ଗୁରୁଦ୍ବାରକୁ ଯାଇଥିବା ବେଳେ ଆମେରିକାସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ତରନ୍ଜିତ୍ ସିଂହ ସନ୍ଧୁଙ୍କୁ ଖଲିସ୍ତାନୀ ସମର୍ଥକମାନେ ଧମକଚମକ ଦେବା ଭଳି ଚିତ୍କାର କରି କହିଥିବା କଥା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓରୁ ଜଣାପଡ଼ିଛି।
‘ବିଜେପି’ ମୁଖପାତ୍ର ଆର୍. ପି. ସିଂହ ସେୟାର୍ କରିଥିବା ଉକ୍ତ ଭିଡିଓରେ ଦେଖାଯାଉଛି, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ଓ ଗୁରୁପତୱନ୍ତ ସିଂହ ପନ୍ନୁନ୍ଙ୍କ ହତ୍ୟା ସହିତ ସମ୍ପୃକ୍ତ ବୋଲି ରାଷ୍ଟ୍ରଦୂତ ସନ୍ଧୁଙ୍କ ଉପରେ ଦୋଷାରୋପ କରୁଛନ୍ତି। ଚିତ୍କାର କରି ସେମାନେ କହୁଛନ୍ତି, ନିଜ୍ଜର୍ ହତ୍ୟା ନିମନ୍ତେ ଆପଣ ଦାୟୀ। ପନ୍ନୁନ୍ଙ୍କୁ ହତ୍ୟା କରିବା ଲାଗି ଆପଣ ଷଡ଼ଯନ୍ତ୍ର କରିଥିଲେ।
ସୂଚନାଯୋଗ୍ୟ, ଗୁରୁପରବ ପ୍ରାର୍ଥନାରେ ଯୋଗ ଦେବା ଲାଗି ସନ୍ଧୁ ରବିବାର ଦିନ ଲଙ୍ଗ୍ ଆଇଲାଣ୍ଡ୍ସ୍ଥିତ ହିକ୍ସ୍ଭାଇଲ୍ ଗୁରୁଦ୍ବାରକୁ ଯାଇଥିବା ବେଳେ ଉପରୋକ୍ତ ଘଟଣା ଘଟିଥିଲା। ଏହାପରେ ଭାରତୀୟ ରାଷ୍ଟ୍ରଦୂତ ସନ୍ଧୁ ଗୁରୁଦ୍ବାରରୁ ଚାଲି ଆସିଲେ। ସେତେବେଳେ ଗୁରୁଦ୍ବାର ପରିସର ବାହାରେ ଜଣେ ପ୍ରତିବାଦକାରୀ ଖଲିସ୍ତାନୀ ପତାକା ହଲାଉଥିଲେ।
ଭିଡିଓ ଦେଖିବା ପରେ ‘ବିଜେପି’ ନେତା ମନ୍ଜିନ୍ଦର ସିଂହ ସିର୍ସା ଖଲିସ୍ତାନୀ ସମର୍ଥକମାନଙ୍କ କାର୍ଯ୍ୟକୁ ନିନ୍ଦା କରିବା ସହିତ ତାଙ୍କୁ ଦୁର୍ବୃତ୍ତ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଜୁନ୍ ୧୮ ତାରିଖ ଦିନ ହର୍ଦୀପ ସିଂହ ନିଜ୍ଜର୍ଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ଭାରତ ଓ କାନାଡା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଉପରୋକ୍ତ ଘଟଣା ଘଟିଛି।