ଭାରତ ଓ ଆମେରିକା ସହ ୨୦ଟି ଦେଶର ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା ସାଉଦି ଆରବ

ଦୁବାଇ:କରୋନା ମହାମାରୀକୁ ନଜରରେ ରଖି ସାଉଦି ଆରବ ୨୦ ଟି ଦେଶରୁ ଆସୁଥିବା ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ସାଉଦି ସରକାରଙ୍କ ଅନୁଯାୟୀ ଏହି ନିଷେଧାଦେଶ କିଛି ଦିନ ପାଇଁ ହେବାକୁ ଥିବାବେଳେ ଆଜି ରାତି ୯ ଟାରୁ ଏହା କାର୍ଯ୍ୟକାରୀ ହୋଇଛି। ଭାରତ, ପାକିସ୍ଥାନ, ଇଜିପ୍ଟ, ୟୁଏଇ, ଲେବାନନ୍, ଜର୍ମାନୀ, ବ୍ରିଟେନ, ଆୟର୍ଲାଣ୍ଡ, ଇଟାଲୀ, ଆମେରିକା ସମେତ ୨୦ଟି ଦେଶରୁ ବିମାନ ଉଡ଼ାଣ ପାଇଁ ଏହି ପ୍ରତିବନ୍ଧକ ଲାଗୁ ହୋଇଛି ।

ତେବେ ଏହି ପ୍ରତିବନ୍ଧକ ଭାରତ ଏବଂ ପାକିସ୍ତାନର ଶ୍ରମିକମାନଙ୍କୁ ଅଧିକ ପ୍ରଭାବିତ କରିବ ଯେଉଁମାନେ ଚାକିରି ଉଦ୍ଦେଶ୍ୟରେ ସାଉଦି ଆରବକୁ ଯାଆନ୍ତି। ସୂଚନା ଥାଉ କି ସାଉଦି ସରକାର ଯେଉଁସବୁ ଦେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ସେଠାରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି |

ସୂଚନାଯୋଗ୍ୟ ଯେ, ପୂର୍ବରୁ ବ୍ରିଟେନରୁ ଆରମ୍ଭ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ପାଇଁ ସାଉଦି ସରକାର ବ୍ରିଟେନରୁ ଆସୁଥିବା ବିମାନ ଉପରେ ଡିସେମ୍ବରରେ ଏକ ନିଷେଧାଦେଶ ଜାରି କରିଥିଲେ ଓ ଜାନୁଆରୀ ୩ ରୁ ଏହି ସେବା ପୁନଃ ଆରମ୍ଭ ହୋଇଥିଲା। ଉଲ୍ଲେଖଯୋଗ୍ୟ, ସାଉଦି ଆରବରେ କରୋନା ପୀଡିତଙ୍କ ସଂଖ୍ୟା ୩.୬୮ ଲକ୍ଷରୁ ଅଧିକ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୬,୩୮୩ କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର