ବ୍ରିଟେନ ରାଣୀଙ୍କୁ ଶେଷ ବିଶ୍ରାମ: ୱେଷ୍ଟମିନଷ୍ଟର ଆବେରେ ସ୍ବାମୀଙ୍କ ନିକଟରେ କବର

ଅନ୍ତ୍ୟେଷ୍ଟିରେ ଯୋଗଦେଲେ ୨୦୦୦ ବିଶ୍ବନେତା, ରାଜପରିବାର ସଦସ୍ୟ

ଲଣ୍ଡନ: ସୋମବାର ଇଂଲଣ୍ଡର ରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କ ଅନ୍ତ୍ୟେଷ୍ଟି ରାଜକୀୟ ଆଡ଼ମ୍ବର ସହ ଲଣ୍ଡନର ୱେଷ୍ଟମିନଷ୍ଟର ଆବେଠାରେ ସଂପନ୍ନ ହୋଇଛି। ଏଥି ସହ ସେପ୍ଟେମ୍ବର ୮ରୁ ରାଣୀଙ୍କ ମୃତ୍ୟୁ ପରଠାରୁ ଆରମ୍ଭ ହୋଇଥିବା ୧୧ ଦିବସୀୟ ଶୋକପାଳନର ଅନ୍ତ ଘଟିଛି। ଦେଶବାସୀ ତାଙ୍କର ପ୍ରିୟ ରାଣୀଙ୍କୁ ଦେଇଛନ୍ତି ଶେଷ ବିଦାୟ। ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ନେତାମାନେ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଛନ୍ତି। ଭାରତରୁ ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇଛନ୍ତି।

ଶ୍ରୀମତୀ ମୁର୍ମୁ ଶନିବାର ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ରାଜା ଚାର୍ଲସ ତୃତୀୟଙ୍କୁ ସାକ୍ଷାତ କରିଥିଲେ। ରାଜପରିବାରର ରାଜ୍ୟାଭିଷେକ, ବିବାହ ଓ ଅନ୍ତ୍ୟେଷ୍ଟି ସହ ୱେଷ୍ଟମିନଷ୍ଟର ଆବେର ୧୦୦୦ ବର୍ଷର ଇତିହାସ ଜଡ଼ିତ। ସୋମବାର ଦିନ ୧୧ଟାରେ ରାଜା ଚାର୍ଲସ ତୃତୀୟ ଓ ରାଣୀ କନସର୍ଟ କାମିଲାଙ୍କ ନେତୃତ୍ବରେ ରାଣୀ ଏଲିଜାବେଥ୍‌ଙ୍କ କଫିନ ୱେଷ୍ଟମିନଷ୍ଟର ଆବେଠାରେ ପହଞ୍ଚିବା ପରେ ଶେଷକୃତ୍ୟ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ରାଷ୍ଟ୍ରପତି ମୁର୍ମୁ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନର ନରୁହିତୋଙ୍କ ସମେତ ପ୍ରାୟ ୨୦୦୦ ବିଶ୍ବନେତା ଓ ରାଜପରିବାର ସଦସ୍ୟ ଯୋଗ ଦେଇ ରାଣୀଙ୍କୁ ଅନ୍ତିମ ଶ୍ରଦ୍ଧା ନିବେଦନ କରିଥିଲେ। ରାଣୀଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମକୁ ବୈଦ୍ୟୁତିକ ଗଣମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା। ପ୍ରାୟ ୬୦୦୦ ସାମରିକ କର୍ମଚାରୀ ଓ ହଜାର ହଜାର ଲୋକ ଏଥିରେ ଭାଗ ନେଇଥିଲେ।

୧୯୬୫ରେ ୱିନଷ୍ଟନ ଚର୍ଚ୍ଚିଲଙ୍କୁ ଶେ‌ଷ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଏହା ହେଉଛି ଇଂଲଣ୍ଡର ପ୍ରଥମ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି (ଷ୍ଟେଟ୍ ଫ୍ୟୁନେରାଲ)। ରାଜା ଚାର୍ଲସ, ରାଣୀ କାମିଲା ଓ ଅନ୍ୟ ରାଜପରିବାର ସଦସ୍ୟଙ୍କ ଛଡ଼ା ଏହି କାର୍ଯ୍ୟକ୍ରମରେ ପ୍ରିନ୍ସ ୱିଲିୟମ ଓ କେଟ୍‌ଙ୍କ ୯ ବର୍ଷର ପୁଅ ପ୍ରିନ୍ସ ଜର୍ଜ ଓ ୭ ବର୍ଷର ଝିଅ ରାଜକୁମାରୀ ଚାର୍ଲୋଟ ବି ଯୋଗ ଦେଇଥିଲେ। ୯୬ ବର୍ଷ ବୟସରେ ପରଲୋକ ଗମନ କରିଥିବା ରାଣୀ ଏଲିଜାବେଥ୍ ଦ୍ବିତୀୟ ବ୍ରିଟିସ ରାଜପରିବାର ଇତିହାସରେ ସର୍ବାଧିକ ୭୦ ବର୍ଷ ୨୧୪ ଦିନ ଦେଶର ଶାସନମୁଖ୍ୟ ରହିଆସିଥିଲେ। ୧୯୫୩ ମସିହାରେ ତାଙ୍କର ପିତା ଜର୍ଜ ଷଷ୍ଠଙ୍କଠାରୁ ସେ ଶାସନଭାର ଗ୍ରହଣ କରିଥିଲେ। ରାଣୀଙ୍କ ଅନ୍ତ୍ୟେଷ୍ଟି ପାଇଁ ବ୍ୟବହୃତ ଇଂଲିସ ଓକ୍ କାଠରେ ବିଶେଷ କଫିନ ୩ ଦଶନ୍ଧି ତଳେ ତିଆରି ହୋଇଥିଲା। ଏହାକୁ ୱେଷ୍ଟମିନଷ୍ଟର ହଲ୍‌ରେ ‘କାଟାଫାଲ୍‌କ’ ବୋଲି କୁହାଯାଉଥିବା କଫିନ ଷ୍ଟାଣ୍ଡରେ ରଖାଯାଇଥିଲା। ତା’ପରେ ଏଥିରୁ ରାଣୀଙ୍କ ମରଶରୀରକୁ ନେଇ ତାଙ୍କର ସ୍ବାମୀ ପ୍ରିନ୍ସ ଫିଲିପଙ୍କ ପାଖରେ ଶେଷ ବିଶ୍ରାମ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ଗତ ୮ ତାରିଖରେ ରାଣୀଙ୍କର ପରଲୋକ ହୋଇଥିଲା। ମୃତ୍ୟୁର ୧୧ ଦିନ ପରେ ତାଙ୍କୁ ଶେଷ ବିଶ୍ରାମ ଦିଆଯାଇଛି। ପ୍ରିନ୍ସ ଫିଲିପଙ୍କର ଗତବର୍ଷ ୯୯ ବର୍ଷ ବୟସରେ ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର