ଗୁରୁଗ୍ରାମ: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି)ର ଏକ ଶୋଭାଯାତ୍ରା ସମୟରେ ହରିୟାଣାର ନୁହ ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାର ଗୋଟିଏ ଦିନ ପରେ ମଙ୍ଗଳବାର ଦିନ ଗୁରୁଗ୍ରାମର ବାଦଶାହପୁରରେ ଥିବା ଏକ ରେସ୍ତୋରାଁରେ ନିଆଁ ଲଗାଯିବା ସହ ଆଖପାଖ ଦୋକାନଗୁଡ଼ିକୁ ଭଙ୍ଗାରୁଜା କରାଯାଇଛି।
ରିପୋର୍ଟ ଅନୁଯାୟୀ କେତେକ ଯୁବକ ଏହି ଅଞ୍ଚଳର ଏକ ମସଜିଦ ସମ୍ମୁଖରେ ଥିବା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଦୋକାନଗୁଡ଼ିକରେ ବ୍ୟାପକ ଭଙ୍ଗାରୁଜା କରିବା ସହ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ପ୍ରାୟ ୫୦ରୁ ୬୦ଜଣ ଯୁବକ ମିଳିତ ଭାବେ ଏହି ଅଞ୍ଚଳରେ ପାର୍କିଂ ହୋଇଥିବା ସମସ୍ତ ଦୁଇ ଚକିଆ ଯାନକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ହିଂସାକାଣ୍ଡ ଘଟଣା ପରେ ବାଦଶାହପୁର ବଜାରକୁ ବନ୍ଦ କରି ଦିଆ ଯାଇଥିଲା।
ଗତକାଲି (ସୋମବାର) ଠାରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡରେ ଜଣେ ଇମାମ ଓ ଦୁଇ ଜଣ ହୋମଗାର୍ଡଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ କିଛି ଘଣ୍ଟା ମଧ୍ୟରେ ଏହି ହିଂସା ନୁହରୁ ଗୁରୁଗ୍ରାମ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ହିଂସାରେ ନିହତ ହୋଇଥିବା ଦୁଇ ହୋମଗାର୍ଡଙ୍କ ନାମ ନୀରଜ ଓ ଗୁରୁସେବକ ବୋଲି ଜଣାପଡିଛି। ଘଟଣା ସଂପର୍କରେ ଖବର ପାଇ ସେମାନେ ନୁହରେ ପହଞ୍ଚିବା ପରେ ଆକ୍ରମଣର ଶିକାର ହୋଇଥିବା ଗୁରୁଗ୍ରାମ ପୁଲିସ ଟିମ୍ର ସଦସ୍ୟ ଥିଲେ। ଏହି ସଂଘର୍ଷରେ ପ୍ରାଣ ହରାଇଥିବା ଅନ୍ୟମାନଙ୍କ ମଧ୍ୟରେ ନୁହର ଜଣେ ଦୋକାନୀ ଶକ୍ତି (୩୫) ଏବଂ ଭିଏଚପି ଶୋଭାଯାତ୍ରାରେ ଭାଗ ନେଇଥିବା ପାନିପତର ଅଭିଷେକ (୨୪) ଅଛନ୍ତି।
ନୁହରେ ସଂଘର୍ଷ ଘଟିବା ପରେ ଶକ୍ତି ତାଙ୍କ ଦୋକାନରୁ ଖସି ଯାଇଥିଲେ ଏବଂ ରାତିରେ ସେଠାକୁ ଫେରିଥିଲେ। ମଙ୍ଗଳବାର ଦୋକାନରୁ ତାଙ୍କର ମୃତଦେହ ମିଳିଥିଲା। ଅଭିଷେକଙ୍କୁ ନଲହର ମେଡିକାଲ କଲେଜରେ ଡାକ୍ତର ମୃତ ଘୋଷଣା କରିଥିଲେ।
ନୁହରେ ହିଂସା କାଣ୍ଡ ଘଟିବାର କିଛି ଘଣ୍ଟା ପରେ ଗୁରୁଗ୍ରାମରେ ହୋଇଥିବା ଆକ୍ରମଣରେ ଇମାମଙ୍କ ମୃତ୍ୟୁ ଘଟିଥିଲା। ମହମ୍ମଦ ସାଦ୍ ଗୁରୁଗ୍ରାମ ସେକ୍ଟର ୫୭ରେ ଥିବା ଏକ ମସଜିଦ୍ର ଇମାମ ଥିଲେ। ମହମ୍ମଦ ସାଦ୍ଙ୍କ ସହ ଖୁର୍ସିଦ ନାମକ ଅନ୍ୟ ଜଣେ ବ୍ୟକ୍ତଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଖୁର୍ସିଦଙ୍କ ଗୋଡ଼ରେ ଗୁଳି ବାଜଛି ଏବଂ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ଶାନ୍ତି ଶୃଙ୍ଗଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁରୁଗ୍ରାମ ଏବଂ ଫରିଦାବାଦର ସମସ୍ତ ସ୍କୁଲ ଓ କଲେଜକୁ ଆଜି (ମଙ୍ଗଳବାର) ବନ୍ଦ କରି ଦିଆଯାଇଥିଲା ଏବଂ ଗୁରୁଗ୍ରାମ ଏବଂ ନୁହରେ ସିଆରପିସିର ଧାରା ୧୪୪ ଅନୁଯାୟୀ ୫ଜଣରୁ ଅଧିକ ସମାଗମ ଉପରେ ନିଷେଧାଦେଶ ଜାରି କରାଯାଇଛି।