ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଉଛି ଓ ଗ୍ରହଣ କରୁଛି : ନୂପୁର

ନୂଆଦିଲ୍ଲୀ : ଇସଲାମ ବିରୋଧୀ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମା ଆଜି କହିଛନ୍ତି ଯେ ସେ ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ଗ୍ରହଣ କରୁଛନ୍ତି ।

ତାଙ୍କ ବିରୋଧରେ ବିଜେପି ନେଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ପ୍ରଶ୍ନ କରାଯିବାରୁ ନୂପୁର କହିଛନ୍ତି ଯେ ସେ ସଂଗଠନ ସହ ବଡ଼ ହୋଇଛନ୍ତି । ଏଣୁ ସେ ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଉଛନ୍ତି ଓ ଗ୍ରହଣ କରୁଛନ୍ତି ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ମଧ୍ୟ ଏକ ବୟାନ ଜାରି କରି କୁହାଯାଇଛି ଯେ ଦଳ ସବୁ ଧର୍ମକୁ ସମ୍ମାନ ଦିଏ ଓ କୌଣସି ଧର୍ମ ସଂପ୍ରଦାୟକୁ ନିନ୍ଦା ଓ ଅପମାନିତ କରିବାର ବିରୋଧୀ ।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଏକ ଟିଭି କାର୍ଯ୍ୟକ୍ରମରେ ଯୋଗ ଦେବାବେଳେ ସେ କେତେକ ବିବାଦୀୟ ଇସଲାମ ବିରୋଧୀ ମନ୍ତବ୍ୟ ଦେଇଥିଲେ ।  ଏହାକୁ ନେଇ ମୁସଲିମ ଜଗତରେ ତୀବ୍ର ବିରୋଧ ହେବା ପରେ ଗତ ରବିବାରଦିନ ବିଜେପି ପକ୍ଷରୁ ନୂପୁର ଓ ଦିଲ୍ଲୀ ୟୁନିଟ ମିଡିଆ ସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା ।

ଏହା ସତ୍ତ୍ବେ ବିଶ୍ବର ମୁସଲିମ ଦେଶମାନେ ଏହାକୁ ନିନ୍ଦା କରିଚାଲିଛନ୍ତି । କାତାର,କୁଏତ, ସାଉଦି ଆରବ, ଇରାନ, ୟୁଏଇ ପ୍ରଭୃତି ଆରବ ଦେଶ ତଥା ଇଣ୍ଡୋନେସିଆ, ପାକିସ୍ତାନ ପ୍ରଭୃତି ମୁସଲିମ ଦେଶ ଏହାକୁ ନେଇ ଭାରତ ସରକାରଙ୍କ ନିକଟରେ ପ୍ରତିବାଦ କରିଥିଲେ ।

ସମ୍ବନ୍ଧିତ ଖବର